ARTICLE AD BOX
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଆହ୍ବାନ ହେଉଛି ପରିମଳ। କିନ୍ତୁ କିଛି ମାସ ହେବ, ଏ କ୍ଷେତ୍ରରେ ଅଚଳାବସ୍ଥା ଦେଖାଦେଇଛି। ପ୍ରମୁଖ ରାସ୍ତାଘାଟଠାରୁ ଆରମ୍ଭ କରି ଗଳିକନ୍ଦି ଆଜି କୁଢ଼ କୁଢ଼ ଆବର୍ଜନାରେ ଭରି ଗଲାଣି। ଯାହାର ପ୍ରମୁଖ କାରଣ ସାଜିଛି ରାସ୍ତାଘାଟ ସଫେଇ। ଯେଉଁ ସଂସ୍ଥାମାନେ ଏହି ଦାୟିତ୍ବ ମୁଣ୍ଡାଇଛନ୍ତି, ସେମାନଙ୍କ ଟେଣ୍ଡର ଅବଧି ସରିଯାଇଛି ଓ ଟେଣ୍ଡର ସଂପ୍ରସାରଣରେ ଚାଲିଛି। ଏମାନେ ନିୟମିତ ରାସ୍ତାଘାଟ ସଫେଇ ପ୍ରତି ମନଧ୍ୟାନ ଦେଉନାହାନ୍ତି। ସେପଟେ ପ୍ରାୟ ୯୫ କୋଟି ଟଙ୍କାର ନୂଆ ଟେଣ୍ଡରକୁ ବି ୪ ମାସ ହେଲାଣି ଝୁଲାଇ ରଖାଯାଇଛି। ପରିଣାମ ସ୍ବରୂପ ରାସ୍ତାଘାଟରେ ଝାଡ଼ୁ ବାଜୁନି କି ଅଳିଆ ଉଠୁନି।
ବିଏମ୍ସି ପ୍ରତି ୩ବର୍ଷରେ ଥରେ ରାସ୍ତାଘାଟ ସଫେଇ ଟେଣ୍ଡର କରିଥାଏ। ୩ ବର୍ଷ ତଳେ ଯେଉଁ ଏଜେନ୍ସିମାନେ ରାସ୍ତାଘାଟ ସଫେଇର ଟେଣ୍ଡର ପାଇଥିଲେ, ସେମାନଙ୍କ ଟେଣ୍ଡର ଅବଧି ଶେଷ ପରେ ନୂଆ ଟେଣ୍ଡର ହେଲା। ଯେହେତୁ ଟେଣ୍ଡର ବିଳମ୍ବ ହେଲା, ପୁରୁଣା ଏଜେନ୍ସିଙ୍କ ଟେଣ୍ଡର ଅବଧି ୬ ମାସ ସଂପ୍ରସାରଣ କରାଗଲା। ଇତିମଧ୍ୟରେ କର୍ପୋରେସନ୍ ନୂଆ ଟେଣ୍ଡରକୁ ମଞ୍ଜୁରି ପରେ ନଗର ଉନ୍ନୟନ ବିଭାଗକୁ ଏହାର ଚୂଡ଼ାନ୍ତ ମଞ୍ଜୁରି ପାଇଁ ପଠାଇଛି। ଏହି ଫାଇଲ୍ ପଠାଯିବା, ୪ ମାସ ବିତିଗଲାଣି, କିନ୍ତୁ ନାନାଦି ଆଳ ଦେଖାଇ ନଗର ଉନ୍ନୟନ ବିଭାଗ ଟେଣ୍ଡରକୁ ଝୁଲାଇ ରଖିଛି।
ଆବର୍ଜନାରେ ଭରିଗଲାଣି ଗଳିକନ୍ଦି
୪ ମାସ ହେଲାଣି ଗଡ଼ାଇ ଚାଲିଛି ନଗର ଉନ୍ନୟନ ବିଭାଗ
ବର୍ଷେ ହେଲାଣି ପୁରୁଣା ଏଜେନ୍ସିଙ୍କ ଅବଧି ସଂପ୍ରସାରଣ ହୋଇ ଚାଲିଛି
