Chrome valley: କ୍ରୋମ୍‌ ଉପତ୍ୟକାରେ ବୁଡ଼ିଗଲାଣି ଟ୍ରକ୍‌ ବ୍ୟବସାୟ!

3 hours ago 1
ARTICLE AD BOX

କାଳିଆପାଣି (ରବି ନାରାୟଣ କର): ଦୁର୍ମୂଲ୍ୟ କ୍ରୋମାଇଟ୍‌ ପାଇଁ ବିଶ୍ବ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଯାଜପୁରଜିଲ୍ଲା ସୁକିନ୍ଦା କ୍ରୋମ୍‌ ଉପତ୍ୟକାରେ ବୁଡ଼ି ଗଲାଣି ଟ୍ରକ୍‌ ବ୍ୟବସାୟ। ୨୦୦୦ ମସିହାରୁ ୨ ଦଶନ୍ଧି ଧରି ଖଣିଅଞ୍ଚଳରେ ଟ୍ରକ୍‌ ଦ୍ବାରା କ୍ରୋମ୍‌ ପରିବହନ ପ୍ରମୁଖ ବ୍ୟବସାୟ ଥିଲା। ସ୍ଥାନୀୟ ଯୁବକ ଚାକିରି ପଛରେ ନ’ଗୋଡ଼ାଇ ରୋଜଗାର ପାଇଁ ଟ୍ରକ୍‌ କିଣିବାରେ ଆଗ୍ରହ ପ୍ରକାଶ କରୁଥିଲେ। 

ଯାଜପୁର-କେନ୍ଦୁଝର ରୋଡ଼ ରେଳଷ୍ଟେସନ ଓ ପାରାଦୀପ ବନ୍ଦରରେ ଓଡ଼ିଶା ଖଣି ନିଗମ(ଓଏମ୍‌ସି) ଓ ଟାଟାଷ୍ଟିଲ କମ୍ପାନିର ସ୍ବତନ୍ତ୍ର କ୍ରୋମାଇଟ୍‌ ପ୍ଲଟ୍‌ ଓ ଅଫିସ ରହିଥିଲା। କାଳିଆପାଣିରୁ ଯାଜପୁରରୋଡ଼ ଓ ପାରାଦୀପକୁ ଟ୍ରକ୍‌ ଯୋଗେ କ୍ରୋମ୍ ବୁହା ହେଉଥିଲା। କ୍ରୋମାଇଟ୍‌ ଷ୍ଟାକ୍‌ୟାର୍ଡରୁ ରେଳପଥ ଓ ବନ୍ଦର ବାଟରେ ଦେଶ ଓ ବିଦେଶକୁ କ୍ରୋମାଇଟ୍‌ ରପ୍ତାନୀ କରାଯାଉଥିଲା। ଦୈନିକ ହାରାହାରି ୩୦ ରୁ ୪୦ ହଜାର ହଜାର ମେଟ୍ରିକ୍‌ ଟନ୍‌ କ୍ରୋମ୍‌ ଓର୍‌ ପରିବହନ କରାଯା‌ଉଥିଲା। 

ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଶତାଧିକ ବ୍ୟକ୍ତି ସାଧାରଣ ଟ୍ରକ୍‌ ମାଲିକରୁ କୋଟିପତି ହୋଇପାରିଥିଲେ। ଟ୍ରକ୍‌ ମାଲିକମାନଙ୍କର ସାଧରଣରେ ପ୍ରଭାବ ଓ ପତିଆରା ରହୁଥିଲା। ହେଲେ କରୋନା ପର ଠାରୁ ଟ୍ରକ୍‌ ବ୍ୟବସାୟରୁ ସତେ ଯେମିତି କଳା ହରଣ ହୋଇଗଲା ! ଅନୁକୂଳ ପରିସ୍ଥିତି ସତ୍ତ୍ବେ କୋଭିଡ୍-୧୯ ଟ୍ରକ୍‌ ବ୍ୟବସାୟ ପାଇଁ ଏକ ଖରାପ ସମୟ ଥିଲା। କରୋନା ସମୟରେ ସ୍ବାଭାବିକ କ୍ରୋମ୍‌ ପରିବହନ ଜାରି ରହିଥିଲା। ଖଣିଜ କ୍ଷେତ୍ରରୁ ସର୍ବାଧିକ ଆୟ ସୁଯୋଗ ଥିବାରୁ ସରକାର ଏହାକୁ ପ୍ରାଧାନ୍ୟ ଦେଇଥିଲେ। ତଥାପି ୨୦୨୦ ମସିହାରୁ କ୍ରୋମ୍‌ ପରିବହନ ଓ ଟ୍ରକ୍‌ ବ୍ୟବସାୟ ଖସିଗଲା ଗୋଡ଼ ତଳକୁ ତଳକୁ ହୋଇରହିଛି। 

