ARTICLE AD BOX
ଭୁବନେଶ୍ବର: ୮ ବର୍ଷର ବ୍ୟବଧାନରେ ହେଉଛି ଛାତ୍ର ସଂସଦ ନିର୍ବାଚନ। ରାଜଧାନୀର ୧୧ଟି କଲେଜରେ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତାକାଲି ପୂର୍ବାହ୍ନରେ ପ୍ରାର୍ଥିପତ୍ର ଦାଖଲ ହେବ। ଫଳରେ କ୍ୟାମ୍ପସ୍ଗୁଡ଼ିକରେ ରାଜନୈତିକ ବାତାବରଣ ବେଶ୍ ସରଗରମ ହୋଇଛି। କ୍ୟାମ୍ପସ୍ ଭିତରେ ଓ ବାହାରେ ଭୋଜିଭାତର ଆସର ଜମିଛି। ପ୍ରାର୍ଥୀମାନେ ବୁଲି ବୁଲି ପ୍ରଚାର ଚଳାଇଛନ୍ତି। ପ୍ରାର୍ଥୀମାନଙ୍କ ଖର୍ଚ୍ଚସୀମା ସରକାର ପାଞ୍ଚ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି ସତ। କିନ୍ତୁ ପ୍ରାର୍ଥୀମାନଙ୍କର ପ୍ରଚାର ତରିକା ଦେଖିଲେ, ଏହି ଖର୍ଚ୍ଚସୀମା କେବଳ ଧର୍ମକୁ ଆଖି ଆଠ ସଦୃଶ ବୋଲି ଜଣାପଡ଼ିଛି। ପୁଣି ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ପରେ ପ୍ରଚାର ଆହୁରି ବ୍ୟୟବହୁଳ ହେବ ବୋଲି ଅନୁମାନ କରାଯାଉଛି। ପ୍ରାର୍ଥିପତ୍ର ଦାଖଲକୁ ଆଉ କିଛି ଘଣ୍ଟା ବାକି ଥିଲା ବେଳେ ଛାତ୍ର ସଂଗଠନଗୁଡ଼ିକର ପ୍ରାର୍ଥୀ ଚୟନ ନେଇ ଦ୍ବନ୍ଦ୍ବ ଲାଗି ରହିଛି। କିଏ କାହାକୁ ପ୍ରାର୍ଥୀ କରିବେ, ତାହା ସ୍ପଷ୍ଟ ହୋଇପାରୁନି। ତିନି ଛାତ୍ର ସଂଗଠନ ଏବିଭିପି, ଛାତ୍ର ବିଜେଡି ଓ ଛାତ୍ର କଂଗ୍ରେସର ନେତାମାନେ ବିଭିନ୍ନ କଲେଜରେ ଡେରା ପକାଇ କସରତ ଚଳାଇଛନ୍ତି। ସବୁ ସଂଗଠନରେ ଏକାଧିକ ପ୍ରାର୍ଥୀ ହୋଇଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ନିର୍ବାଚନ ପ୍ରକ୍ରିୟା ହଠାତ ଘୋଷଣା ହୋଇଥିବାରୁ ବୁଝାସୁଝା କରିବାକୁ ବି ହାତରେ କମ ସମୟ ରହିଛି। ଆହୁରି ମଧ୍ୟ ଛାତ୍ର ସଂଗଠନ ବାଦ୍ ତିନି ଦଳର ବରିଷ୍ଠ ନେତା ଓ ସ୍ଥାନୀୟ ବିଧାୟକମାନେ ନିଜ ନିଜ ସ୍ତରରେ ଗୋଟି ଚାଳନା କରୁଛନ୍ତି। କିଛି ପୂର୍ବତନ ଛାତ୍ର ନେତା ନିଜ ପତିଆରା ଜାହିର କରିବା ପାଇଁ କ୍ୟାମ୍ପସ୍ ରାଜନୀତିରେ ଭିତିରିଆ ସାମିଲ ହେଉଥିବା ସୂଚନା ମିଳିଛି।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ
ଅଙ୍କ କଷୁଛନ୍ତି ତିନି ଛାମୁଆ ସଂଗଠନ
ପ୍ରଚ୍ଛଦପଟ୍ଟରେ ପୁରୁଣା ଛାତ୍ର ନେତା
ଉତ୍କଳରେ ୨୧୯ ଛାତ୍ରଛାତ୍ରୀ ନେଲେ ନାମାଙ୍କନ ପତ୍ର
ରାଜଧାନୀ କଲେଜ୍ରେ ଛାତ୍ର ସଂଗଠନକୁ ପ୍ରାର୍ଥୀ ଚିନ୍ତା
