ARTICLE AD BOX
ନୂଆଦିଲ୍ଲୀ: ଜୁଲାଇରେ କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ହୋଇଥିବା ନିଟ୍ ପ୍ରତିବାଦ ସହ ଜଡ଼ିତ ୧୩ଟି ଏତଲାକୁ ରଦ୍ଦ କରିବା ପାଇଁ ଦିଲ୍ଲୀ ପୁଲିସ ସୋମବାର ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। କେନ୍ଦ୍ର ସରକାରଙ୍କ ଜୁଲାଇ ୨୫ର ନିଷ୍ପତ୍ତି ଅନୁସାରେ ଏହି ମାମଲାଗୁଡ଼ିକରେ ଆଗକୁ ଆଉ କାର୍ଯ୍ୟାନୁଷ୍ଠାନ କରିବାକୁ ଦିଲ୍ଲୀ ପୁଲିସ ଚାହୁନାହିଁ ବୋଲି ଆବେଦନରେ କୁହାଯାଇଛି। ଏହି ଏତଲାଗୁଡ଼ିକରେ ଦଙ୍ଗା, ହତ୍ୟା ଉଦ୍ୟମ ଓ ସରକାରୀ ସମ୍ପତ୍ତି ନଷ୍ଟ ଭଳି ଅଭିଯୋଗ ରହିଛି।
ଏହି ୧୩ଟି ଏତଲା ରଦ୍ଦ କରିବା ପାଇଁ ସମ୍ବିଧାନର ଅନୁଚ୍ଛେଦ ୧୪୨ ଅନୁସାରେ ସୁପ୍ରିମ୍କୋର୍ଟଙ୍କ ସ୍ୱତନ୍ତ୍ର କ୍ଷମତା ବ୍ୟବହାର କରିବାକୁ ପୁଲିସ ଅନୁରୋଧ କରିଛି। ଏଥିସହ ଜୁଲାଇ ୨୦ରୁ ୨୫ ମଧ୍ୟରେ ହୋଇଥିବା ପ୍ରତିବାଦ ସମୟରେ ଉପସ୍ଥିତ ଥିବା ଏବଂ ଗୁରୁତର ଆପରାଧିକ ପୂର୍ବ ରେକର୍ଡ ଥିବା ୨,୮୭୩ ଜଣଙ୍କ ବିରୋଧରେ ନୂଆ ଏତଲା ରୁଜୁ କରିବାକୁ ମଧ୍ୟ ଅନୁମତି ମଗାଯାଇଛି। ଏହି ଲୋକମାନଙ୍କ ମଧ୍ୟରୁ କିଏ ପ୍ରତିବାଦ ସମୟରେ ଶାରୀରିକ କ୍ଷତି କିମ୍ବା ସରକାରୀ ସମ୍ପତ୍ତି ନଷ୍ଟ ଘଟଣାରେ ଜଡ଼ିତ ଥିଲେ, ତାହା ତଦନ୍ତ କରିବାକୁ ପୁଲିସ ଚାହୁଛି। ସୋମବାର ଦିନର ଶୁଣାଣି ଶେଷ ହେବା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଆବେଦନର ତ୍ୱରିତ ଶୁଣାଣି ପାଇଁ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ୱାଧୀନ ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ।
ଆହୁରି ପଢନ୍ତୁ: Relief for SC-ST Students ଏସ୍ସି-ଏସ୍ଟି ଛାତ୍ରଛାତ୍ରୀଙ୍କୁ ପୁଣି ଏକ ସୁବିଧା: ବୃତ୍ତି ଟଙ୍କା ପାଇଲା ପରେ ହେବ ନାମଲେଖା ଓ ଦେବେ ଟିଉସନ୍ ଫି
ଖଣ୍ଡପୀଠରେ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି. ମୋହନା ମଧ୍ୟ ଅଛନ୍ତି। ଖଣ୍ଡପୀଠ ମାମଲାର ଶୁଣାଣି ମଙ୍ଗଳବାର ପାଇଁ ତାଲିକାଭୁକ୍ତ କରିବାକୁ ରାଜି ହୋଇଛନ୍ତି। ପୁଲିସ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ, ଏହି ଆବେଦନରେ ଅନ୍ତର୍ଭୁକ୍ତ ଘଟଣାଗୁଡ଼ିକ ପାଇଁ ଆଗକୁ ଆଉ କୌଣସି ନୂଆ ଏତଲା ରୁଜୁ କରାଯିବ ନାହିଁ। ଏହି ପଦକ୍ଷେପ ସେପ୍ଟେମ୍ବର ୫ରେ ଦିଲ୍ଲୀର ଇଣ୍ଡିଆ ଗେଟ୍ରୁ ପୁଲିସ ମୁଖ୍ୟାଳୟ ପର୍ଯ୍ୟନ୍ତ ସିଜେପି ଘୋଷଣା କରିଥିବା ପ୍ରତିବାଦ ପଦଯାତ୍ରା ପୂର୍ବରୁ ଆସିଛି। ନିଟ୍ ପ୍ରତିବାଦକାରୀଙ୍କ ବିରୋଧରେ ରୁଜୁ ଏତଲା ପ୍ରତ୍ୟାହାର ସିଜେପିର ପ୍ରମୁଖ ଦାବି ମଧ୍ୟରୁ ଗୋଟିଏ।

1 hour ago
1


