ARTICLE AD BOX
ଭୁବନେଶ୍ୱର: ରାଜ୍ୟର ପ୍ରଗତି ପଥରେ ସବୁଠାରୁ ବଡ଼ ପ୍ରତିବନ୍ଧକ ହେଉଛି ‘ନିଶା’। ଏହାର ମୂଳୋତ୍ପାଟନ ପାଇଁ ରାଜ୍ୟ ସରକାର ସଦା ଚେଷ୍ଟିତ। ‘ନିଶାମୁକ୍ତ ଓଡ଼ିଶା’ କେବଳ ଏକ ଲକ୍ଷ୍ୟ ନୁହେଁ, ବରଂ ଏହା ସରକାରଙ୍କ ବଜ୍ର ଶପଥ। ଶିକ୍ଷାନୁଷ୍ଠାନଗୁଡ଼ିକୁ ନିଶାମୁକ୍ତ ରଖିବାକୁ ସରକାର ‘ଡ୍ରଗ୍ସ ଫ୍ରି କ୍ୟାମ୍ପସ୍’ ଘୋଷଣା କରିଛନ୍ତି। କ୍ୟାମ୍ପସ୍ ପରିସରରେ ନିଶା ସେବନ ଓ ବିକ୍ରି ନିଷିଦ୍ଧ କରାଯାଇଛି। ଆଗାମୀ ଦିନରେ ସ୍କୁଲ ଓ କଲେଜସ୍ତରରେ ସ୍ୱତନ୍ତ୍ର ନିଶା ବିରୋଧୀ ପାଠ୍ୟକ୍ରମ ଆରମ୍ଭ କରାଯିବ। ନିଶାର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ପାଇଁ ଶିକ୍ଷକଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।
ରାଜ୍ୟ ସରକାର ଓ ଆର୍ଟ ଅଫ୍ ଲିଭିଂର ମିଳିତ ଆନୁକୂଲ୍ୟରେ ଯୁବ ମହୋତ୍ସବ ‘ଉମଙ୍ଗ’ କଳିଙ୍ଗ ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଓଡ଼ିଶାର ୩୦ଟି ଜିଲ୍ଲାରେ ପହଞ୍ଚିସାରିଛି। ଏଯାବତ୍ ୧୬ଲକ୍ଷ ଯୁବକଯୁବତୀଙ୍କ ସମେତ ପ୍ରାୟ ୩୮ଲକ୍ଷ ଲୋକଙ୍କୁ ଏହି ସଚେତନତା ଅଭିଯାନରେ ସାମିଲ କରାଯାଇଛି। ରାଜ୍ୟ ସରକାରଙ୍କ ‘ଦିଶା’ ଯୋଜନାରେ ୧୦ଟି ଜିଲ୍ଲାର ୧୧ଟି କେନ୍ଦ୍ରରେ ୧୨,୨୨୭ଜଣ ନିଶାସକ୍ତ ବ୍ୟକ୍ତିଙ୍କୁ ଆବାସିକ ପୁନର୍ବାସ ସେବା ଯୋଗାଇ ଦିଆଯାଇଛି। ନିଶାମୁକ୍ତ ଅଭିଯାନକୁ ବ୍ୟାପକ କରିବାକୁ ୨୦୨୫-୨୬ ଆର୍ଥିକ ବର୍ଷରେ ୧୪କୋଟି ଟଙ୍କା ଓ ୨୦୨୬-୨୭ ଆର୍ଥିକ ବର୍ଷରେ ୧୬.୪୧କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।
ନିଶା ନୁହେଁ, ଧ୍ୟାନ ଓ ଯୋଗରେ ମିଳେ ଜୀବନର ପ୍ରକୃତ ଆନନ୍ଦ: ଶ୍ରୀଶ୍ରୀ ରବିଶଙ୍କର
ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ଯୁବପିଢ଼ି ନୂଆ ଭାରତ ଓ ସମୃଦ୍ଧ ଓଡ଼ିଶା ନିର୍ମାଣର ପ୍ରକୃତ ସାରଥି। ଆଜିର ଯୁବସମାଜ ଅସମ୍ଭବକୁ ସମ୍ଭବ କରି ଦେଖାଇବାର ସାମର୍ଥ୍ୟ ରଖନ୍ତି। ଅରାଜକତା ନୁହେଁ, ବରଂ ବିଚାରବିମର୍ଶ ଓ ଲୋକତନ୍ତ୍ରରେ ବିଶ୍ୱାସ ରଖନ୍ତି। ସେମାନଙ୍କ ମନରେ ସାଂସ୍କୃତିକ ରାଷ୍ଟ୍ରବାଦ ଭରି ରହିଛି। ‘ବିକଶିତ ଭାରତ’ ସଂକଳ୍ପକୁ ସାକାର କରିବାରେ ଓଡ଼ିଶାର ଯୁବଶକ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ‘ଦି ଆର୍ଟ ଅଫ୍ ଲିଭିଂ’ ଓ ଶ୍ରୀଶ୍ରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ‘ଡ୍ରଗ୍ସ ଫ୍ରି ଇଣ୍ଡିଆ ମୁଭମେଣ୍ଟ’ର ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଥିଲେ, ଧ୍ୟାନ, ଯୋଗ, ପ୍ରାଣାୟାମ ଓ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ, ମନକୁ ପ୍ରଫୁଲ୍ଲ ଓ ସକ୍ରିୟ ରଖିବାରେ ସହାୟକ ହୋଇଥାଏ।
ଯୁବପିଢ଼ି ସମୃଦ୍ଧ ଓଡ଼ିଶା ନିର୍ମାଣର ପ୍ରକୃତ ସାରଥି
ଆଗକୁ ସ୍କୁଲ, କଲେଜରେ ନିଶାବିରୋଧୀ ପାଠ୍ୟକ୍ରମ
Cyclone: ମାସକ ମଧ୍ୟରେ ବଙ୍ଗୋପସାଗରରେ ୩ ବାତ୍ୟା, ଏଲ୍ନିନୋର ପ୍ରଭାବ!
‘ଦି ଆର୍ଟ ଅଫ୍ ଲିଭିଂ’ର ମୁଖ୍ୟ ତଥା ଅଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କର କହିଥିଲେ, ଜୀବନରେ ପ୍ରକୃତ ଆନନ୍ଦ ଓ ଉତ୍ସାହ ବାହ୍ୟ କ୍ଷତିକାରକ ନିଶା ଦ୍ରବ୍ୟରୁ ନୁହେଁ, ବରଂ ନିଜ ଭିତରର ଆତ୍ମଶକ୍ତି, ଆତ୍ମଚିନ୍ତନ, ଧ୍ୟାନ ଓ ଯୋଗରୁ ମିଳିଥାଏ। ଯୁବସମାଜ ନିଜର ଅସୀମ ଶକ୍ତିକୁ ରାଷ୍ଟ୍ର ନିର୍ମାଣ ଓ ସମାଜ ସେବାରେ ବିନିଯୋଗ କରିବା ଉଚିତ। ଧ୍ୟାନ, ପ୍ରାଣାୟାମ ଓ ସୁଦର୍ଶନ କ୍ରିୟା ଭଳି ଆଧ୍ୟାତ୍ମିକ ଅଭ୍ୟାସ ମନକୁ ଚାପମୁକ୍ତ ଓ ପ୍ରଫୁଲ୍ଲ ରଖିବା ସହ ଏକ ନିଶାମୁକ୍ତ, ଶାନ୍ତିପୂର୍ଣ୍ଣ ଓ ସୁସ୍ଥ ସମାଜ ଗଠନରେ ବଡ଼ ମାଧ୍ୟମ ହୋଇପାରିବ ବୋଲି ସେ କହିଥିଲେ। ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ସୁସ୍ଥ ସମାଜ ଗଠନ ପାଇଁ ଯୁବ ସମାଜ ଦୃଢ଼ ସଂକଳ୍ପ ନେବାକୁ ଆହ୍ବାନ ଦେଇଥିଲେ। ଆଜିର ଯୁବଗୋଷ୍ଠୀ ହିଁ ପ୍ରକୃତ ପରିବର୍ତ୍ତନର ବାହକ ବୋଲି ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏକ ସୁସ୍ଥ, ନିଶାମୁକ୍ତ ଓ ବିକଶିତ ଓଡ଼ିଶା ଗଠନ ପାଇଁ ସାମୂହିକ ଶପଥ ପାଠ କରାଇଥିଲେ।

28 minutes ago
1


