ARTICLE AD BOX
ନୂଆଦିଲ୍ଲୀ: କାନାଡାରେ ଭିସା ଓ ପ୍ରବାସୀ ନିୟମ କଡ଼ାକଡ଼ି ହେବା ପରେ ସେଠାରୁ ଭାରତୀୟ ନାଗରିକମାନଙ୍କୁ ବେଦଖଲ କରି ଦେଶରୁ ବାହାର କରାଯିବା ପ୍ରକ୍ରିୟାରେ ଏକ ବଡ଼ ବୃଦ୍ଧି ଘଟିଛି। ଚଳିତ ୨୦୨୬ ମସିହାର ପ୍ରଥମ ୬ ମାସ ଅର୍ଥାତ୍ ଜାନୁଆରିରୁ ଜୁନ୍ ମଧ୍ୟରେ ଓଟାୱା ପ୍ରଶାସନ ୩,୩୨୩ ଜଣ ଭାରତୀୟଙ୍କୁ ନିଜ ଦେଶରୁ ବାହାର କରିସାରିଛି। ୨୦୨୫ରେ ମୋଟ ୩,୭୭୯ ଭାରତୀୟଙ୍କୁ ବିତାଡ଼ିତ କରାଯାଇଥିବା ବେଳେ ଚଳିତ ବର୍ଷ ପ୍ରଥମ ୬ ମାସର ଏହି ସଂଖ୍ୟା ଗତ ବର୍ଷର ମୋଟ ସଂଖ୍ୟାର ପ୍ରାୟ ୮୮ ପ୍ରତିଶତ ଅଟେ। ଯଦି ଏହି ଗତି ଜାରି ରହେ, ତେବେ ଗତ ୬ ବର୍ଷ ମଧ୍ୟରେ ୨୦୨୬ ମସିହା ଭାରତୀୟଙ୍କ ବହିଷ୍କାର ମାମଲାରେ ସବୁଠାରୁ ବଡ଼ ବର୍ଷ ସାବ୍ୟସ୍ତ ହେବ। ଏହି ସଂଖ୍ୟା ଗତ କିଛି ବର୍ଷର ପରିସଂଖ୍ୟାନ ତୁଳନାରେ ଅତ୍ୟନ୍ତ ଚିନ୍ତାଜନକ ରହିଛି।
କାନାଡାରୁ ୨୦୨୧ ମସିହାରେ ୬୦୩, ୨୦୨୨ ମସିହାରେ ୭୮୬, ୨୦୨୩ ମସିହାରେ ୧,୧୩୨ ଏବଂ ୨୦୨୪ ମସିହାରେ ୨,୦୦୪ ଜଣ ଭାରତୀୟଙ୍କୁ ବିତାଡ଼ିତ କରାଯାଇଥିଲା। ଅର୍ଥାତ୍ ଗତ ୪ ବର୍ଷର କୌଣସି ଗୋଟିଏ ବର୍ଷର ମୋଟ ସଂଖ୍ୟା ତୁଳନାରେ ୨୦୨୬ର ପ୍ରଥମ ୬ ମାସରେ ଅଧିକ ଭାରତୀୟଙ୍କୁ ଦେଶାନ୍ତରିତ କରାଯାଇଛି। ଏହା ସହିତ କାନାଡାରୁ ବେଦଖଲ ହେବାରେ ଭାରତୀୟମାନେ ମେକ୍ସିକୋକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ମେକ୍ସିକୋର ୧,୫୭୩ ନାଗରିକଙ୍କୁ କାନାଡାରୁ ବିତାଡ଼ିତ କରାଯାଇଛି। ଗତ ପାଞ୍ଚ ବର୍ଷ ଧରି ମେକ୍ସିକୋ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ଥିଲା। ଏହା ପୂର୍ବରୁ ୨୦୨୦ ମସିହାରେ ଭାରତୀୟମାନେ ୧,୪୨୪ ସଂଖ୍ୟା ସହ ପ୍ରଥମ ସ୍ଥାନରେ ଥିଲେ।
ଆହୁରି ପଢନ୍ତୁ: Real estate projects: ଓରାୟମ୍ ରିଅଲିଟିର ଶୁଭାରମ୍ଭ
କାନାଡା ବର୍ଡର ସର୍ଭିସେସ୍ ଏଜେନ୍ସି ଅନୁଯାୟୀ, ଭିସା ଅବଧି ଶେଷ ହେବା ପରେ ମଧ୍ୟ ରହିବା, ଶରଣାର୍ଥୀ ଆବେଦନ ଖାରଜ ହେବା, ନିୟମ ଉଲ୍ଲଂଘନ ଏବଂ ଭିସା ଜାଲିଆତି ଯୋଗୁଁ ଭାରତୀୟଙ୍କୁ ବିତାଡ଼ିତ କରାଯାଉଛି। କାନାଡା ସରକାର ଅସ୍ଥାୟୀ ନାଗରିକଙ୍କ ସଂଖ୍ୟା ହ୍ରାସ କରିବା ଏବଂ ଛାତ୍ର ଭିସା ନିୟମକୁ କଡ଼ାକଡ଼ି କରୁଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ବର୍ତ୍ତମାନ ମଧ୍ୟ ପ୍ରାୟ ୭,୬୬୯ ଜଣ ଭାରତୀୟ ବିତାଡ଼ନ ପ୍ରକ୍ରିୟା ତାଲିକାରେ ଅଛନ୍ତି, ଯାହା ସୂଚାଉଛି ଯେ ଏହି ସଂଖ୍ୟା ଆଗକୁ ଆହୁରି ବଢ଼ିବ।
ଆହୁରି ପଢନ୍ତୁ: Literature: ଓଡ଼ିଆ ସାହିତ୍ୟର ଇତିହାସ ସମୃଦ୍ଧ ଓ ଭବିଷ୍ୟତ ଉଜ୍ଜ୍ୱଳ: ସୂର୍ଯ୍ୟବଂଶୀ ସୂରଜ
ଏହା ବ୍ୟତୀତ ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ କାନାଡାର ସ୍ୱପ୍ନ ମଧ୍ୟ ମଉଳିବାରେ ଲାଗିଛି। ସେପ୍ଟେମ୍ବର ୨୦୨୫ ସୁଦ୍ଧା ଆସୁଥିବା ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ମାତ୍ର ୮.୧ ପ୍ରତିଶତକୁ ହ୍ରାସ ପାଇଛି, ଯାହା ୨୦୨୩ ମସିହାରେ ୫୧.୬ ପ୍ରତିଶତ ଥିଲା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅନୁଯାୟୀ, କାନାଡା ଯାଉଥିବା ଭାରତୀୟ ଛାତ୍ରଙ୍କ ସଂଖ୍ୟା ୨୦୨୩ରେ ୨,୩୩,୫୩୨ ଥିବା ବେଳେ ୨୦୨୪ରେ ୪୧ ପ୍ରତିଶତ ହ୍ରାସ ପାଇ ୧,୩୭,୬୦୮ରେ ପହଞ୍ଚିଥିଲା। ଅନ୍ୟପକ୍ଷରେ ଚଳିତ ବର୍ଷ ଜାନୁଆରି ୧ରୁ ଜୁଲାଇ ୨୨ ମଧ୍ୟରେ ଆମେରିକା ମାତ୍ର ୧,୨୭୩ ଭାରତୀୟଙ୍କୁ ଦେଶାନ୍ତରିତ କରିଛି।

1 week ago
7


