ARTICLE AD BOX
ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ରାଜ୍ୟରେ ବିଶେଷତଃ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ହୋଇଥିବା କ୍ଷୟକ୍ଷତି ବ୍ୟାପକ ହୋଇଛି। ଏହାର ସମ୍ପୂର୍ଣ୍ଣ ଆକଳନ ନିମନ୍ତେ ଆହୁରି ୭-୮ ଦିନ ସମୟ ଲାଗିବ ବୋଲି ଓଡ଼ିଶା ଗସ୍ତରେ ଥିବା କେନ୍ଦ୍ରୀୟ ଟିମ୍ ରାଜ୍ୟସରକାରଙ୍କୁ ଜଣାଇଛନ୍ତି।
କେନ୍ଦ୍ର ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ରବିଶଙ୍କରଙ୍କ ନେତୃତ୍ୱରେ ଆସିଥିବା ୮ ଜଣିଆ ଟିମ୍ ଗଞ୍ଜାମ ଓ ଗଜପତିଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଆକଳନ କରିବା ପରେ ଆଜି (ଗୁରୁବାର) ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ଭେଟିଛନ୍ତି। ଏହି ଅବସରରେ, ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ପ୍ରାରମ୍ଭିକ ଆକଳନ କରାଯାଇ ରିଲିଫ ଓ ରିଷ୍ଟୋରେସନ ପାଇଁ କେନ୍ଦ୍ର ସରକାରଙ୍କୁ ଏକ ଦାବିପତ୍ର ଦିଆଯାଇଛି।
ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ବନ୍ୟା, ବାତ୍ୟା ଓ ଗ୍ରୀଷ୍ମ ପ୍ରବାହ ଆଦି ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଆସୁଛି। ଏହାଦ୍ୱାରା ରାଜ୍ୟର ବିକାଶ କାମ ବାଧାପ୍ରାପ୍ତ ହେଉଛି। ତେଣୁ, କେନ୍ଦ୍ରୀୟ ଟିମ୍ ତାଙ୍କ ରିପୋର୍ଟରେ ତତ୍କାଳ ରିଲିଫ ଓ ପୁନନିର୍ମାଣ ପାଇଁ ସହାୟତା ସହିତ ଏହାର ସ୍ଥାୟୀ ପ୍ରତିକାର ଉପରେ ଗୁରୁତ୍ୱ ଦେବାକୁ ମତ ଦେଇଥିଲେ।
8-Member Central Team ବାତ୍ୟା ‘ଅର୍ଣ୍ଣବ’କ୍ଷୟକ୍ଷତିର ଆକଳନ: ନଭେମ୍ବର ୨ରେ ଆସିବେ କେନ୍ଦ୍ରୀୟ ଆନ୍ତଃମନ୍ତ୍ରଣାଳୟସ୍ତରୀୟ ଟିମ୍
ଟିମ୍ର ମୁଖ୍ୟ ରବିଶଙ୍କର ଟିମ୍ର ଗସ୍ତ ଓ ଆକଳନ ସମ୍ପର୍କରେ ସମ୍ୟକ ତଥ୍ୟ ରଖି କହିଥିଲେ, ସେମାନେ ଗଞ୍ଜାମ ଓ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ବାସ୍ତବିକ ବନ୍ୟା ଯୋଗୁଁ ଜନସାଧାରଣଙ୍କ ଉପରେ ବ୍ୟାପକ ପ୍ରଭାବ ପଡିଛି । ଗଞ୍ଜାମରେ ଋଷିକୁଲ୍ୟା ନଦୀରୁ ପାଣି ମାଡି ଆସିବା ଦ୍ୱାରା ଅନେକ ଅଞ୍ଚଳରେ ବାଲିଚର ମାଡ଼ି ଯାଇଛି। ଚାଷଜମି ସହିତ ରାସ୍ତା ଘାଟ, ଘର ଦ୍ୱାର, କାର୍ଯ୍ୟାଳୟ ଇତ୍ୟାଦିରେ ବାଲି ଚରିଯାଇଛି। ଅନେକ ସ୍ଥାନରେ ଘର ଭାଙ୍ଗି ନଥିଲେ ମଧ୍ୟ ଏହା ଦୁର୍ବଳ ହୋଇଯାଇଛି। ଦୀର୍ଘକାଳୀନ ଭିତ୍ତିରେ ଋଷିକୁଲ୍ୟା ନଦୀରୁ ବାଲି ଓ ମାଟି ଉଦ୍ଧାର କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ବ୍ୟାପକ ବିପର୍ଯ୍ୟୟ ଯୋଗୁ କ୍ଷୟକ୍ଷତିର ସମ୍ପୂର୍ଣ୍ଣ ଆକଳନ କରିବା ପାଇଁ ୭/୮ ଦିନ ସମୟ ଲାଗିବ।
Central Team: ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଗଜପତିରେ କେନ୍ଦ୍ରୀୟ ଟିମ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ
ବାତ୍ୟା ଓ ବନ୍ୟା ପରେ ରାଜ୍ୟ ସରକାର ଦ୍ରୁତ ଗତିରେ ରିଲିଫ ଓ ପୁନରୁଦ୍ଧାର କାମ କରିଛନ୍ତି ବୋଲି ମତ ଦେଇ ଶ୍ରୀ ରବିଶଙ୍କର ଓଡିଶା ସରକାରଙ୍କ ପ୍ରଶଂସା କରିଥିଲେ। ରାସ୍ତା ଘାଟ ପ୍ରାୟତଃ ଗମନାଗମନ ଉପଯୋଗୀ ହୋଇସାରିଛି ଏବଂ ବିଦ୍ୟୁତ ସରବରାହ ପୁନସ୍ଥାପନ କରାଯାଇଛି ବୋଲି ସେ କହିଥିଲେ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ, ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ୍ ଓ କେନ୍ଦ୍ରୀୟ ଟିମ୍ର ସଦସ୍ୟଗଣ ଉପସ୍ଥିତ ଥିଲେ।

47 minutes ago
2