ବିଏମ୍ସି ଅଞ୍ଚଳର ପ୍ରାୟ ୨ଶହ ବର୍ଗ କିଲୋମିଟର ଅଞ୍ଚଳର ରାସ୍ତାଘାଟ ସଫେଇ ଲୋକବଳ ଜରିଆରେ କରାଯାଉଛି। ବିଏମ୍ସି ଚଳିତବର୍ଷ ମେ ମାସରେ ରାସ୍ତାଘାଟ ସଫେଇର ନୂଆ ଟେଣ୍ଡର କରିଥିଲା। ୬୭ ୱାର୍ଡକୁ ୬ଟି ପ୍ୟାକେଜ୍ରେ ବଣ୍ଟାଯାଇଥିଲା। ବାର୍ଷିକ ହିସାବରେ ଲାୟନ୍ସ ପ୍ୟାକେଜ୍-୧(୧୨ଟି ୱାର୍ଡ) ୨୯.୮୮ କୋଟି ଟଙ୍କା ଓ ପ୍ୟାକେଜ-୬(୧୦ଟି ୱାର୍ଡ) ୧୬.୫୬ କୋଟି ଟଙ୍କା, ଜାଗୃତି ପ୍ୟାକେଜ-୩(୧୨ଟି ୱାର୍ଡ) ୧୮.୭୬ କୋଟି ଟଙ୍କା ଓ ପ୍ୟାକେଜ-୫(୯ଟି ୱାର୍ଡ) ୧୩.୪୬ କୋଟି ଟଙ୍କା, ଗ୍ରିନ୍ ସର୍କଲ୍ ପ୍ୟାକେଜ-୨(୧୨ଟି ୱାର୍ଡ) ୨୩.୬୬ କୋଟି ଟଙ୍କା ଓ ପିଏମ୍ଆର ପ୍ୟାକେଜ-୪(୧୨ଟି ୱାର୍ଡ) ୨୬.୯୭ କୋଟି ଟଙ୍କାରେ ଟେଣ୍ଡର ପାଇଛନ୍ତି। ୩ ବର୍ଷ ପାଇଁ ଏହି ଟେଣ୍ଡର କରାଯାଇଛି।
ଯେହେତୁ ଟେଣ୍ଡରକୁ ନଗର ଉନ୍ନୟନ ବିଭାଗର ମଞ୍ଜୁରି ମିଳିନି, ଏଣୁ ପୂର୍ବଭଳି ପୁରୁଣା ଏଜେନ୍ସିଙ୍କ କାର୍ଯ୍ୟ ଅବଧି ସଂପ୍ରସାରଣ କରି ରାସ୍ତାଘାଟ ସଫେଇର କାମଚଳା ଦାୟିତ୍ବ ନିର୍ବାହ କରାଯାଉଛି। ଅସହାୟ ବିଏମ୍ସି ପ୍ରଥମେ ୬ ମାସ ଓ ପରେ ଆଉ ୬ ମାସ, ଏଭଳି ବର୍ଷେ ହେଲାଣି ପୁରୁଣା ଏଜେନ୍ସିଙ୍କ କାର୍ଯ୍ୟ ଅବଧି ବଢ଼ାଇ ରାସ୍ତାଘାଟ ସଫେଇ କରୁଛି।
ବଡ଼କଥା ହେଉଛି, ଯେଉଁ ନୂଆ ଟେଣ୍ଡର ହୋଇଥିଲା, ସେଥିରେ ପୁରୁଣା ଏଜେନ୍ସିମାନେ ଭାଗ ନେଇଥିଲେ ବି କିଛି ଏଜେନ୍ସି ବାଦ୍ ପଡ଼ିଛନ୍ତି। ଯେଉଁମାନେ ନୂଆ ଟେଣ୍ଡରରେ ନାହାନ୍ତି, ପୁରୁଣା ଟେଣ୍ଡର ସଂପ୍ରସାରଣ ପରେ ବି କାମରେ ମନଧ୍ୟାନ ଦେଉନାହାନ୍ତି। ବିଏମ୍ସି ଏମାନଙ୍କୁ ଜରିମାନା କରୁଥିଲେ ବି ଫଳ ମିଳୁନି। ଯାହାର ସିଧାସଳଖ ପ୍ରଭାବ ଭୁବନେଶ୍ବରର ପରିବେଶ ଓ ଜନସାଧାରଣଙ୍କୁ ପ୍ରଭାବିତ କରୁଛି।
ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର କହିଛନ୍ତି, ଯେହେତୁ ଏହି ଟେଣ୍ଡର ୧୦୦ କୋଟିରୁ ଅଧିକ ଥିଲା, ଏଥିରେ କ୍ୟାବିନେଟ୍ ମୋହର ଆବଶ୍ୟକ ଥିଲା। ମାତ୍ର ୬ ପ୍ୟାକେଜ୍ର ଟେଣ୍ଡର ୯୫କୋଟି ଟଙ୍କାରହିଛି। ଏଣୁ କ୍ୟାବିନେଟ୍ ମଞ୍ଜୁରି ଆବଶ୍ୟକ ନାହିଁ। ନଗର ଉନ୍ନୟନ ବିଭାଗ ଅନୁମୋଦନ କଲେ, କାମ ଆରମ୍ଭ ହେବ। ନଗର ଉନ୍ନୟନ ବିଭାଗ ଯଥାଶୀଘ୍ର ଏହାକୁ ମଞ୍ଜୁର କରିବାକୁ ସେ ଅନୁରୋଧ କରିଛନ୍ତି।

1 hour ago
2


