ARTICLE AD BOX
ନୂଆଦିଲ୍ଲୀ: କର୍ମକ୍ଷେତ୍ରକୁ ଯିବାଲାଗି ଭାରତୀୟଙ୍କ ସବୁଠୁ ଅଧିକ ପସନ୍ଦ ହେଉଛି ଦୁଇ ଚକିଆ। କିନ୍ତୁ ରାତିରେ ଦୂରସ୍ଥାନକୁ ଯିବା କ୍ଷେତ୍ରରେ ଭାରତୀୟମାନେ ବସ୍ ଓ ଟ୍ରେନକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ପ୍ରଥମ ଥର ପାଇଁ କରାଯାଇଥିବା ସର୍ବ ଭାରତୀୟ ଜାତୀୟ ପାରିବାରିକ ଯାତ୍ରା ସର୍ଭେ (ଏନ୍ଏଚ୍ଟିଏସ୍)ରୁ ଏହା ଜଣାଯାଇଛି।ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ) ପକ୍ଷରୁ ସୋମବାର ଏହି ରିପୋର୍ଟ ପ୍ରକାଶ କରଯାଇଛି। ୪୨.୬ ପ୍ରତିଶତ ଶ୍ରମିକ ସ୍ଥାୟୀ କର୍ମସ୍ଥଳୀକୁ ଦୁଇ ଚକିଆରେ ଯାତ୍ରା କରୁଛନ୍ତି। କାର୍ଯ୍ୟସ୍ଥଳୀକୁ ନିୟମିତ ଯା’ଆସ କରିବାରେ ଦୁଇ ଚକିଆର ବ୍ୟବହାର ସବୁଠୁ ଅଧିକ ହେଉଛି। ଅନ୍ୟପକ୍ଷରେ ୫୫.୮ ପ୍ରତିଶତ ପରିବାର ରାତିରେ ଦୂରସ୍ଥାନକୁ ବସରେ ଯାଉଥିବାବେଳେ ଟ୍ରେନରେ ଗୋଟିଏ ସହରରୁ ଅନ୍ୟ ସହରକୁ ଆଉ ୧୭.୭ ପ୍ରତିଶତ ଯା’ଆସ କରୁଛନ୍ତି। ଅର୍ଥାତ୍ ବସ ଓ ଟ୍ରେନରେ ୭୩.୫ ପ୍ରତିଶତ ପରିବାର ଯାତ୍ରା କରୁଛନ୍ତି।
ଆହୁରି ପଢନ୍ତୁ: 70th State-Level Schoo ୭୦ତମ ରାଜ୍ୟସ୍ତରୀୟ ବିଦ୍ୟାଳୟସମୂହ ରଗବୀ ଓ ସାଇକ୍ଲିଂ ଚାମ୍ପିଅନସିପ୍
ଦୂରସ୍ଥାନକୁ ଯାତ୍ରାରେ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ବସରେ ୫୫.୮ ପ୍ରତିଶତ, ରେଳରେ ୧୭.୭ ପ୍ରତିଶତ, କାର୍ରେ ୧୫.୧ ପ୍ରତିଶତ ଏବଂ ଦୁଇ ଚକିଆରେ ୮.୮ ପ୍ରତିଶତ ଯାତ୍ରା କରୁଛନ୍ତି। ତେବେ ସହରାଞ୍ଚଳରେ ରେଳ ବ୍ୟବହାର ଅଧିକ ରହିଛି। ସହରାଞ୍ଚଳରେ ପ୍ରାୟ ୨୨.୭ ପ୍ରତିଶତ ଲୋକ ରେଳରେ ଯାତ୍ରା କରୁଥିବାବେଳେ ଗ୍ରାମାଞ୍ଚଳରେ ଏହା ୧୪ ପ୍ରତିଶତ ରହିଛି। ଏଥିରୁ ଜଣାଯାଉଛି ଦୂରସ୍ଥାନକୁ ବା ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିବା ପାଇଁ ଲୋକମାନେ ଅଧିକ ମାତ୍ରାରେ ରେଳର ଉପଯୋଗ କରୁଛନ୍ତି। ଲୋକମାନେ ରାତିରେ ଗୋଟିଏ ସହରରୁ ଅନ୍ୟ ସହରକୁ ଯାତ୍ରା କରିବାର ପ୍ରମୁଖ କାରଣ ପର୍ଯ୍ୟଟନ ପରିବର୍ତ୍ତେ ସାମାଜିକ ଓ ଧାର୍ମିକ ବୋଲି ଜଣାଯାଇଛି। ସମାଜିକ, ଧାର୍ମିକ ଭଳି ପ୍ରସଙ୍ଗରେ ୭୦.