Commissionerate Police: କମିସନରେଟ୍‌ ପୁଲିସ: ୬ବର୍ଷରୁ ଅଧିକ ରହିଲେଣି ୪୧ ଅଧିକାରୀ

3 days ago 4
ARTICLE AD BOX

ଭୁବନେଶ୍ବର: ଜଣେ ସରକାରୀ ଅଧିକାରୀ ଗୋଟିଏ ଷ୍ଟେସନରେ ୩ ବର୍ଷରୁ ଅଧିକ ରହିପାରିବେ ନାହିଁ। ଏଥିସହିତ ଦ୍ୱିତୀୟ ଶ୍ରେଣୀ ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହଁ। ବୁକ୍ ସର୍କୁଲାର ୪୨ ରେ ଏଭଳି ଉଲ୍ଲେଖ ରହିଥିବା ବେଳେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ହେଲେ ଏହାକୁ କମିସନରେଟ୍‌ ପୁଲିସର ଖାତିର ନାହିଁ। କୋଳି ଖାଇ ମଞ୍ଜି ପୋତିଲା ଭଳି ପୁଲିସ ଅଧିକାରୀମାନେ ଚାକିରି ଜୀବନର ଅର୍ଦ୍ଧାଧିକ ସମୟ କମିସନରେଟରେ କାଟିଛନ୍ତି। 

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ,  ପ୍ରାୟ ୪୧ ଜଣ ଅଧିକାରୀ ୬ ବର୍ଷରୁ ଅଧିକ ସମୟଧରି କମିସନରେଟ ପୁଲିସରେ କାମ କରୁଛନ୍ତି। ଏହି ତାଲିକାରେ ଇନ୍ସପେକ୍ଟର ପାହ୍ୟାରୁ ଆରମ୍ଭ କରି ଅତିରିକ୍ତ ଡିସିପି ପର୍ଯ୍ୟନ୍ତ ସମସ୍ତେ ଅଛନ୍ତି। ଅତିରିକ୍ତ ଡିସିପି, ୭ ଜଣ ଏସିପି, ୩୩ ଜଣ ଇନ୍ସପେକ୍ଟର ୬ ବର୍ଷରୁ ଅଧିକ ସମୟ ହେବ କମିସନରେଟ୍‌ ପୁଲିସରେ ନିଯୁକ୍ତି ହୋଇଛନ୍ତି। ବର୍ଷ ବର୍ଷ ଧରି ଆସିଥିବା ଅଧିକାରୀ ଏବେ କମିସନରେଟକୁ ଛାଡ଼ିବାକୁ ନାରାଜ। କେବଳ ଅଧିକାରୀ ନୁହେଁ ତଳିଆ କର୍ମଚାରୀଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟୁଛି। ଜଣେ ସରକାରୀ ଅଧିକାରୀ ଗୋଟିଏ ଷ୍ଟେସନରେ ୩ ବର୍ଷ ରହି ପାରିବେ। କ୍ୱଚିତ୍ କ୍ଷେତ୍ରରେ ଏଥିରେ ବ୍ୟତିକ୍ରମ ହୋଇପାରେ। ଶୀଘ୍ର ସଂପୃକ୍ତ ଅଧିକାରୀଙ୍କ ବିକଳ୍ପ ଅଧିକାରୀଙ୍କୁ ନିଯୁକ୍ତି ଦେଇ ତାଙ୍କୁ ବଦଳି କରିବାକୁ ନିର୍ଦ୍ଦେଶ ରହିଛି। ସେହିପରି, ଦ୍ୱିତୀୟ ଶ୍ରେଣୀ କିମ୍ବା ତଦୂର୍ଦ୍ଧ୍ବ ରୢାଙ୍କର ଅଧିକାରୀ ଗୋଟିଏ ଜିଲ୍ଲାରେ ୬ ବର୍ଷରୁ ଅଧିକ ସମୟ କାମ କରିପାରିବେ ନାହଁ। ହେଲେ କମିସନରେଟ ପୁଲିସ ଏସବୁ ନିୟମକୁ ଫୁ’ କରିଦେଇଛି।

ନିୟମ ମାନିବା ବଦଳରେ ଏହାର ଗଳାବାଟ ଖୋଜି ବାହାର କରିଛନ୍ତି। ଜିଲ୍ଲାରେ ୬ ବର୍ଷ ବିତିବା ପୂର୍ବରୁ ଓ ନିର୍ବାଚନ ଆଚରଣ ବିଧି ଲାଗିବା ପୂର୍ବରୁ ଅଦଳବଦଳ ହୋଇଥାଏ। ସେହି ସମୟରେ ପୁଲିସ ଅଧିକାରୀମାନେ ଭୁବନେଶ୍ୱରରୁ କଟକ ଓ କଟକରୁ ଭୁବନେଶ୍ୱରକୁ ବଦଳି ହେଉଛନ୍ତି। ନିର୍ବାଚନ ସରିବା ପରେ ଯଥା ପୂର୍ବଂ ତଥା ପରଂ ନ୍ୟାୟରେ ପୁଣି ପୁରୁଣା ଜିଲ୍ଲାକୁ ବଦଳି ହୋଇ ଆସୁଛନ୍ତି। ଆଉକିଛି ଅଧିକାରୀ ସିପି ଅଫିସ, ଡିସିପି ଅଫିସ୍, ଡିଆଇବି, ୟୁପି ଓ ଟିଟିଆଇ ଭଳି ସ୍ଥାନକୁ ବଦଳି ହୋଇ ଯାଉଛନ୍ତି। ଫଳରେ ଜିଲ୍ଲାରେ ୬ ବର୍ଷର ରହିବା ଧାରା ଭାଙ୍ଗି ଯାଉଛି। ସେହିଭଳି ଭୁବନେଶ୍ବର ୟୁପିଡିର ୪ଟି ଥାନା ଅଧିକାରୀ ୩ବର୍ଷରୁ ଅଧିକ ସମୟ ହେଲାଣି କାର୍ଯ୍ୟ କଲେଣି। ମାତ୍ର ସେମାନଙ୍କୁ ମଧ୍ୟ ବଦଳି କରାଯାଉନାହିଁ କି ନୂଆ ପୋଷ୍ଟିଂ ଉପରେ ଗୁରୁତ୍ବ ଦିଆଯାଉନାହିଁ।

ସରକାରୀ ଅଧିକାରୀଙ୍କ ବଦଳିରେ ସ୍ୱଚ୍ଛତା ଓ ପାରଦର୍ଶିତା ଆଣିବା ପାଇଁ ଗତ ଏପ୍ରିଲ ମାସରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର ସମସ୍ତ ବିଭାଗକୁ ଚିଠି ଲେଖିଥିଲେ। ଗଣଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗ ଭଳି ଅନ୍ୟ ବିଭାଗ ଗୁଡ଼ିକ ମଧ୍ୟ ସ୍ୱତନ୍ତ୍ର ବଦଳି ନୀତି ଆଣିବାକୁ ଉଲ୍ଲେଖ କରିଥିଲେ। ବଦଳି ନୀତି ପ୍ରସ୍ତୁତ ସମୟରେ ବୁକ୍ ସର୍କୁଲାର ୪୨ ଓ ବଦଳିକୁ ନେଇ ବିଭିନ୍ନ ସମୟରେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶକୁ ଦୃଷ୍ଟିରେ ରଖିବାକୁ କୁହାଯାଇଥିଲା। ହେଲେ ଏସବୁ ନିୟମ କମିସନରେଟ ପୁଲିସରେ କାଗଜ କଲମରେ ସୀମିତ ହୋଇ ରହିଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.