ଭୁବନେଶ୍ବର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜଧାନୀ କଲେଜରେ ଛାତ୍ର ରାଜନୀତି ତେଜିଛି। କେଉଁଠି ପୋଷ୍ଟର୍ ମାରିବାକୁ ନେଇ ବିବାଦ ଦେଖିବାକୁ ମିଳିଛି ତ ଆଉ କେଉଁଠି ପ୍ରଚାର ସମୟରେ ଛାତ୍ର ଗୋଷ୍ଠୀ ମୁହାଁମୁହିଁ ହେଉଛନ୍ତି। ଏଭଳି ପରିସ୍ଥିତିରେ ରାଜଧାନୀରେ ବିଜେଡି, ବିଜେପି ଓ କଂଗ୍ରେସର ଛାତ୍ର ସଂଗଠନ ପ୍ରାର୍ଥୀ ଦେବାକୁ ମନ ବଳାଇଛନ୍ତି। ହେଲେ ଯୁକ୍ତ୨ ଓ ଯୁକ୍ତ ୩ ସମେତ ସଭାପତି, ଉପସଭାପତି, ସଂପାଦକ, ଖେଳ ସଂପାଦକ ସମେତ ପ୍ରାୟ ୪୮ଟି ପଦବି ପାଇଁ ନିର୍ବାଚନ ହେଉଥିବାରୁ ସଙ୍ଗଠନଗୁଡ଼ିକ ପ୍ରାର୍ଥୀ ଚିନ୍ତା ଘାରିଛି। ୭୫ପ୍ରତିଶତ ଉପସ୍ଥାପନ ସାଙ୍ଗକୁ, ଶୂନ ଅପରାଧିକ ମାମଲା ଓ ସେମିଷ୍ଟାର୍ରେ ବ୍ୟାକ୍ ନଥିବା ଭଳି ଏକାଧିକ ସର୍ତ୍ତାବଳୀ ଥିବାରୁ ପ୍ରାର୍ଥୀ ଖୋଜା ଚିନ୍ତା ବଢ଼ାଇଛି। ସେହିଭଳି ଆଜି ରାଜଧାନୀ କଲେଜ୍ରେ ପୋଷ୍ଟର ମାରିବା ଏବଂ ପ୍ରଚାର କରିବା ସମୟରେ ୨ଟି ଛାତ୍ର ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ନିର୍ଦ୍ଦିଷ୍ଟ ଏକ ଛାତ୍ର ସଙ୍ଗଠନର ଛାତ୍ରୀଙ୍କ ପୋଷ୍ଟର୍ ତାଙ୍କ ବିନା ଅନୁମତିରେ କଲେଜ୍ ବାହାରେ ମାରିବାକୁ ନେଇ ଛାତ୍ରୀ ଜଣକ ଆପତ୍ତି ଉଠାଇଥିଲେ। ଏହା ପରେ ଘଟଣାରେ ହସ୍ତକ୍ଷେପ ପାଇଁ କଲେଜ ଅଧ୍ୟକ୍ଷଙ୍କୁ ନିବେଦନ କରିଥିବା ଜଣାପଡ଼ିଛି।
ରମାଦେବୀରେ ‘ପିଜି ବନାମ ୟୁଜି’ ସମୀକରଣ
ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ସଂସଦ ନିର୍ବାଚନରେ ପିଜି ଛାତ୍ରୀଙ୍କ ଦବଦବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବା ପରେ ଏଠାରେ ହୋଇଥିବା ନିର୍ବାଚନରେ ସଭାପତି ପଦରେ ଏକାଧିକ ଥର ପିଜି ଛାତ୍ରୀମାନେ ବାଜିମାତ୍ କରିଥିବାବେଳେ ୟୁଜି ଛାତ୍ରୀଙ୍କୁ ଏହି ପଦରେ ସଫଳତା ମିଳିନାହିଁ। ଫଳରେ ଏଥର ମଧ୍ୟ ସଭାପତି ପଦ ପାଇଁ ପିଜି ଛାତ୍ରୀଙ୍କ ଦାବିଦାରିକୁ ନେଇ କ୍ୟାମ୍ପସ୍ରେ ଚର୍ଚ୍ଚା ବଢ଼ିଛି। ପ୍ରାର୍ଥୀ ଘୋଷଣା ହୋଇ ନ ଥିଲେ ମଧ୍ୟ ରାଜ୍ୟର ତିନିଟି ଛାମୁଆ ଛାତ୍ର ସଂଗଠନ ପିଜି ଛାତ୍ରୀଙ୍କୁ ସଭାପତି ପଦରେ ପ୍ରତିଦ୍ୱନ୍ଦ୍ବିତା କରାଇବାକୁ ଚାହୁଛନ୍ତି। ରମାଦେବୀରେ ଛାତ୍ରୀ ସଂସଦ ନିର୍ବାଚନର ଇତିହାସକୁ ଦେଖିଲେ ସଭାପତି ପଦରେ ପିଜି ଛାତ୍ରୀଙ୍କ ପ୍ରଭାବ ସ୍ପଷ୍ଟ ହୋଇଥାଏ। ଅଭିଜ୍ଞତା, କ୍ୟାମ୍ପସ୍ରେ ଅଧିକ ସମୟ ବିତାଇବା ଏବଂ ବିଭିନ୍ନ ଛାତ୍ରୀ ସଂଗଠନ ସହ ସମ୍ପର୍କ ଭଳି କାରଣ ଏହି ସଫଳତା ପଛରେ ଥିବା ଚର୍ଚ୍ଚା ହେଉଛି। ପିଜି ଛାତ୍ରୀମାନେ ୟୁଜି ତୁଳନାରେ କ୍ୟାମ୍ପସ୍ରେ ଅଧିକ ପରିଚିତ ହୋଇଥିବାରୁ ନିର୍ବାଚନ ସମୟରେ ତାହାର ଫାଇଦା ମିଳୁଥିବା ମତପ୍ରକାଶ ପାଉଛି। ଅନ୍ୟପକ୍ଷରେ, ୟୁଜି ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସଭାପତି ପଦ ହାସଲ କରିବାରେ ସେମାନେ ଏଯାଏ ସଫଳ ହୋଇନାହାନ୍ତି। ଏହା ପଛରେ ସାଂଗଠନିକ ଦୁର୍ବଳତା, ନିର୍ବାଚନୀ ଅଭିଜ୍ଞତାର ଅଭାବ ଓ କ୍ୟାମ୍ପସ୍ରେ ନେତୃତ୍ୱ ଗଢ଼ିବା ପାଇଁ ସୀମିତ ସମୟ ଭଳି କାରଣ ରହିଥିବା ଚର୍ଚ୍ଚା ହେଉଛି। ଏଥର ପରିସ୍ଥିତି ବଦଳିବ କି, ତାହାକୁ ନେଇ ଉତ୍ସୁକତା ରହିଛି। ୟୁଜିରୁ କୌଣସି ଛାତ୍ରୀ ଏଥର ସଭାପତି ପଦ ପାଇଁ ଦାବିଦାର ହୋଇ ଏହି ଧାରା ଭାଙ୍ଗିପାରିବେ କି, ନା ପୁଣି ପିଜି ଛାତ୍ରୀଙ୍କ ହାତରେ ରହିବ ସଭାପତି ପଦ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ। ଏହି କାରଣରୁ ରମାଦେବୀର ନିର୍ବାଚନରେ ଏଥର ‘ପିଜି ବନାମ ୟୁଜି’ ସମୀକରଣ ମଧ୍ୟ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି।
Horoscope 2026 October 09: ଜାଣନ୍ତୁ ଆଜିର ରାଶିଫଳ...
ବିଜେବି କଲେଜରେ ଜମୁଛି ପ୍ରଚାର
ଭୁବନେଶ୍ବର: ରାଜ୍ୟ ଛାତ୍ର ରାଜନୀତିରେ ବିଜେବି କଲେଜର ଦବଦବା ସବୁବେଳେ ରହିଛି। ଛାତ୍ର ସଂଗଠନଗୁଡ଼ିକ ଏଠାରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଳ ବଳ କୌଶଳ ଲଗାଉଥିବା ଦେଖିବାକୁ ମିଳେ। ଏଥର ବି ଦୁଇ ପ୍ରମୁଖ ଛାତ୍ର ସଂଗଠନ ଏବିଭିପି ଓ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏବିଭିପି ପକ୍ଷରୁ ଆର୍ଯ୍ୟନ ମହାପାତ୍ରଙ୍କ ନାମ ଚୂଡ଼ାନ୍ତ ହୋଇଥିଲା ବେଳେ ବିଜୁ ଛାତ୍ର ଜନତା ଦଳ ସମର୍ଥନରେ ପ୍ରତୀକ ପାଣିଗ୍ରାହୀ ମଇଦାନକୁ ଓହ୍ଲାଇବେ। ଉଭୟ ପ୍ରାର୍ଥୀ ସେମାନଙ୍କ ସମର୍ଥକମାନଙ୍କ ସହ ପ୍ରଚାର ଅଭିଯାନ ତ୍ବରାନ୍ବିତ କରିଛନ୍ତି। ଆଜି ଓଡ଼ିଶା ବନ୍ଦ ପାଇଁ କଲେଜରେ ବହୁ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିବାରୁ ଆଜି ପ୍ରାର୍ଥୀମାନେ ହଷ୍ଟେଲ ଓ ବିଭିନ୍ନ ମେସ୍ ବୁଲି ପ୍ରଚାର କରିଥିଲେ। ଆସନ୍ତାକାଲି ପ୍ରାର୍ଥିପତ୍ର ଦାଖଲ ପାଇଁ ବଡ଼ ଧରଣର ଶୋଭାଯାତ୍ରା କରିବାକୁ ଉଭୟ ପ୍ରାର୍ଥୀ କସରତ ଚଳାଇଛନ୍ତି।

1 hour ago
1


