BRICS Meet: ମୋଦୀଙ୍କ ମଞ୍ଚରେ ପୁଟିନ-ଜିନପିଙ୍ଗ! ଟ୍ରମ୍ପଙ୍କ ଚିନ୍ତା ବଢ଼ାଇବ କି BRICS?

1 hour ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ଭାରତ ମଣ୍ଡପମ ହେବାକୁ ଯାଉଛି ବିଶ୍ୱ ରାଜନୀତିର ନୂଆ ରଣକ୍ଷେତ୍ର। ଏକ ମଞ୍ଚରେ ନଜର ଆସିବେ ତିନି ମହାଶକ୍ତି  । ନରେନ୍ଦ୍ର ମୋଦୀ, ଭ୍ଲାଦିମିର ପୁଟିନ ଓ ଶି ଜିନପିଙ୍ଗ। ୟୁକ୍ରେନ ଯୁଦ୍ଧ, ଆମେରିକା-ଚୀନ ଟଣାଓଟରା, ଇଣ୍ଡୋ-ପାସିଫିକ ରଣନୀତି ଓ ଡଲାରର ପ୍ରଭାବ ମଧ୍ୟରେ ହେବାକୁ ଯାଉଥିବା ବ୍ରିକ୍ସ ସମ୍ମିଳନୀ ଏବେ କେବଳ ଏକ ଅର୍ଥନୈତିକ ବୈଠକ ନୁହେଁ, ବରଂ ବିଶ୍ୱ ଶକ୍ତି ସନ୍ତୁଳନର ଏକ ବଡ଼ ରାଜନୈତିକ ସନ୍ଦେଶ। ପ୍ରଶ୍ନ ଉଠୁଛି ଦିଲ୍ଲୀରୁ ଲେଖାଯିବ କି ନୂଆ ବିଶ୍ୱ ବ୍ୟବସ୍ଥାର ବ୍ଲୁପ୍ରିଣ୍ଟ?  ତେବେ ସବୁଠୁ ବଡ଼ କଥା  ଏହି ତିନି  ଶକ୍ତିଙ୍କୁ ଗୋଟିଏ ମଞ୍ଚରେ ଦେଖି ସହିପାରିବେ ତ ଡୋନାଲ୍ଡ ଟ୍ରମ୍ପ ?  ପୁଣି ଦେବେନି ତ ଟାରିଫ୍‌ ର ଧମକ ? 


ସେପ୍ଟେମ୍ବର ୧୨ ଓ ୧୩ ରେ ଦିଲ୍ଲୀରେ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ଉପରେ ଏବେ ସାରା ବିଶ୍ୱର ନଜର। କାରଣ ଏହି ମଞ୍ଚରେ ଏକାଠି ନଜର ଆସିବେ  ବିଶ୍ବର ତିନି  ବଡ଼ ଶକ୍ତି ।  ୟୁକ୍ରେନ ଯୁଦ୍ଧ ପରେ ପଶ୍ଚିମ ଦେଶମାନେ ରୁଷକୁ ଏକଘରିଆ କରିବାକୁ ଚେଷ୍ଟା କରୁଥିବା ବେଳେ, ଚୀନ ଓ ରୁଷର ଘନିଷ୍ଠତା ବଢ଼ିଛି। ଅନ୍ୟପଟେ ଭାରତ ଆମେରିକା ସହ ରଣନୈତିକ ସମ୍ପର୍କ ମଜବୁତ କରୁଥିଲେ ମଧ୍ୟ ରୁଷ ସହ ଶକ୍ତି ଓ ପ୍ରତିରକ୍ଷା ସମ୍ପର୍କ ବଜାୟ ରଖିଛି। ଏହି ପରିସ୍ଥିତିରେ ମୋଦୀଙ୍କ ମଞ୍ଚରେ ପୁଟିନ ଓ ଜିନପିଙ୍ଗଙ୍କ ଉପସ୍ଥିତି ଭାରତର କୂଟନୈତିକ ଦକ୍ଷତାର ଏକ ବଡ଼ ପ୍ରଦର୍ଶନ ବୋଲି କୁହାଯାଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଏହି ସମ୍ମିଳନୀ ମାଧ୍ୟମରେ ଭାରତ ଏକ ସ୍ପଷ୍ଟ ସନ୍ଦେଶ ଦେବାକୁ ଚାହୁଁଛି ନୂଆ ବିଶ୍ୱ ବ୍ୟବସ୍ଥାରେ କୌଣସି ଗୋଟିଏ ଶକ୍ତିର ଆଧିପତ୍ୟ ନୁହେଁ, ବରଂ ବହୁମୁଖୀ ଶକ୍ତି କେନ୍ଦ୍ରର ଭୂମିକା ରହିବ।  ଭାରତ ଚାହୁଁଛି, ନିଜକୁ ପୂର୍ବ ଓ ପଶ୍ଚିମ ମଧ୍ୟରେ ଏକ ସେତୁ ଭାବେ ପ୍ରତିଷ୍ଠିତ କରିବାକୁ।

