ARTICLE AD BOX
ମଣିଷଆସେ ଚାଲିଯାଏ। ଏଥିରେ ନୂଆ କିଛି ନାହିଁ। ସମସ୍ତେ କିନ୍ତୁ ସ୍ମରଣୀୟ ନୁହନ୍ତି। ସେମାନେ ହିଁ ସ୍ମରଣୀୟ ଯେଉଁମାନେ ଅନ୍ଧାରୀ ଗୁମ୍ଫାରେ ମଶାଲ ଜାଳି ଅନ୍ଧାର ସହ ସଂଗ୍ରାମ କରନ୍ତି ସାରାଜୀବନ। ସ୍ୱାଧୀନତା ସଂଗ୍ରାମୀ, ସୁଲେଖିକା, ସମାଜ ବିପ୍ଲବିନୀ ସରଳା ଦେବୀ ହାତରେ ଖାଲି ମଶାଲ ଧରି ଲଢ଼ୁନଥିଲେ। ମଶାଲର ପ୍ରଜ୍ଜ୍ୱଳିତ ଜୀବନ ବି ବଞ୍ଚିଥିଲେ। ଜମିଦାରୀ ବଂଶର ସୁନାନାକୀ ବୋହୂ ଥିଲେ ସେ। ଖଦି ଲୁଗା ପିନ୍ଧିଥିଲେ। ବିଳାସ ବ୍ୟସନ ତ୍ୟାଗ କରିଥିଲେ। ଅଳଙ୍କାର ସବୁକୁ ଆହୂତି ଦେଇଥିଲେ ସ୍ୱାଧୀନତା ସଂଗ୍ରାମରେ ନାରୀ ଜାଗରଣର ଶଙ୍ଖ ଫୁଙ୍କିଥିଲେ ସେ ପ୍ରଥମେ। ସାହିତ୍ୟର ମନ୍ତ୍ର ଉଚ୍ଚାରଣ ବି କରିଥିଲେ।ଆଜି ଅଗଷ୍ଟ ୧୯ ତାରିଖ। ତାଙ୍କ ଜନ୍ମ ଦିବସ। ସମସ୍ତ କବି, ଲେଖକଙ୍କ ତରଫରୁ ମୁଁ ତାଙ୍କୁ କୋଟି ପ୍ରଣାମ କରୁଛି।
ଜଗତସିଂହପୁର ଜିଲ୍ଲାର ବାଲିକୁଦାର ନରିଲୋ ଗ୍ରାମରେ ୧୯୦୪ ମସିହାରେ ଏଇ ନାରୀରତ୍ନଙ୍କ ଜନ୍ମ। ବିଶେଷ ପରିସ୍ଥିତିରେ ସରଳା ଦେବୀ କିନ୍ତୁ ବିଦ୍ୟାଳୟ ପାଠ ଶେଷ କରିପାରିନଥିଲେ। ହେଲେ ଗୃହଶିକ୍ଷକଙ୍କ ସାହାଯ୍ୟରେ ସେ ପାଠ ପଢ଼ିଥିଲେ। ଓଡ଼ିଆ ସହ ହିନ୍ଦୀ, ଇଂରାଜୀ, ବଙ୍ଗଳା ଭାଷାରେ ବି ସେ ପାରଦର୍ଶିତା ଲାଭ କରିଥିଲେ। ସମସ୍ତ ଭାଷାର ଭଲ ଭଲ ପୁସ୍ତକ ଓ ପ୍ରଖ୍ୟାତ ସାମାଜିକ ବ୍ୟବସ୍ଥାକୁ ଚିହ୍ନିଥିଲେ। ନାରୀ ଜୀବନର ଦୁର୍ଦ୍ଦଶା, ଯନ୍ତ୍ରଣାର ଅନ୍ଧାର ସହ ପରିଚିତ ହେଲେ। ସାରସ୍ୱତ ସାଧନାରେ ବ୍ରତୀ ହେଲେ। ନିଜ ଲେଖା ମାଧ୍ୟମରେ ଅନ୍ଧ ବିଶ୍ଵାସ ଓ କୁସଂସ୍କାର ବିରୁଦ୍ଧରେ ଲଢେଇ ଜାରି ରଖିଲେ। କ୍ରମେ ସେ ନାରୀ ଜାଗରଣର ଏକ ବିରାଟ ବୃକ୍ଷ ହୋଇ ଯାଇଥିଲେ। ବିତରଣ କରୁଥିଲେ ଅମ୍ଳଜାନ। ତାଙ୍କ ସାହିତ୍ୟର ଧାରା ବି ନାରୀ ମୁକ୍ତି ଓ ସ୍ୱାଧୀନତା ଆଡ଼କୁ ପ୍ରବାହିତ ହେଉଥିଲା। ତାଙ୍କ ସ୍ୱାମୀ ଚୌଧୁରୀ ଭାଗିରଥୀ ମହାପାତ୍ର ଯିଏ କି ଜଣେ ଉଚ୍ଚ ଶିକ୍ଷିତ। ସ୍ୱାଧୀନଚେତା ଓ ଉଦାରମନା ଯୁବକ ଥିଲେ। ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ସହ ସୁଯୋଗ ମଧ୍ୟ ସୃଷ୍ଟି କରୁଥିଲେ।
‘ବାସନ୍ତୀ’ ଉପନ୍ୟାସର ସେ ଥିଲେ ଅନ୍ୟତମ ସ୍ରଷ୍ଟା
