ARTICLE AD BOX
ଗ୍ଲାସଗୋ: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୩ତମ ସଂସ୍କରଣ ଗୁରୁବାର ରାତିରେ ସ୍କଟ୍ଲାଣ୍ଡ୍ ସହର ଗ୍ଲାସ୍ଗୋରେ ଉଦ୍ଘାଟିତ ହୋଇଛି। ସ୍କଟିସ ସଂସ୍କୃତିର ଭରପୂର ପ୍ରଦର୍ଶନ ଭିତରେ ଏହାର ଶୁଭାରମ୍ଭ କରାଯାଇଛି। ପ୍ରଥମ ଥର ପାଇଁ ଏକ ଇନ୍ଡୋର ଷ୍ଟାଡିୟମ୍ରେ ଏହା ଉଦ୍ଘାଟିତ ହୋଇଛି। ବିଭିନ୍ନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରାଷ୍ଟ୍ରମୁଖ୍ୟଙ୍କ ଉପସ୍ଥିତିରେ ମଧ୍ୟ ଏହା ସମ୍ପନ୍ନ ହୋଇଛି। ମାର୍ଚ୍ଚପାଷ୍ଟରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇଥିଲେ ଭାରୋତ୍ତୋଳିକା ମୀରାବାଇ ଚାନୁ। ସେହିଭଳି ଅଲିମ୍ପିକ୍ସ ପଦକ ବିଜୟିନୀ ମୁଷ୍ଟିଯୋଦ୍ଧା ଲଭ୍ଲୀନା ବରଗୋହାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବାଟନ୍ ବାହକ ଥିଲେ।
କାଣ୍ଟଛାଣ୍ଟ ଭିତରେ ଆୟୋଜିତ ଏହି ସଂସ୍କରଣର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ୭୪ ଦେଶର ପ୍ରାୟ ୩୦୦୦ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ଭାରତରୁ ୧୨୪ ଜଣ ସାମିଲ ଆଛନ୍ତି। ମୋଟ ୧୦ଟି ଖେଳ ଶୃଙ୍ଖଳା ୪ଟି ଭିନ୍ନ ଷ୍ଟାଡିୟମ୍ରେ ଖେଳାଯିବ। ଗୁରୁବାର ଉଦ୍ଘାଟନ ପୂର୍ବରୁ ଭାରତୀୟ ଦଳ ବାଉଲ୍ସ ଇଭେଣ୍ଟ୍ରେ ବିଜୟୀ ହୋଇଛି। ପୁଟୁଲ ସୋନୋୱାଲ ପଦାର୍ପଣରେ ବିଶ୍ବ ବିଜେତା କାନାଡ଼ାର ରୢାନ୍ ବେଷ୍ଟରଙ୍କୁ ପରାସ୍ତ କରିଥିବାବେଳେ ମହିଳା ପେୟାର ଇଭେଣ୍ଟ୍ରେ ରୂପାରାଣୀ ତିର୍କି ଓ ପିଙ୍କି ସିଂହ କଡ଼ା ସଂଘର୍ଷ କରି ମାଲ୍ଟାକୁ ପରାସ୍ତ କରିଛନ୍ତି। ଓଡ଼ିଶାରୁ ୩ ଜିମ୍ନାଷ୍ଟ ତପନ ମହାନ୍ତି, ତପେଶ୍ବରନାଥ ଦାସ, ପ୍ରଣତି ନାୟକଙ୍କ ସହିତ ପ୍ରଶିକ୍ଷକ ଅଶୋକ ମିଶ୍ର, ରାକେଶ ପାତ୍ର ସାମିଲ ଅଛନ୍ତି। ସମସ୍ତଙ୍କ ନଜର କିନ୍ତୁ ରହିବ ଧାବକ ଅନିମେଷ କୁଜୁରଙ୍କ ଉପରେ।
ସନ୍ତରଣ ସେମିଫାଇନାଲ୍ରେ ନଟରାଜ
ଗ୍ଲାସ୍ଗୋ ଭାରତୀୟ ସ୍ବିମର୍ ଶ୍ରୀହରି ନଟରାଜ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସନ୍ତରଣ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଶୁକ୍ରବାର ପୁରୁଷ ୫୦ ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ହିଟ୍ରେ ସେ ଯୁଗ୍ମଭାବେ ୧୪ତମ ସ୍ଥାନରେ ରହି ଏହି ସ୍ଥାନରେ ପହଞ୍ଚିଥିଲେ। ଏକାଧିକ ଜାତୀୟ କୀର୍ତ୍ତିମାନଧାରୀ ଦୁଇ ଥର ଅଲିମ୍ପିଆନ୍ ନଟରାଜ ୨୫.୫୨ ସେକେଣ୍ଡ୍ ସମୟ ନେଇଥିଲେ। ତାଙ୍କ ସହ ବରମୁଡ଼ାର ଜ୍ୟାକ୍ ହାର୍ଭି ମଧ୍ୟ ସମାନ ସମୟରେ ରେସ୍ ଶେଷ କରି ଶୀର୍ଷ ୧୬ରେ ରହିଥିଲେ। ନଟରାଜ ୮ ଜଣିଆ ନିଜ ହିଟ୍ରେ ପଞ୍ଚମ ସ୍ଥାନରେ ରହିଥିଲେ।
