ARTICLE AD BOX
ଓଟାୱା: କାନାଡାରେ ଚାରୋଟି ଗ୍ରିଜଲି ଭାଲୁଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି। ସେମାନଙ୍କ ମଧ୍ୟରେ ଏକ ମାଈ ଭାଲୁ ଏବଂ ତାର ତିନୋଟି ଏକ ବର୍ଷର ଶାବକ ରହିଛନ୍ତି। ବନ୍ୟପ୍ରାଣୀ ଅଧିକାରୀମାନେ କହିଛନ୍ତି ଯେ, ପଶ୍ଚିମ କାନାଡାରେ ଧରାପଡ଼ିଥିବା ଚାରୋଟି ଗ୍ରିଜଲି ଭାଲୁ ଚଳିତ ମାସରେ ଜଣେ ମା’ ଏବଂ ତାଙ୍କ ଝିଅର ମୃତ୍ୟୁ ପାଇଁ ଦାୟୀ ଥିଲେ। ଗ୍ରିଜଲି ଭାଲୁ ହେଉଛି ଏକ ବଡ଼ ମାଟିଆ ଭାଲୁ ପ୍ରଜାତି ଯାହା ଉତ୍ତର ଆମେରିକାର ଉଚ୍ଚଭୂମି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ଦେଖାଯାଏ। ଏହାର ମାଟିଆ କେଶର ଅଗ୍ରଭାଗ ଧଳା ହାଲୁକା ରଙ୍ଗର।
ସାର୍ବଜନୀନ ସୁରକ୍ଷା ପାଇଁ ହତ୍ୟା
ବ୍ରିଟିଶ କଲମ୍ବିଆ ସଂରକ୍ଷଣ ଅଧିକାରୀ ସେବା କହିଛି ଯେ, ଡିଏନଏ ପରୀକ୍ଷା ଦ୍ୱାରା ନିଶ୍ଚିତ ହୋଇଥିଲା ଯେ, ମାଈ ଗ୍ରିଜଲି ଭାଲୁ ଏବଂ ତିନି ଶାବକ ୪୮ ବର୍ଷୀୟ ଜେନି ବାଲକାର୍ସ ଏବଂ ତାଙ୍କ ୨୦ ବର୍ଷୀୟ ଝିଅ ସେଲା ରିଡଙ୍କୁ ମାରିଥିଲେ। ଚାରି ଭାଲୁଙ୍କୁ ସାର୍ବଜନୀନ ସୁରକ୍ଷା ପାଇଁ ହତ୍ୟା କରାଯାଇଛି ବୋଲି ଇନ୍ସପେକ୍ଟର ଜେଫ୍ ଟାୟାର ଏକ ଅନଲାଇନ୍ ବ୍ରିଫିଂରେ କହିଛନ୍ତି। ଭାନକୁଭରର ପ୍ରାୟ ୧,୦୦୦ କିଲୋମିଟର ଉତ୍ତରରେ ଏକ ଦୁର୍ଗମ ଅଞ୍ଚଳ ନିକଟରେ ମା’ ଏବଂ ଝିଅଙ୍କ ଶରୀର ମିଳିଥିଲା। ସେମାନଙ୍କ ମୃତଦେହ ମଧ୍ୟରେ ଦୂରତା ପ୍ରାୟ ୧୫୦ ମିଟର ଥିଲା। ଶନିବାର ରାତିରେ ରିଡ୍ ତାଙ୍କ ଭଉଣୀଙ୍କୁ ଫୋନ୍ ନ କରିବାରୁ ପରିବାର ସଦସ୍ୟମାନେ ସନ୍ଦେହ କରିଥିଲେ। କାରଣ ଦୁହେଁ ପ୍ରତିଦିନ କଥାବାର୍ତ୍ତା ହେଉଥିଲେ। ସନ୍ଧାନକାରୀମାନେ ପ୍ରଥମେ ମା’ଙ୍କ ମୃତଦେହ ପାଇଥିଲେ, ଏବଂ ତା’ପରେ ରିଡ୍ଙ୍କ ମୃତଦେହ ଏପରି ଏକ ସ୍ଥାନରେ ପାଇଥିଲେ ଯେଉଁଠାରେ ଭାଲୁ ଖାଦ୍ୟ ସଂରକ୍ଷଣ କରନ୍ତି।
ବର୍ଷର ଏହି ସମୟରେ ଗ୍ରିଜଲି ଭାଲୁ ଆକ୍ରମଣାତ୍ମକ ହୋଇପାରେ, କାରଣ ସେମାନେ ଶୀତକାଳୀନ ଶୀତନିଦ୍ରା ପୂର୍ବରୁ ମେଦ ବୃଦ୍ଧି କରିଥାନ୍ତି। ତେଣୁ ବେଳେବେଳେ ଖାଦ୍ୟ ସନ୍ଧାନରେ ହିଂସ୍ର ହୋଇପଡ଼ିଥାନ୍ତି। ଗତ ନଭେମ୍ବରରେ, ସେହି ଅଞ୍ଚଳର ଏକ ସ୍କୁଲ ଗୋଷ୍ଠୀ ଉପରେ ଏକ ଭାଲୁ ଆକ୍ରମଣ କରିଥିଲା। ଯେଉଁଥିରେ ପିଲାମାନଙ୍କ ସମେତ ୧୧ ଜଣ ଆହତ ହୋଇଥିଲେ। ସାମ୍ପ୍ରତିକ ଆକ୍ରମଣରେ ଚିହ୍ନଟ ହୋଇଥିବା ଚାରିଟି ଭାଲୁ ସେହି ପୂର୍ବ ଆକ୍ରମଣରେ ସାମିଲ ନଥିଲେ ବୋଲି ଇନ୍ସପେକ୍ଟର ଜେଫ୍ ଟାୟାର କହିଛନ୍ତି। ଘାତକ ଆକ୍ରମଣରେ ସାମିଲ ଥିବା ଭାଲୁଗୁଡ଼ିକୁ ପୁନର୍ବାସ କିମ୍ବା ସ୍ଥାନାନ୍ତର କରାଯାଇପାରିବ ନାହିଁ କାରଣ ସେମାନେ ଜନସାଧାରଣଙ୍କ ସୁରକ୍ଷା ପାଇଁ ଅତ୍ୟଧିକ ବିପଦ ସୃଷ୍ଟି କରିଥିଲେ।

1 day ago
2