ନାରୀ ଦାବିର ମର୍ଯ୍ୟାଦା ଭଙ୍ଗ କରୁଥିବା ପୁସ୍ତକକୁ ସରଳା ଦେବୀ ବିରୋଧ କରି ସ୍ୱର ଉତ୍ତୋଳନ କରୁଥିଲେ। ‘ହାଇଫେନ୍’ ନାମକ ଏକ ଅଶ୍ଳୀଳ ଉପନ୍ୟାସ ବିରୁଦ୍ଧରେ ପ୍ରତିବାଦ କରିଥିଲେ ଓ ପୁସ୍ତକଟିକୁ ଅତି ଦମ୍ଭର ସହ ବାଜ୍ୟାପ୍ତ ବି କରିଥିଲେ। ସବୁଜ ଯୁଗର ପ୍ରତିଭାମାନଙ୍କ ମିଳିତ ପ୍ରଚେଷ୍ଟାରେ ନାରୀ ଜାଗରଣର ତାଙ୍କ ଭୂମିରେ ରଚିତ ‘ବାସନ୍ତୀ’ ଉପନ୍ୟାସର ସେ ଥିଲେ ଅନ୍ୟତମ ସ୍ରଷ୍ଟା। ସ୍ୱାମୀଙ୍କ ସହଯୋଗରେ ଅଳକା ନଦୀ ତୀରେ ସେ ଗଠନ କରିଥିଲେ “ଅଳକା ଆଶ୍ରମ” ଯାହା ଥିଲା ଓଡ଼ିଶାର ‘ସାବରମତୀ’।
୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀ ଓଡ଼ିଶା ଆସିଥିଲେ। ସଭାକୁ ସେ ହିନ୍ଦୀରେ ସମ୍ବୋଧନ କରିଥିଲେ। ତାଙ୍କର ସମଗ୍ର ଭାଷଣକୁ ସରଳା ଦେବୀ ଓଡ଼ିଆରେ ରୂପାନ୍ତରିତ କରିଥିଲେ ଓ ଶୁଣାଇଥିଲେ। ସାରା ସଭାର ଶ୍ରୋତା ଚକିତ ଓ ମୁଗ୍ଧ ହୋଇଯାଇଥିଲେ। ଧୀରେ ଧୀରେ ନାରୀ ଜାଗରଣର ଧିରି ପବନ ବୋହିଲା। ଗାନ୍ଧିଜୀଙ୍କ ଆଗମନ ସମୟରେ ପ୍ରଚାର ପାଇଁ ପ୍ରାୟ ୭୦ ଜଣ ମହିଳା ଘରର ଦୁଆର ବନ୍ଧ ଡେଇଁ ସରଳା ଦେବୀଙ୍କ ପାଦ ସହ ପାଦ ମିଶାଇ ଚାଲିଥିଲେ। କଂଗ୍ରେସର ସଦସ୍ୟତା ଗ୍ରହଣ ପରେ ସେ ଗାଁ ଗାଁ ବୁଲି ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ। ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇବା ପରେ ସେ ଥିଲେ ପ୍ରଥମ ମହିଳା ବିଧାୟିକା। ସେଇ ତ ଗୋଟିଏ ଜୀବନ, କିନ୍ତୁ କେତେ ରଙ୍ଗ, କେତେ ଭୂମିକା!
ସେ ମହିୟସୀ ଆଜି ଆଉ ନାହାନ୍ତି। ସେ ଆଉ ଦେଖିବାକୁ ନାହାନ୍ତି, ତାଙ୍କର ସ୍ୱପ୍ନ ଆଜି କେଉଁ ରୂପ ନେଇସାରିଛି। ନାରୀର ଉଡ଼ାଣ ଏବେ ଊର୍ଦ୍ଧ୍ବକୁ। ଅନେକ ଊର୍ଦ୍ଧ୍ବକୁ। ସବୁ କ୍ଷେତ୍ରରେ ତାର ପାରଦର୍ଶିତା। କିନ୍ତୁ କେତେଜଣ ଜାଣନ୍ତି “ଆଜି ଆମେ ଯାହା” ସେଥିରେ ରହିଛି ସରଳାଙ୍କ ବିଶେଷ ଅବଦାନ। ତାଙ୍କର ପ୍ରଚାର, ପ୍ରସାର ଯେତିକି ହେଉଛି ସେତିକି ଯଥେଷ୍ଟ ନୁହେଁ। ତାଙ୍କ ପାଇଁ ଏକ ବିଶେଷ ସ୍ମୃତି ମନ୍ଦିର ହେଲେ ନାରୀମାନେ ଆହୁରି ଉଦ୍ବୁଦ୍ଧ ହୋଇପାରନ୍ତେ।
ସରଳା ଦେବୀଙ୍କୁ କୋଟି ନମ।
ନାରୀ ଶକ୍ତିକୁ କୋଟି ନମ।
Cattle Smuggling: ଦୁଇ ଗୋରୁ ଚାଲାଣ ଗାଡ଼ି ଧକ୍କା: ଡ୍ରାଇଭର ଆହତ ଅନ୍ୟ ୩ ଫେରାର, ୩୬ ଗାଈ ଉଦ୍ଧାର
-ଗାୟତ୍ରୀ ସରାଫ
ବଲାଙ୍ଗୀର
୭୯୭୮୯୨୦୮୧୩(ମୋବାଇଲ୍)

1 hour ago
1