Sports: ‘କ୍ରୀଡ଼ାବିତ୍ ଓ କ୍ରୀଡ଼ା ସାମ୍ବାଦିକ ପରସ୍ପର ସହ ଓତଃପ୍ରୋତ ଭାବେ ଜଡ଼ିତ’
ଅଶୋକ ଅଳ୍ପକେ ପଦକରୁ ବଞ୍ଚିତ
ଚଳିତ ରାଜ୍ୟଗୋଷ୍ଟୀ କ୍ରୀଡ଼ାରେ ଭାରତୀୟ ପାରା ଶକ୍ତିଉତ୍ତୋଳକ ଅଶୋକ ମଲ୍ଲିକ ଅଳ୍ପକେ ପଦକରୁ ବଞ୍ଚିତ ହୋଇଛନ୍ତି। ପୁରୁଷ ଲାଇଟ୍ୱେଟ୍ ବର୍ଗରେ ଅଶୋକ ୧୪୩.୮ ପଏଣ୍ଟ ଅର୍ଜନ କରି ଚତୁର୍ଥ ସ୍ଥାନରେ ରହିଥିଲେ। ଇଂଲଣ୍ଡର ମାର୍କ ସ୍ବାନ (୧୫୩,୯) ସ୍ବର୍ଣ୍ଣ, ନାଇଜେରିଆର (୧୫୩.୯) ରୌପ୍ୟ ଓ ମାଲେସିଆର ବୋନି ବୁନ୍ୟାଉ ଗଷ୍ଟିନ୍ (୧୫୩.୫) କାଂସ୍ୟ ଜିତିଥିଲେ। ଅନ୍ୟତମ ଭାରତୀୟ ଖେଳାଳି ପରମଜିତ କୁମାର (୧୩୫.୬) ସପ୍ତମ ସ୍ଥାନରେ ରହିଥିଲେ। ପାରା ସନ୍ତରଣରେ ଭାରତର ଆର୍ଭିଭିବିକେ ବୁଦିଗିନା ଓ ଇମ୍ରାନ ଅଲୀ ୧୦୦ ମିଟର ଫ୍ରିଷ୍ଟାଇଲ୍ ଏସ୍୧୩ ଇଭେଣ୍ଟ୍ର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ବୁଦିଗିତା (୫୭.୧୦ ସେକେଣ୍ଡ) ହିଟ୍ରେ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଅଲୀ (୧:୦୫.୩୨ ସେକେଣ୍ଡ) ଶେଷ ସ୍ଥାନରେ ରହିଥିଲେ। ଏସ୍୨୩ରେ କେବଳ ଦୃଷ୍ଟିବାଧିତ ଖେଳାଳି ଭାଗନେଉଛନ୍ତି।
ଡୋପ୍ କଳଙ୍କ: ଆଉ ଜଣେ ଜୁଡୋକା ବାଦ୍
ଗ୍ଲାସ୍ଗୋ: ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆରମ୍ଭରୁ ଭାରତକୁ ଆହୁରି ଏକ ଝଟ୍କା ଲାଗିଛି। ଗତ କାଲି ଡୋପ୍ ପରୀକ୍ଷାରେ ବିଫଳ ହୋଇ ଜୁଡୋକା ଅରୁଣ କୁମାର ଦଳରୁ ବାଦ୍ ପଡିଥିଲେ। ଏବେ ଏହି ତାଲିକାରେ ଆଉ ଜଣେ ଜୁଡ଼ୋକା ଯୋଡ଼ି ହୋଇଛନ୍ତି। ସେ ହେଉଛନ୍ତି ୨୦୨୨ ସଂସ୍କରଣର ରୌପ୍ୟ ବିଜୟିନୀ ତୁଲିକା ମାନ୍। ଗତ ୧୨ ମାସ ଭିତରେ ସେ ୩ ଥର ହ୍ବେୟାରଏବାଉଟ୍ରେ (ବର୍ତମାନର ଅବସ୍ଥିତି) ବିଫଳ ହେବାରୁ ଜାତୀୟ ଆଣ୍ଟି-ଡୋପିଂ ଏଜେନ୍ସି (ନାଡା) ତାଙ୍କୁ ବାସନ୍ଦ କରିଛି। ୨୦୨୨ ବର୍ମିଂହାମ୍ ସଂସ୍କରଣରେ ୭୮+କିଲୋଗ୍ରାମ ବର୍ଗରେ ତୁଲିକା ରୌପ୍ୟ ପଦକ ଜିତିଥିବାରୁ ଏଥର ବି ତାଙ୍କଠୁ ଦେଶ ପଦକ ଆଶାରେ ରହିଥିଲା। ଭାରତୀୟ ଜୁଡ଼ୋ ଦଳ ଚଳିତ ମାସ ୩୧ ତାରିଖରୁ ଅଭିଯାନ ଆରମ୍ଭ କରିବ। ୨୭ ତାରିଖରେ ଜୁଡ଼ୋକା ଦଳ ଗ୍ଲାସ୍ଗୋ ଗସ୍ତ କରିବ।

1 hour ago
1


