ARTICLE AD BOX
ରାଉରକେଲା:ଗ୍ରାମାଞ୍ଚଳରେ ଯୋଗାଯୋଗକୁ ଉନ୍ନତ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ସେତୁ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। ଏମିତିକି ଅର୍ଥ ଅନୁମୋଦିତ ବି ହୋଇସାରିଲାଣି। କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁ ସେତୁ ନିର୍ମାଣରେ ଅହେତୁକ ବିଳମ୍ବ ଦେଖିବାକୁ ମିଳୁଛି। ଜିଲ୍ଲାର ଲାଠିକଟା, ବିଶ୍ରା, କୁଆରମୁଣ୍ଡା ଓ ନୂଆଗାଁ ବ୍ଲକ୍ରେ ପ୍ରସ୍ତାବିତ ୧୬ଟି ନୂତନ ସେତୁ ନିର୍ମାଣ କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ପ୍ରକଳ୍ପ ନିର୍ମାଣ ପାଇଁ ପ୍ରଶାସନିକ ମଞ୍ଜୁରୀ ମିଳିସାରିଛି, କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ସେତୁଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ ହୋଇପାରି ନାହିଁ।
୪ଟି ବ୍ଲକ୍ରେ ୧୬ଟି ସେତୁ ଅନୁମୋଦିତ
ଗତ ତିନିଟି ଆର୍ଥିକ ବର୍ଷ, ଅର୍ଥାତ୍ ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ରେ ଏହି ୪ଟି ବ୍ଲକ୍ରେ ୧୬ଟି ସେତୁ ଅନୁମୋଦିତ ହୋଇଛି। ଏହି କ୍ରମରେ ଲାଠିକଟା ବ୍ଲକ୍ରେ ସର୍ବାଧିକ ୧୦ଟି, ବିଶ୍ରା ବ୍ଲକରେ ୩, ନୂଆଗାଁରେ ୨ ଓ କୁଆରମୁଣ୍ଡାରେ ଗୋଟିଏ ସେତୁ ନିର୍ମାଣ କରାଯିବ। ଏଥିମଧ୍ୟରୁ ଗୋଟିଏ ସେତୁ ଚୁକ୍ତିନାମା ପର୍ଯ୍ୟାୟରେ ଥିବାବେଳେ ୭ଟି ଡିପିଆର୍ (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ଏବଂ ୮ଟି ସର୍ବେକ୍ଷଣ ଓ ଅନୁସନ୍ଧାନ ପର୍ଯ୍ୟାୟରେ ରହିଛି। ଉଲ୍ଲେଖଯୋଗ୍ୟ, ଲାଠିକଟା ବ୍ଲକ୍ରେ ବାରବେଡ଼ା ରାସ୍ତାରେ, କଂସର-ଢିପାଟୋଲା ରାସ୍ତା, ଝାଣ୍ଡି-ସିଙ୍ଗେର ରାସ୍ତା, ଲୁଆକେରା-ସାନଦଲକି ରୋଡ୍, ଡଲାକୁଦର-ନୂଆଟୋଲି ରୋଡ୍, ବେଲଡ଼ିହି-ସରଣ୍ଡାପୋଷ ରାସ୍ତା, ଦେଓଗା-ଗର୍ଜନ ରୋଡ୍, କଂସର-ତୁମରନ ରୋଡ୍, ବାଙ୍କି-କୁଚେଇତା-ବାଗଲତା ରୋଡ୍ ଓ ରାଣ୍ଟୋ-ମାରେନ ରୋଡ୍ରେ ସେତୁ ନିର୍ମାଣ ହେବ।
Ravenshaw: ରେଭେନ୍ସା ଶିକ୍ଷକ ସଂଘର ଘୋଷଣା: ବିଧାୟକ ଅଭିଯୋଗରୁ ଓହରନ୍ତୁ, କ୍ଷମା ମାଗିବା ଦରକାର ନାହିଁ
ସେହିଭଳି ବିଶ୍ରା ବ୍ଲକରେ ସାନବମ୍ବୁଆ-ବଡ଼ବମ୍ବୁଆ ରୋଡ୍, ବାଙ୍ଗୁରକେଲା-ଲିଣ୍ଡ୍ରା ରୋଡ୍ ଓ ବାଙ୍ଗୁରକେଲା-ବିଜାଡ଼ିହି ରାସ୍ତା, ନୂଆଗାଁ ବ୍ଲକରେ ଓହ୍ଲାଣି-ବାଟିଟୋଲି-ବେମଟା ରୋଡ୍ ଓ ଲଡ଼ାଟୋଲା-ଭଜପୁର ରୋଡ୍ ଏବଂ କୁଆରମୁଣ୍ଡା ବ୍ଲକରେ ବଡ଼ମାଲ ଯିବା ରାସ୍ତାରେ ଲୁଡ଼କି ନଦୀ ଉପରେ ସେତୁ ନିର୍ମାଣ ହେବ। ବର୍ଷା ସମୟରେ ଏହି ଚାରୋଟିଯାକ ବ୍ଲକରେ ଯୋଗାଯୋଗ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥାଏ। ନଦୀ-ନାଳ ଉପରେ ସେତୁ ନଥିବାରୁ ଅଞ୍ଚଳବାସୀ ଜୀବନକୁ ବାଜି ଲଗାଇ ଯାତାୟାତ କରିଥାନ୍ତି। ଯଦିଓ ସେତୁ ମଞ୍ଜୁର ହେବା ପରେ ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଥିଲା, ତେବେ କାର୍ଯ୍ୟର ମନ୍ଥର ଗତି ଏହି ଆଶାକୁ ନିରାଶାରେ ବଦଳାଇ ଦେଇଛି। ଯଥାଶୀଘ୍ର ମାଟି ପରୀକ୍ଷା, ଡିପିଆର୍ ପ୍ରସ୍ତୁତି, ଜମି ଅଧିଗ୍ରହଣ ଓ ବୈଷୟିକ ପ୍ରକ୍ରିୟା ଶେଷ କରି ସେତୁ ନିର୍ମାଣକୁ ବ୍ୟାପକ କରିବାକୁ ଦାବି ହେଉଛି।

1 hour ago
2


