Climate change: ‘ସତର୍କ ନହେଲେ ୨୦୬୦ ସୁଦ୍ଧା ପ୍ରାକୃତିକ ସମ୍ପଦ ଲୋପ ପାଇଯିବ’

36 minutes ago 1
ARTICLE AD BOX

କଟକ: ବର୍ତ୍ତମାନ ସମୟରେ ଯେଉଁ ପରିମାଣର ପ୍ରାକୃତିକ ସମ୍ପଦକୁ ବ୍ୟବହାର କରାଯାଇଛି, ତାହା ଜାରି ରହିଲେ ୨୦୬୦ ସୁଦ୍ଧା ଏହା ଶେଷ ହୋଇଯିବ। ସେହି ସମୟରେ ଆମର ସ୍ଥିତି କଣ ହେବ, ତାହା ଆଜିର ଦିନରେ ଆମ ସମସ୍ତଙ୍କୁ ଚିନ୍ତା କରିବାକୁ ପଡିବ। ଏଥିପାଇଁ ସଜାଗ, ସତର୍କ ଆଉ ସଚେତନ ହେବାକୁ ପଡିବ। ମଣିଷ ନିଜର ଅଭ୍ୟାସ ଆଉ ବ୍ୟବହାର ଜାରି ରଖିଲେ ରହିବା ପାଇଁ ଆଗକୁ ଆହୁରି ୨ଟି ପୃଥିବୀ ଦରକାର ପଡିବ। ତେଣୁ ଏ ଆହ୍ବାନକୁ ଆମକୁ ପ୍ରତ୍ୟେକସ୍ତରରେ ସାମନା କରିବାକୁ ପଡିବ ବୋଲି କହିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ଅର୍କ କୁମାର ଦାସମହାପାତ୍ର। କୁଳପତି କହିଛନ୍ତି ଯେ ରେଭେନ୍ସା ବିଶ୍ବବିଦ୍ୟାଳୟ ପରିସରରେ ପ୍ରତ୍ୟେକ ଶନିବାର ଦିନ କୌଣସି ପେଟ୍ରୋଲ ଓ ଡିଜେଲ ଗାଡି ଚଲାଇବାକୁ ବାରଣ କରାଯାଇଛି। 

ରେଭେନ୍ସାର ଦୁଇଟି କ୍ୟାମ୍ପସରେ ପ୍ରକୃତିର ସୁରକ୍ଷା ପାଇଁ ଆଗକୁ ନିର୍ମାଣ ହେବାକୁ ଥିବା ସମସ୍ତ କୋଠାକୁ ‘ଗ୍ରିନ୍‌ ବିଲଡିଂ’ କରିବାକୁ ଯୋଜନା ରଖାଯାଇଛି। ଏହାସହ ଜଳସଂରକ୍ଷର, ସୋଲାର ଏନର୍ଜିକୁ ଅଧିିକ ମାତ୍ରାରେ ବ୍ୟବହାର ଦିଗରେ ଉଦ୍ୟମ ଆରମ୍ଭ ହୋଇଛି। ପ୍ରକୃତିକୁ ତାର ମୂଳ ରୂପରେ ପହଞ୍ଚାଇବା ପାଇଁ ‘ସମ୍ବାଦ ଓ କନକ ନିୟୁଜ’ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଜରିଆରେ ଯେଉଁ ପଦକ୍ଷେପ ନିଆଯାଇଛି, ସେଥିରେ ଆମ ସମସ୍ତଙ୍କୁ ସାମିଲ ହେବାକୁ ପଡିବ। ଆମ ସମସ୍ତଙ୍କୁ ଆମର ବ୍ୟବହାରକୁ ପରିବର୍ତ୍ତନ କରି ପ୍ରକୃତି ଅନୁକୂଳ ଆଚରଣ କରିବାକୁ ପଡିବ‌ ବୋଲି କୁଳପତି କହିଛନ୍ତି।

DSC_0103

ରେଭେନ୍ସା ବିଶ୍ବବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନର ସମ୍ମିଳନୀ କକ୍ଷରେ ‘ସମ୍ବାଦ-କନକ ନିୟୁଜ’ କଟକ ସଂସ୍କରଣ ମୁଖ୍ୟ ଡିଜିଏମ୍‌ କୃଷ୍ଣ ପ୍ରସାଦ ଦାସ କାର୍ଯ୍ୟକ୍ରମ ସଂପର୍କରେ ପ୍ରାରମ୍ଭିକ ସୂଚନା ଦେବା ସହିତ ଆଲୋଚନାର ଭିତ୍ତି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ଆୟୋଜିତ ଗ୍ରିନ କ୍ୟାମ୍ପସ୍‌- ଜେନେରେସନ କ୍ଲାଇମେଟ୍‌ (ଜେନ୍‌ ସି) ଆଲୋଚନାଚକ୍ରରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ପରିବେଶବିତ ପ୍ରଫେସର ଡକ୍ଟର ଆଶୁତୋଷ ଦେବତା ଯୋଗଦେଇ କହିଥିଲେ ଯେ, ପ୍ରତିବର୍ଷ ପୃଥିବୀ ପୃଷ୍ଠରୁ ତିନିଟି ପ୍ରାଣୀର ବଂଶ ଲୋପ ପାଇଯାଉଛନ୍ତି। ଏଥିପାଇଁ ଆମକୁ ବିଶେଷ ପଦକ୍ଷେପ ନେବାକୁ ପଡିବ। ଏବେଠାରୁ ଧରାପୃଷ୍ଠର ସୁରକ୍ଷା ଦିଗରେ ବୃକ୍ଷରୋପଣରୁ ନେଇ ମାଟି ତଳ ଜଳ ସଂରକ୍ଷଣ, ବାୟୁ ପ୍ରଦୂଷଣ ରୋକିବା ପରି ବିଭିନ୍ନ କାର୍ଯ୍ୟ କରିବାକୁ ପଡିବ ବୋଲି ଡକ୍ଟର ଦେବତା କହିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କୁଳସଚିବ କାହ୍ନୁ ଚରଣ ମଲ୍ଲିକ ଯୋଗ ଦେଇ ଆସନ୍ତା ପିଢିଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହାର ପରିସରକୁ ଗ୍ରିନ କରିଡର କରିବା ଦିଗରେ ଉଦ୍ୟମ ଆରମ୍ଭ କରାଯାଇଛି ବୋଲି କହିଛନ୍ତି। କାର୍ଯ୍ୟକ୍ରମରେ ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ସୌମେନ୍ଦ୍ର କୁମାର ନାୟକ, ଓଡ଼ିଆ ବିଭାଗର ପ୍ରଫେସର ଡକ୍ଟର ବିଜୟଲକ୍ଷ୍ମୀ ଦାଶ, ଉଦ୍ଭିଦ ବିଜ୍ଞାନର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ମତ ଉପସ୍ଥାପନ କରିଥିଲେ। ସମ୍ବାଦର ବରିଷ୍ଠ ପ୍ରତିନିଧି ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.