Climate change: ଯୁବପିଢ଼ି ଜଳବାୟୁ ସୁରକ୍ଷାର ବାର୍ତ୍ତାବହ ହୁଅନ୍ତୁ

51 minutes ago 1
ARTICLE AD BOX

ଜୟପୁର: ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ସୁସ୍ଥ ସମାଜ ଓ ସୁସ୍ଥ ଜଳବାୟୁରେ ବଞ୍ଚିବାକୁ ହେଲେ ବହୁଳ ପରିମାଣରେ ଗଛ ଲଗାଇବାକୁ ପଡ଼ିବ। ବିଶ୍ବବିଦ୍ୟାଳୟ କ୍ୟାମ୍ପସକୁ ପଲିଥିନ ମୁକ୍ତ କରିବା ସହ ବୃକ୍ଷରୋପଣ କରି ତାହାର ଯତ୍ନ ନେଲେ ପୁଣି ଥରେ ସବୁଜିମା ଫେରି ଆସିବ। ଯୁବପିଢ଼ି ଓ ଛାତ୍ର ସମାଜ ଏହି ଅଭିଯାନର ବାର୍ତ୍ତାବହ ହୁଅନ୍ତୁ।

ଜୟପୁର ବିକ୍ରମଦେବ ବିଶ୍ବବିଦ୍ୟାଳୟରେ ‘ସମ୍ବାଦ’ ଜୟପୁର ସଂସ୍କରଣ ପକ୍ଷରୁ ଆୟୋଜିତ ସବୁଜ କ୍ୟାମ୍ପସ ଓ ଜେନେରେସନ୍‌ କ୍ଲାଇମେଟ୍‌ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ହୃଷିକେଶ ସେନାପତି। କୁଳପତି ଆହୁରି କହିଥିଲେ, ପାଠପଢ଼ା ସହ ପରିବେଶର ସୁରକ୍ଷା ଜରୁରୀ। ଯୁବ ସମାଜ ଚାହିଁଲେ ସବୁ କିଛି ସମ୍ଭବ ହୋଇପାରିବ। ପରିବେଶ ସୁରକ୍ଷା ଅଭିଯାନ ପ୍ରଥମେ ନିଜ ଘରୁ ଏବଂ ବିଶ୍ବବିଦ୍ୟାଳୟ କ୍ୟାମ୍ପସରୁ ଆରମ୍ଭ କରିବାକୁ କୁଳପତି ପରାମର୍ଶ ଦେଇଥିଲେ।

‘ସମ୍ବାଦ’ ଜୟପୁର ସଂସ୍କରଣ ମୁଖ୍ୟ ନବୀନ ଚନ୍ଦ୍ର ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଜୟପୁର ବନଖଣ୍ଡର ସହକାରୀ ବନ୍ୟପ୍ରାଣୀ ସଂରକ୍ଷକ ଡ. ଅମିତ ପ୍ରକାଶ ନାୟକ ଯୋଗଦେଇ କହିଲେ, ଯେଉଁ ପରିମାଣର ଜଙ୍ଗଲ ନଷ୍ଟ କରାଯାଉଛି ତାହା ବର୍ତ୍ତମାନ ଓ ଆଗାମୀ ପିଢି ପାଇଁ ବିପଦ ସଦୃଶ୍ୟ। ଭାରତରେ ୩୩ ପ୍ରତିଶତ ଏବଂ ଓଡ଼ିଶାରେ ୨୮ ପ୍ରତିଶତ ଜଙ୍ଗଲ ରହିଛି। କୋରାପୁଟ ଜିଲ୍ଲାରେ ଜଙ୍ଗଲ ପରିମାଣର ସଂଖ୍ୟା ୨୫ ପ୍ରତିଶତ। ଯାହା ଆମ ସମାଜକୁ ଆବଶ୍ୟକତାଠାରୁ ବହୁତ କମ୍। ଗୋଟିଏ ସୁସ୍ଥ ଗଛ ତାର ଜୀବନ କାଳ ମଧ୍ୟରେ ୧୦୦/୧୨୦ କିଲୋ ଅମ୍ଳଜାନ ଦେଇଥାଏ। 

ଜଣେ ମଣିଷ ବଞ୍ଚିବା ପାଇଁ ହାରାହାରି ୨୦୮ଟି ଗଛର ଅମ୍ଲଜାନ ଆବଶ୍ୟକ ଥିବାବେଳେ ଭାରତରେ ଏହି ସଂଖ୍ୟା ମାତ୍ର ୨୮ରେ ସୀମିତ। ଏଥିରେ ପରିବର୍ତ୍ତନ ଆଣିବା ଏବଂ ଜଙ୍ଗଲ ବୃଦ୍ଧି ପାଇଁ ବର୍ତ୍ତମାନର ଜେନ ସି ବର୍ଗର ଯୁବ ସମାଜ ଦାୟିତ୍ବ ନେବାକୁ ଶ୍ରୀ ନାୟକ ଆହ୍ବାନ ଦେଇଛନ୍ତି। ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଶ୍ବବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷ ଡ. ପ୍ରଶାନ୍ତ କୁମାର ପାତ୍ର ଯୋଗଦେଇ କହିଲେ, ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଅତ୍ୟଧିକ ଗରମ ଯୋଗୁଁ ୟୁରୋପିଆନ୍ ଦେଶରେ ୪୫ ହଜାର ଲୋକଙ୍କ ମୃତ୍ୟୁ ହୋଇଛି। 

Sambad-Kanak News: ‘ସମ୍ବାଦ-କନକ ନ୍ୟୁଜ୍‌’ ଜୋନସ୍ତରୀୟ ବିତର୍କ ପ୍ରତିଯୋଗିତା: ଜୀବନଶୈଳୀରେ ପରିବର୍ତ୍ତନ ଜଳବାୟୁ ସନ୍ତୁଳିତ ହୋଇପାରିବ

ନେପାଳରେ ଘଟିଥିବା ମହାପ୍ରଳୟ ଆମ ପାଇଁ ସତର୍କ ସଙ୍କେତ। ଏବେଠାରୁ ସଜାଗ ନହେଲେ ଭବିଷ୍ୟତରେ ଆମ ମଧ୍ୟ ଘାତକ ମଧ୍ୟକୁ ଠେଲି ହୋଇଯିବା। ଗଛ ଲଗାଇ ମୁଁ ବଞ୍ଚିବି ଏବଂ ଅନ୍ୟମାନଙ୍କୁ ବଞ୍ଚିବାକୁ ଦେବାକୁ ଶପଥ ନେବାକୁ ଶ୍ରୀ ପାତ୍ର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଜଳବାୟୁ ପରିବର୍ତ୍ତନର କାରଣ ଓ ନିରାକରଣକୁ ନେଇ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ନିଜର ମତ ରଖିଥିଲେ। ଆଲୋଚନାଚକ୍ରକୁ ’ସମ୍ବାଦ’ ର ଜୟପୁର ପ୍ରତିନିଧି ଦେବାଶିଷ ସାହୁ ପରିଚାଳନା କରିଥିଲେ। ‘କନକ ନିୟୁଜ’ ର ଜୟପୁର ବ୍ୟୁରୋ ମୁଖ୍ୟ ରମେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.