ଏସ୍‌ସିଓ ସମ୍ମିଳନୀ ଅବସରରେ ପୁଟିନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦୀ

ଏହି ସମ୍ମିଳନୀର ଆଉ ଏକ ବଡ଼ ଚର୍ଚ୍ଚା ହେଉଛି ଡି-ଡଲାରାଇଜେସନ। ଅର୍ଥାତ୍ ଆମେରିକୀୟ ଡଲାରର ପ୍ରଭାବ କମାଇ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ମୁଦ୍ରାରେ ବ୍ୟାପାର ବଢ଼ାଇବା। ଯଦି ଏହି ଦିଗରେ କୌଣସି ବଡ଼ ନିଷ୍ପତ୍ତି ହୁଏ, ତେବେ ତାହା ବିଶ୍ୱ ଅର୍ଥନୀତିରେ ଆମେରିକାର ଦୀର୍ଘଦିନର ପ୍ରଭାବକୁ ଚ୍ୟାଲେଞ୍ଜ କରିପାରେ। ବ୍ରିକ୍ସ ଆଜି କେବଳ ବ୍ରାଜିଲ, ରୁଷ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକାରେ ସୀମିତ ନୁହେଁ। ମିଶର, ଇରାନ, ୟୁଏଇ, ସୌଦି ଆରବ, ଇଥୋପିଆ ଓ ଇଣ୍ଡୋନେସିଆ ଭଳି ଦେଶ ଯୋଗଦେବା ପରେ ଏହାର ଶକ୍ତି ଆହୁରି ବଢ଼ିଛି। ବିଶ୍ୱର ପ୍ରାୟ ଅଧା ଜନସଂଖ୍ୟାର ପ୍ରତିନିଧିତ୍ୱ କରୁଥିବା ଏହି ଗୋଷ୍ଠୀ ଏବେ ଗ୍ଲୋବାଲ ସାଉଥର ମୁଖପାତ୍ର ଭାବେ ଉଭା ହେଉଛି। ତେବେ ଦିଲ୍ଲୀର ଏହି ସମ୍ମିଳନୀ କେବଳ ନେତାଙ୍କ ମିଳନ ନୁହେଁ। ଏହା ହେଉଛି ବଦଳୁଥିବା ବିଶ୍ୱ ରାଜନୀତିର ଏକ ଝଲକ। ଯେଉଁଠି ଭାରତ ନିଜକୁ ଏକ ନିଷ୍ପତ୍ତିକାରୀ ଶକ୍ତି ଭାବେ ସ୍ଥାପିତ କରିବାକୁ ଚାହୁଁଛି। ମୋଦୀ, ପୁଟିନ ଓ ଜିନପିଙ୍ଗଙ୍କ ଏହି ମିଳନ ବିଶ୍ୱକୁ କେଉଁ ସନ୍ଦେଶ ଦେବ, ତାହା ଉପରେ ରହିଛି ସମସ୍ତଙ୍କ ନଜର।

Read Entire Article
LEFT SIDEBAR AD

Hidden in mobile, Best for skyscrapers.