BHUରେ ଓଡ଼ିଆ ଭାଷା, ସାହିତ୍ୟ ଓ ସାଂସ୍କୃତିକ ଅସ୍ମିତା ଉପରେ ଦ୍ୱିତୀୟ ଜାତୀୟ ସମ୍ମିଳନୀ ଆୟୋଜନ

1 hour ago 2
ARTICLE AD BOX

ବାରାଣସୀ: କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓଡ଼ିଆ ଚେୟାର, କଳା ସଙ୍କାୟ, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଦ୍ୱାରା ‘Rediscovering Odia: Language, Literature, and the Making of a Cultural Identity’ ବିଷୟରେ ଦୁଇ ଦିନିଆ ଦ୍ୱିତୀୟ ଜାତୀୟ ସମ୍ମିଳନୀର ଉଦଘାଟନ ୩୧ ଅକ୍ଟୋବର ୨୦୨୬ରେ ମହାମନା ସଭାଗାର, ମାଳବୀୟ ମୂଲ୍ୟ ଅନୁଶୀଳନ କେନ୍ଦ୍ର, ବିଏଚୟୁ ଠାରେ କରାଯାଇଥିଲା। ଏହି ସମ୍ମିଳନୀରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ବିଶିଷ୍ଟ ବିଦ୍ୱାନ, ଲେଖକ, ଶିକ୍ଷାବିତ୍ ଏବଂ ଗବେଷକମାନଙ୍କ ସମାଗମ ହୋଇଥିଲା। 

ଉଦଘାଟନୀ ସମାରୋହରେ ପ୍ରଫେସର ଅଜିତ କୁମାର ଚତୁର୍ବେଦୀ, ମାନନୀୟ କୁଳପତି, କାଶୀ ହିନ୍ଦୁ ବିଶ୍ୱବିଦ୍ୟାଳୟ ଅଧ୍ୟକ୍ଷତା କରିଥିଲେ। ପଦ୍ମଶ୍ରୀ ଡ. ମହେନ୍ଦ୍ର କୁମାର ମିଶ୍ର, ପ୍ରଖ୍ୟାତ ଲୋକ-ସଂସ୍କୃତିବିତ୍ ଏବଂ ଭାଷାବିତ୍, ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରଫେସର ସୁଷମା ଘିଲଡିୟାଲ, ସଙ୍କାୟାଧ୍ୟକ୍ଷ, କଳା ସଙ୍କାୟ, ବିଶିଷ୍ଟ ଅତିଥି ଥିଲେ। ଓଡ଼ିଆ ଚେୟାରର ସମନ୍ୱୟକ ପ୍ରଫେସର ଗୋପବନ୍ଧୁ ମିଶ୍ର ଅତିଥି ଏବଂ ପ୍ରତିଭାଗୀମାନଙ୍କୁ ସ୍ୱାଗତ କରିଥିଲେ।

ନିଜ ଅଧ୍ୟକ୍ଷୀୟ ଅଭିଭାଷଣରେ ପ୍ରଫେସର ଚତୁର୍ବେଦୀ ଜ୍ଞାନ ଓ ଗବେଷଣାର ମାଧ୍ୟମ ଭାବେ ଭାରତୀୟ ଭାଷାଗୁଡ଼ିକର ସମୃଦ୍ଧି ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ତିନୋଟି ଭାଷାରେ ଗବେଷଣା ପତ୍ର ଉପସ୍ଥାପନା ବ୍ୟବସ୍ଥାକୁ ପ୍ରଶଂସା କରି ସେ ଓଡ଼ିଆ ଚେୟାରକୁ ବିଶ୍ୱବିଦ୍ୟାଳୟ ତରଫରୁ ନିରନ୍ତର ସହଯୋଗର ଆଶ୍ୱାସନା ଦେଇଥିଲେ। ସେ ଭବିଷ୍ୟତରେ ଚେୟାର ଅଧୀନରେ ପିଏଚଡି କାର୍ଯ୍ୟକ୍ରମ ଆରମ୍ଭ କରିବାର ସମ୍ଭାବନା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ମୁଖ୍ୟ ଅତିଥି ଡ. ମହେନ୍ଦ୍ର କୁମାର ମିଶ୍ର କାଶୀ ଏବଂ ପୁରୀ ମଧ୍ୟରେ ଗଭୀର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କ ଏବଂ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସାହିତ୍ୟିକ ଅବଦାନ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ କୌଣସି ଭାଷାର ଶାସ୍ତ୍ରୀୟ ସମୃଦ୍ଧି କେବଳ ତାର ଲିଖିତ ସାହିତ୍ୟରେ ନୁହେଁ, ବରଂ ତାର ଜୀବନ୍ତ ମୌଖିକ ଓ ଲୋକ ପରମ୍ପରାରେ ମଧ୍ୟ ନିହିତ ଥାଏ।