୨ ପ୍ରତିଶତ ପରିବାର ରାତିରେ ଯାତ୍ରା କରୁଛନ୍ତି। ପର୍ଯ୍ୟଟନ ସହ ଜଡ଼ିତ ରାତ୍ରିକାଳୀନ ଟ୍ରିପ୍ର ଅଂଶ ୭.୪ ପ୍ରତିଶତ।
ଆହୁରି ପଢନ୍ତୁ: Trade: ଭାରତ-ଆମେରିକା ବାଣିଜ୍ୟ ରାଜିନାମାର ଅଗ୍ରଗତି ଅଟକି ଯାଇଛି
ତେବେ ପାଠ ପଢ଼ିବା ପାଇଁ ଶିକ୍ଷାନୁଷ୍ଠାନକୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଚାଲିକରି ଯାଉଛନ୍ତି। ସେମାନଙ୍କ ସଂଖ୍ୟା ୩୭ ପ୍ରତିଶତ ହୋଇଥିବାବେଳେ ବସ୍ରେ ୨୯.୫ ପ୍ରତିଶତ ଏବଂ ସାଇକଲରେ ୧୫.୮ ପ୍ରତିଶତ ବୋଲି ଜଣାଯାଇଛି। ୬ ବର୍ଷରୁ ଅଧିକ ବୟସର ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନରେ ପହଞ୍ଚିବା ଲାଗି ଦୈନିକ ୧ କିମିରୁ ଅଧିକ ଚାଲିଚାଲି ଯାଉଛନ୍ତି। ଶ୍ରମିକମାନଙ୍କ ମାସିକ ଯାତ୍ରାଜନିତ ଖର୍ଚ୍ଚ ୭୮୫ ଟଙ୍କା ରହିଛି। କିନ୍ତୁ ସହରାଞ୍ଚଳରେ ଏହା ୧୦୪୪ ଟଙ୍କା ଥିବାବେଳେ ଗ୍ରାମାଞ୍ଚଳରେ ୬୧୨ ଟଙ୍କା ରହିଛି। ପୁରୁଷ ଓ ମହିଳା ଶ୍ରମିକଙ୍କ କ୍ଷେତ୍ରରେ ଏହି ଖର୍ଚ୍ଚରେ ପାର୍ଥକ୍ୟ ରହିଛି। ପୁରୁଷମାନେ କର୍ମସ୍ଥଳକୁ ଯିବାଲାଗି ମାସିକ ୮୩୫ ଟଙ୍କା ଖର୍ଚ୍ଚ କରୁଥିବାବେଳେ ମହିଳାଙ୍କ କ୍ଷେତ୍ରରେ ଏହା ୫୩୩ ଟଙ୍କା ରହିଛି। ୨୦୨୫ ଜୁଲାଇରୁ ୨୦୨୬ ଜୁନ ମଧ୍ୟରେ ଏହି ସର୍ଭେ ଦେଶବ୍ୟାପୀ ହୋଇଥିଲା। ଭାରତୀୟମାନେ କେଉଁଭଳି ବାରମ୍ବାର ଯାତ୍ରା କରୁଛନ୍ତି ତାହାର ଚିତ୍ର ଏଥିରୁ ମିଳିଛି। ପରିବହନ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ମଧ୍ୟ ଏହାକୁ ଉପଯୋଗ କରାଯାଇ ପାରିବ। ସର୍ଭେରେ ୧୪,୨୭୪ଟି ଗାଁ ଏବଂ ୧୦,୩୭୭ଟି ସହରାଞ୍ଚଳ ବ୍ଲକର ୪,୯୨,୦୨୩ଟି ପରିବାରର ୨.୦୩ ନିୟୁତ ଲୋକଙ୍କୁ ନେଇ କରାଯାଇଛି।

5 hours ago
2


