ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସଂସଦ ଅଧିବେଶନ ଚାଲିଥିବା ବେଳେ ୩୬ ଜଣ ରାଜ୍ୟସଭା ସାଂସଦଙ୍କ ସହ ଜଳଖିଆ ବୈଠକ କରିଛନ୍ତି। ଏହି ବୈଠକରେ ସେ ସାଂସଦମାନଙ୍କୁ ନିଜ ନିର୍ବାଚନ କ୍ଷେତ୍ର ସହ ସବୁବେଳେ ଯୋଗାଯୋଗ ରଖିବା, ମୂଳ ସହ ଜଡ଼ିତ ରହିବା ଏବଂ ଲବିଷ୍ଟ ଓ ପାୱାର ବ୍ରୋକରଙ୍କ ପ୍ରଭାବରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ।
ବୈଠକରେ ତୃଣମୂଳ କଂଗ୍ରେସ, ଆମ୍ ଆଦମୀ ପାର୍ଟି ଓ ଅନ୍ୟ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଥିବା କିଛି ରାଜ୍ୟସଭା ସାଂସଦ ମଧ୍ୟ ଉପସ୍ଥିତ ଥିଲେ। ଜଣେ ସାଂସଦଙ୍କ କହିବା ଅନୁଯାୟୀ ଜଳଖିଆ ବୈଠକରେ ପ୍ରଧାନମନ୍ତ୍ରୀ ରାଜ୍ୟସଭା ସାଂସଦମାନଙ୍କୁ କହିଥିଲେ, ରାଜ୍ୟସଭାରେ ଆପଣଙ୍କ ଆସନର ମୂଲ୍ୟ ବୁଝନ୍ତୁ। ଏହି ସ୍ଥାନ ପାଇଁ ହଜାର ହଜାର ଲୋକ ଅପେକ୍ଷା କରୁଛନ୍ତି। ସେ ଆହୁରି ସତର୍କ କରି କହିଥିଲେ ଯେ, କିଛି ସ୍ୱାର୍ଥପର ଲୋକ ନିଜକୁ ଶୁଭଚିନ୍ତକ ପରିଚୟ ଦେଇ ସାଂସଦମାନଙ୍କ ନିକଟକୁ ଆସିପାରନ୍ତି। ସେମାନଙ୍କଠାରୁ ସତର୍କ ରହିବା ଆବଶ୍ୟକ।
ମୋଦୀ କହିଛନ୍ତି, ଦିଲ୍ଲୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ସହଯୋଗ କରିବା ନାମରେ ଆପଣଙ୍କ ସହ ଘନିଷ୍ଠ ହେବେ ଏବଂ ଧୀରେ ଧୀରେ ଆପଣଙ୍କୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିବେ। ସେ ଏହି ପରିସ୍ଥିତିକୁ ବୁଢ଼ିଆଣି ଜାଲ ସହ ତୁଳନା କରି କହିଥିଲେ ଯେ ସାଂସଦମାନେ ସବୁବେଳେ ନିଜ ମୂଳ ଓ ସାଧାରଣ ଲୋକଙ୍କ ସହ ଯୋଗାଯୋଗ ରଖିବା ଉଚିତ। ବୈଠକରେ ପ୍ରଧାନମନ୍ତ୍ରୀ ନୂତନ ସାଂସଦମାନଙ୍କୁ ସଂସଦର କାର୍ଯ୍ୟପ୍ରଣାଳୀ, ଲାଇବ୍ରେରି ଏବଂ ସଂସଦ ଭବନର କଳାକୃତି ସମ୍ପର୍କରେ ଜାଣିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ବରିଷ୍ଠ ସାଂସଦମାନେ ସଂସଦୀୟ ପରମ୍ପରା ବିଷୟରେ ଅଭିଜ୍ଞ, କିନ୍ତୁ ନୂତନ ସଦସ୍ୟମାନେ ମଧ୍ୟ ସଂସଦ ଲାଇବ୍ରେରିର ବ୍ୟବହାର ବଢ଼ାଇବା ଉଚିତ। ପ୍ରଧାନମନ୍ତ୍ରୀ ସାଂସଦମାନଙ୍କୁ ପ୍ରଯୁକ୍ତିର ସଦୁପଯୋଗ କରିବା ସହ ଏହାର ଦୁରୁପଯୋଗ ପ୍ରତି ସତର୍କ ରହିବାକୁ କହିଥିଲେ।
ମୋଦୀ ସାଂସଦମାନଙ୍କୁ କହିଛନ୍ତି, ନିଜ ନିର୍ବାଚନ କ୍ଷେତ୍ରର ଲୋକଙ୍କ ସହ ନିୟମିତ ଯୋଗାଯୋଗ ରଖନ୍ତୁ। ଯୁବପିଢ଼ିଙ୍କ ସହ ସୋସିଆଲ ମିଡିଆ ଓ ଅନ୍ୟ ପ୍ରଯୁକ୍ତି ମାଧ୍ୟମରେ ସଂଯୁକ୍ତ ରୁହନ୍ତୁ। ଗଣମାଧ୍ୟମ କିମ୍ବା ସୋସିଆଲ ମିଡିଆରେ ମତ ରଖିବା ବେଳେ ଶାଳୀନତା ଓ ସଂଯମ ବଜାୟ ରଖନ୍ତୁ। ଜଣେ ସାଂସଦଙ୍କ ପ୍ରଶ୍ନର ଉତ୍ତରରେ ମୋଦୀ ଏକାସାଥିରେ ଅନେକ କାମ କିଭଳି ସମ୍ଭାଳନ୍ତି କହିଥିଲେ। ସେ କହିଥିଲେ ମୁଁ ବର୍ତ୍ତମାନରେ ବଞ୍ଚେ। ଯେଉଁ କାମ କରେ, ସେହି ମୁହୂର୍ତ୍ତରେ ସେହି କାମ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦିଏ।
ମୋଦୀ ସାଂସଦମାନଙ୍କୁ ଅଧିକ ଚାଲିବାର ଅଭ୍ୟାସ କରିବାକୁ ଏବଂ ସଂସଦ ଅଧିବେଶନକୁ କେବେ ବି ହାଲୁକା ଭାବେ ନନେବାକୁ କହିଥିଲେ। ନିଜ ଉଦାହରଣ ଦେଇ ମୋଦୀ କହିଛନ୍ତି, ଗାଡ଼ିରୁ ଗନ୍ତବ୍ୟ ସ୍ଥଳ ମାତ୍ର ୧୦୦ ମିଟର ଦୂରରେ ଥିଲେ ମଧ୍ୟ ମୁଁ ଚାଲିକି ଯିବାକୁ ପସନ୍ଦ କରେ। ଏହି ବୈଠକରେ ବିଜେପି ନେତା ତରୁଣ ଛୁଗ, ବିନୋଦ ତାୱଡେ, ରଜନୀଶ ଅଗ୍ରୱାଲ, ଏ. ଶାରଦା ଦେବୀଙ୍କ ସହ ପୂର୍ବତନ ଆପ୍, ଟିଏମ୍ସି ବିଜେଡି ଦଳର ନେତା ସ୍ୱାତି ମାଲିୱାଲ, ରାଘବ ଚଢ଼ା, ଅଶୋକ ମିତ୍ତଲ, ସନ୍ଦୀପ ପାଠକ, ବିକ୍ରମଜିତ ସିଂହ ସାହନୀ, ସୁଷ୍ମିତା ଦେବ ଓ ଦେବାଶିଷ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।

1 hour ago
3