ପ୍ରଫେସର ସୁଷମା ଘିଲଡିୟାଲ ଭାଷାଗତ ବିବିଧତାର ସଂରକ୍ଷଣ ଓ ସମୃଦ୍ଧିରେ ଓଡ଼ିଆ ଚେୟାରର ପ୍ରୟାସକୁ ପ୍ରଶଂସା କରିଥିଲେ। ସେ ଦେଶର ବିଭିନ୍ନ ସ୍ଥାନରୁ ବିଦ୍ୱାନମାନଙ୍କୁ ଏକ ମଞ୍ଚରେ ଆଣିବାର ଏହି ପ୍ରୟାସକୁ ଗୁରୁତ୍ୱପୂର୍ଣ୍ଣ ବୋଲି କହି ଓଡ଼ିଆ ଅଧ୍ୟୟନ କ୍ଷେତ୍ରରେ ଅଧିକ ଶୈକ୍ଷିକ ଓ ଗବେଷଣା କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲେ।

ସମାରୋହର ଏକ ପ୍ରମୁଖ ଆକର୍ଷଣ ଓଡ଼ିଆ ଚେୟାରର ଅନ୍ତର୍ବିଷୟୀ ଗବେଷଣା ପୁସ୍ତକ‘ଭଞ୍ଜପୀଠପ୍ରଭା’ (Bhanjapithaprabha)ର ପ୍ରଥମ ଅଙ୍କର ଉନ୍ମୋଚନ ହୋଇଥିଲା। ଯାହାର ସମ୍ପାଦନା ପ୍ରଫେସର ଗୋପବନ୍ଧୁ ମିଶ୍ର, ପ୍ରଫେସର ପ୍ରଦୋଷ କୁମାର ମିଶ୍ର, ଡ.ଅମୀୟ କୁମାର ସାମଲ ଏବଂ ଡ.ବିଭୂତି ଭୂଷଣ ପଧାନ କରିଛନ୍ତି। ଏହି ଅବସରରେ ସମ୍ମିଳନୀର ଗବେଷଣା ସାରାଂଶ ପୁସ୍ତକର ମଧ୍ୟ ଉନ୍ମୋଚନ କରାଯାଇଥିଲା।

ସମ୍ମିଳନୀର ଉଦ୍ଦେଶ୍ୟ ଓଡ଼ିଆ ଭାଷା, ସାହିତ୍ୟ, ଇତିହାସ ଏବଂ ସାଂସ୍କୃତିକ ଅସ୍ମିତାର ବିଭିନ୍ନ ଦିଗ ଉପରେ ଶୈକ୍ଷିକ ବିମର୍ଶକୁ ପ୍ରୋତ୍ସାହିତ କରିବା। ଉଦଘାଟନୀ ସମାରୋହର ସଂଯୋଜକ ପ୍ରଫେସର ପ୍ରଦୋଷ ମିଶ୍ରଙ୍କ ପ୍ରାରମ୍ଭିକ ବକ୍ତବ୍ୟରୁ ହୋଇଥିଲା ଏବଂ ଧନ୍ୟବାଦ ଅର୍ପଣ ସମ୍ମିଳନୀର ଆୟୋଜକ ସଚିବ ଡ. ଅମିୟ କୁମାର ସାମଲ ପ୍ରଦାନ କରିଥିଲେ।

ଦୁଇ ଦିନିଆ ସମ୍ମିଳନୀର ପ୍ରଥମ ଦିନ ଦ୍ୱିତୀୟ ଅଧିବେଶନ ଏବଂ ୧ ନଭେମ୍ବର ୨୦୨୬ ଦୁଇଦିନ ଧରି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ୩୨ ଜଣ ବିଦ୍ୱାନଙ୍କ ଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟ ସମ୍ବନ୍ଧିତ ବିଭିନ୍ନ ଗବେଷଣା ପତ୍ର ଉପସ୍ଥାପିତ ହେବ। ଯେଉଁଥିରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସାଂସ୍କୃତିକ ଐତିହ୍ୟର ବିଭିନ୍ନ ଦିଗ ଉପରେ ବିଚାର ବିମର୍ଶ ହେବ। ସମ୍ମିଳନୀରେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦାସ ବେନହୁର ଏବଂ ସମ୍ପାଦିକା, ଔପନ୍ୟାସିକା ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ଡ. ଇତିରାଣୀ ସାମନ୍ତ ଅତିଥି ବକ୍ତା ଭାବେ ଯୋଗ ଦେଇଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.