ଋଣ ଅନାଦେୟ ଅଧିକାଂଶ ବଡ଼ ଟ୍ରକ୍‌କୁ ଫାଇନାନ୍ସ କମ୍ପାନି ଟାଣି ନେଲେଣି। ୧୨ ବର୍ଷ ତଳେ ୫୦ ଲକ୍ଷ ଟଙ୍କା ଦରରେ କିଣାଯାଇଥିବା ବଡ଼ବଡ଼ ଟ୍ରକ୍‌ ୫ ବର୍ଷ ଧରି ରାସ୍ତାକଡ଼ରେ ଖତ ଖାଉଛି। ଏବେ ବେପାର ଓ ଆୟ ଉଦ୍‌ବେଗଜନକ ଭାବେ ୨୫ ରୁ ୩୦ ପ୍ରତିଶତକୁ ଖସିଆସିଛି ବୋଲି ଖଣି ପ୍ରଭାବିତ ଟ୍ରକ୍‌ ମ‌ାଲିକ ସଂଘ(କେପିଟିଓଏ)ର ପୂର୍ବତନ ସଭାପତି କୃତିବାସ ଭଞ୍ଜ କହନ୍ତି। ବର୍ତ୍ତମାନ ଟ୍ରକ୍‌ ମାଲିକମାନେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା କହନ୍ତି କେପିଟିଓଏ ସଭାପତି ବିଶ୍ବଜିତ ମହାନ୍ତି।

Agriculture: କୃଷି ସଚିବ ଆସିବେ ଏସିଆ ମହାଦେଶର ସର୍ବବୃହତ୍ ସୁକିନ୍ଦା ବିହନ ଫାର୍ମ

୨୦୧୯ ମସିହା ପରଠାରୁ ସୁକିନ୍ଦା ବ୍ଲକରେ କୌଣସି ନୂଆ ଟ୍ରକ୍‌ କିଣାଯାଇନଥିବା ଜଣାପଡ଼ିଛି। ୨୦୧୦ ମସିହା ପରେ ପୁରୁଣା ମଡ଼େଲର ୬’ଚକିଆ ଟ୍ରକ୍‌ ଚେସିସ୍ କିଣା ବନ୍ଦ୍ ହୋଇଯାଇଛି। ଖଣିଅଞ୍ଚଳର କୁହିକା, ଡୁବୁରି ଓ ଟୋଲକାନୀରେ ଥିବା ଡାଲାବଡି ଗ୍ୟାରେଜ୍‌ ଆଉ ନାହିଁ। ଜିଲ୍ଲାର ସବୁ ଅଞ୍ଚଳର ପ୍ରତିନିଧିତ୍ବ ଥିବା ସୁକିନ୍ଦା ମିନେରାଲ୍ ଟ୍ରକ୍‌ ଓନର୍ସ 

ଆସୋସିଏସନ୍‌(ଏସ୍‌ଏମ୍‌ଟିଓଏ)ରେ ଏବେ ବଡ଼ ଟ୍ରକ୍‌ସଂଖ୍ୟା ୧୧୫୭ ଓ ୬’ଚକିଆ ସଂଖ୍ୟା ୩୯୬ରେ ସୀମିତ। ୬ ବର୍ଷ ପୂର୍ବରୁ ଏସ୍‌ଏମ୍‌ଟିଓଏରେ ଅଢ଼େଇ ହଜାରରୁ ଅଧିକ ଟ୍ରକ୍‌ ଥିଲା। କୁହିକାସ୍ଥିତ ସୁକିନ୍ଦା କ୍ରୋମାଇଟ୍‌ ଖଣି ଟ୍ରକ୍‌ ମାଲିକ ସଂଘରେ ଟ୍ରକ୍‌ସଂଖ୍ୟା ଅଧାକୁ ଖସି ଆସି ବଡ଼ ଟ୍ରକ୍‌ ସଂଖ୍ୟା ୯୦ ଓ ୬’ଚକିଆ ୧୨୦ ରହିଛି। କୋଳିପଶି ଟ୍ରକ୍‌ ମାଲିକ ସଂଘରେ ୬’ଚକିଆ ସଂଖ୍ୟା ୩ ଶହରୁ ଅଧିକ ଓ ବଡ଼ଗାଡ଼ି ମାତ୍ର ୨୦। କେପିଟିଓଏରେ ବଡ଼ଗାଡ଼ି ୯୬ ଓ ୬’ଚକିଆ ସଂଖ୍ୟା ୨୩୬। ୨୦ ରୁ ୨୫ ବର୍ଷ ତଳର ପୁରୁଣା ୬’ଚକିଆ ଟ୍ରକ୍‌ ସାହାରାରେ କେବଳ ପରିବାର ଗୁଜୁରାଣ ମେଣ୍ଟି ପାରୁଥିବା କୋଳିପଶି ଟ୍ରକ୍‌ ମାଲିକ ସଂଘ ସଭାପତି ଦଶରଥ ମହାନ୍ତ କହନ୍ତି।

ଏ ସଂପର୍କରେ ଯାଜପୁରରୋଡ଼ ସର୍କଲ ଖଣି ଉପନିର୍ଦ୍ଦେଶକ ପବିତ୍ର କୁମାର ସାହୁଙ୍କୁ ପଚରିବାରେ ୨୦୨୦ ମସିହା ଏପ୍ରିଲ ମାସରୁ ଦେଶର ସବୁଠାରୁ ବଡ଼ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣି ବନ୍ଦ୍ ହୋଇଯିବା ସହ ଅଧିକାଂଶ ବଡ଼ଖଣି ସଂତୃପ୍ତି ଅବସ୍ଥାକୁ ଆସିଯାଇଥିବାରୁ କ୍ରୋମ୍‌ ଉତ୍ତୋଳନ ଓ ପରିବହନ ବହୁ ପରିମାଣରେ ହ୍ରାସ ପାଇଥିବା କହନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.