ARTICLE AD BOX
ତେହେରାନ୍/ମସ୍କଟ୍: ଓମାନ ଉପକୂଳ ନିକଟସ୍ଥ ପୂର୍ବ ହର୍ମୁଜ୍ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ ବିସ୍ଫୋରଣ ଘଟି ଏକ ତୈଳବାହୀ ଜାହାଜରେ ନିଆଁ ଲାଗିଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ରଣନୈତିକ ଜଳପଥରେ ଏହା ଚତୁର୍ଥ ଜାହାଜ ଆକ୍ରମଣ ବୋଲି ''ୟୁକେ ମେରିଟାଇମ୍ ଟ୍ରେଡ୍ ଅପରେସନ୍ସ'' ପକ୍ଷରୁ ସୂଚନା ଦିଆଯାଇଛି। ବିସ୍ଫୋରଣରେ ଜାହାଜଟିର ଇଞ୍ଜିନ୍ ରୁମରେ ନିଆଁ ଲାଗିଯିବାରୁ ଏହା ସମୁଦ୍ର ମଝିରେ ଅଚଳ ହୋଇପଡ଼ିଛି। ତେବେ ଜାହାଜରେ ଥିବା ସମସ୍ତ ନାବିକ ସୁରକ୍ଷିତ ଥିବା ବେଳେ ଇରାନ ନୌସେନା ମଧ୍ୟ ଜାହାଜଟିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ସ୍ୱୀକାର କରିଛି।
ଇରାନର ସରକାରୀ ଗଣମାଧ୍ୟମରେ ଜାରି ଏକ ବିବୃତ୍ତିରେ ଇରାନ ନୌସେନା ସ୍ପଷ୍ଟ କରିଛି ଯେ, ସମ୍ପୃକ୍ତ ତୈଳବାହୀ ଜାହାଜଟି ନିଜର ନାଭିଗେସନ୍ ସିଷ୍ଟମ୍ ବନ୍ଦ କରି ନିଷିଦ୍ଧାଞ୍ଚଳ ଦେଇ ବେଆଇନ ଭାବେ ଯାତ୍ରା କରୁଥିଲା। ସାମୁଦ୍ରିକ ନିୟମ ଉଲ୍ଲଂଘନ କରି ଏବଂ ସଶସ୍ତ୍ର ବାହିନୀର ବିନା ଅନୁମତିରେ ଏହି ଅଞ୍ଚଳରେ ପ୍ରବେଶ କଲେ ଏଭଳି ମାଇନ୍ ବିସ୍ଫୋରଣର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନୌସେନା କଡ଼ା ଚେତାବନୀ ଦେଇଛି। ନିରାପଦ ଯାତାୟାତ ପାଇଁ ତେହେରାନ୍ ପକ୍ଷରୁ ନିର୍ଦ୍ଧାରିତ ଜଳପଥ ବ୍ୟବହାର କରିବାକୁ ସମସ୍ତ ଜାହାଜ ଚଳାଚଳକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।
Strait of Hormuz: ହର୍ମୁଜ୍ ପ୍ରଣାଳୀରେ ମାଇନ୍ ବିସ୍ଫୋରଣ: ନିଆଁ ଲାଗି ତୈଳବାହୀ ଜାହାଜ କ୍ଷତିଗ୍ରସ୍ତ
ସୂଚନାଯୋଗ୍ୟ ଯେ, ଏହି ଅଘଟଣର ଗୋଟିଏ ଦିନ ପୂର୍ବରୁ ଓମାନ ଉପକୂଳରୁ ମାତ୍ର ତିନି ନଟିକାଲ ମାଇଲ୍ ଦୂରରେ ପାନାମା ପତାକାଧାରୀ ''ଅନ୍ ଫିନିକ୍ସ'' ନାମକ ଏକ ତୈଳବାହୀ ଜାହାଜ ଉପରେ ଅଜ୍ଞାତ କ୍ଷେପଣାସ୍ତ୍ର ମାଡ଼ ହେବାରୁ ନିଆଁ ଲାଗିଯାଇଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ମଧ୍ୟ ନିଷିଦ୍ଧ ମାର୍ଗ ଦେଇ ଅତିକ୍ରମ କରୁଥିବା ଅନ୍ୟ ଦୁଇଟି ତୈଳବାହୀ ଜାହାଜ ମାଇନ୍ ବିସ୍ଫୋରଣର ଶିକାର ହୋଇଥିଲେ। ଚଳିତ ବର୍ଷ ଫେବୃଆରୀ ମାସରେ ଆମେରିକା ଓ ଇସ୍ରାଏଲ୍ ସହ ଇରାନର ସାମରିକ ସଂଘର୍ଷ ଆରମ୍ଭ ହେବା ପରଠାରୁ ବିଶ୍ୱ ତୈଳ ବାଣିଜ୍ୟର ପ୍ରମୁଖ କେନ୍ଦ୍ର ହର୍ମୁଜ୍ ପ୍ରଣାଳୀରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି।

12 minutes ago
1


