ARTICLE AD BOX
କଟକ: ସାଧାରଣ ଯାତ୍ରୀ ପରିବହନ କ୍ଷେତ୍ରରେ ରାଜ୍ୟ ସରକାର ଦିବ୍ୟାଙ୍ଗଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରୁ ନଥିବା ଅଭିଯୋଗ ହୋଇଛି। ବସ୍ରେ ସମ୍ମାନର ସହିତ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି କିପରି ଅନୁକୂଳ ପରିବେଶରେ ଯାତାୟତ କରି ପାରିବେ ସେଥି ପାଇଁ କୌଣସି ପଦକ୍ଷେପ ସରକାର ଗ୍ରହଣ କରୁ ନାହାନ୍ତି। ସୁପ୍ରିମକୋର୍ଟଙ୍କ ୨୦୧୭, ଡିସେମ୍ବର ୧୫ର ରାୟ ଓ ଏହାପରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ତରଫରୁ ୨୦୧୮, ମାର୍ଚ୍ଚ ୨୮ରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଦିବ୍ୟାଙ୍ଗ ଅନୁକୂଳ ବସ୍ ସେବା ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି। ସମସ୍ତ ସରକାରୀ ବସ୍ ଦିବ୍ୟାଙ୍ଗ ଅନୁକୂଳ ଯେପରି ହେବ ତାହା ସୁନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ଘରୋଇ ବସ ଗୁଡ଼ିକୁ ମଧ୍ୟ ଦିବ୍ୟାଙ୍ଗ ଅନୁକୂଳ କରାଯିବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରି ରାଜ୍ୟ ପରିବହନ ବିଭାଗ ୨୦୧୮, ମାର୍ଚ୍ଚ ୨୮ରେ ବିଜ୍ଞପ୍ତି ଜାରି କରିଥିଲା।
ଘରୋଇ ବସ ମାଲିକ ମଧ୍ୟ ଏହି ଗାଇଡଲାଇନ ପାଳନ କରିବେ
ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ଦ୍ବାରା କିଣାଯିବାକୁ ଥିବା ନୂଆ ବସ ଗୁଡ଼ିକ ଦିବ୍ୟାଙ୍ଗଙ୍କ ସହଜ/ସୁଗମ ଯାତାୟତ ବ୍ୟବସ୍ଥା ସଂପର୍କିତ ଭାରତ ସରକାରଙ୍କ ତତ୍କାଳୀନ ଅର୍ବାନ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ପକ୍ଷରୁ ଜାରି ୨୦୧୮, ମେ ୧୦ର ଗାଇଡଲାନ କାର୍ଯ୍ୟକାରୀ କରିବେ। ଘରୋଇ ବସ ମାଲିକ ମଧ୍ୟ ଏହି ଗାଇଡଲାଇନ ପାଳନ କରିବେ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। କିନ୍ତୁ ଏହି ବିଜ୍ଞପ୍ତି ପରବର୍ତ୍ତୀ ସମୟରେ ସରକାର କାର୍ଯ୍ୟକାରୀ କରି ନଥିବା ସ୍ପଷ୍ଟ ହୋଇଛି। ଦିବ୍ୟାଙ୍ଗ ଅଧିକାର କର୍ମୀ ମଣ୍ଟୁ ଦାସ ସୂଚନା ଅଧିକାର ଆଇନ ବଳରେ ପାଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ଯେ ଓଏସଆରଟିସି ଦ୍ବାରା ପରିଚାଳିତ କୌଣସି ବସରେ ବର୍ତ୍ତମାନ ପର୍ଯ୍ୟନ୍ତ ରାମ୍ପସ, ଲିଫ୍ଟ, ଲୋ-ଫ୍ଲୋର, ହାଇଡ୍ରୋଲିକ ଲିଫ୍ଟ ଭଳି ସୁଗମ ଯାତାୟତ ବ୍ୟବସ୍ଥା ନାହିଁ। ୨୦୨୦ରୁ ୨୦୨୬, ଫେବ୍ରୁଆରି ମଧ୍ୟରେ ଓଏସଆରଟିସି ପକ୍ଷରୁ ୪୪୧ଟି ନୂଆ ବସ କ୍ରୟ କରାଯାଇଛି ଓ ଏ ଗୁଡ଼ିକୁ ବିଭିନ୍ନ ରୁଟରେ ପରିଚାଳନା ପାଇଁ ବ୍ୟବହାର କରାଯାଉଛି। ୨୦୨୦-୨୦୨୧ ଓ ୨୦୨୧-୨୦୨୨ରେ ୧୮୦ଟି, ୨୦୨୨ରେ ୪୦ଟି, ୨୦୨୪ରେ ୧୨୧ଟି, ୨୦୨୬ ଫେବ୍ରୁଆରି ସୁଦ୍ଧା ୧୦୦ଟି ନୂଆ ବସ ଓଏସଆରଟିସି କ୍ରୟ କରିଥିବା ତଥ୍ୟରେ ଦର୍ଶାଯାଇଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ଏହି ତଥ୍ୟରୁ ଓଏସଆରଟିସିର କୌଣସି ବସରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ୨୦୧୮ର ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁପାଳନ କରି ଦିବ୍ୟାଙ୍ଗଙ୍କ ପାଇଁ ସହଜ/ସୁଗମ ଯାତାୟତ ବ୍ୟବସ୍ଥା କରାଯାଇ ନାହିଁ ବୋଲି ସ୍ପଷ୍ଟ ହୋଇଛି ବୋଲି ଶ୍ରୀ ଦାସ କହିଛନ୍ତି।
ଏଭଳି ସ୍ଥିତିରେ ଘରୋଇ ବସ ମାଲିକ ଏ ସଂପର୍କିତ ନିୟମ କଣ କାର୍ଯ୍ୟକାରୀ କରିବେ ବୋଲି ପ୍ରଶ୍ନ ଉଠୁଛି। ରାଜ୍ୟ ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଦିବ୍ୟାଙ୍ଗ ଓ ବୟସ୍କମାନେ ସମ୍ମାନରେ ବସରେ ଯାତାୟତ କରିବା ସ୍ବପ୍ନ ହୋଇ ରହି ଯାଇଛି।

16 hours ago
1


