Bhuri Bai: ‘ମୋ କଳା ହିଁ ମୋର ପରିଚୟ’: ଭୂରି ବାଈ

1 hour ago 2
ARTICLE AD BOX

ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଛୋଟ ଗାଁଟିଏ ଅଛି ପେଟଲାବାଦ। ସେଠାରେ କିଛି ଭିଲ୍‌ ଆଦିବାସୀ ପରିବାର ରହୁଥିଲେ। ଅନ୍ୟମାନଙ୍କ ଜମିରେ ଚାଷକରି ପରିବାର ପ୍ରତିପୋଷଣ କରୁଥିଲେ। ଏମିତି ଏକ ପରିବାରରେ ଝିଅଟିଏ ଜନ୍ମ ହେଇଥିଲା ୧୯୬୦ ମସିହାରେ। ନାମ ଥିଲା ଭୂରି ବାଈ। ପାଠ ପଢ଼ିବାର କୌଣସି ସୁଯୋଗ ନ ଥିଲା ଛୋଟ ଝିଅଟି ପାଇଁ। ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ ପରି ଦଶବର୍ଷ ବୟସରେ ବାପା ମରିଯାଆନ୍ତି। ଘର ଘର ବୁଲି ମଜୁରି କାମ କରି ପେଟ ପୋଷନ୍ତି ଭୂରି ବାଈ। ତେବେ ଗାଁରେ ଥିଲାବେଳେ ଝିଅଟିକୁ ଚିତ୍ର ଆଙ୍କିବାକୁ ଭଲ ଲାଗୁଥିଲା। ଗାଁରେ ଥିବା ମାଟିଘର କାନ୍ଥମାନଙ୍କରେ ବିଭିନ୍ନ ପ୍ରକାର ପତ୍ରର ରସ, ପଥରଗୁଣ୍ଡ ଓ ଅନ୍ୟାନ୍ୟ ପ୍ରାକୃତିକ ରଙ୍ଗ ତିଆରି କରି ଝିଅଟି ଆଙ୍କୁଥିଲା ଭିଲ୍‌ ଜନଜୀବନର ପ୍ରତିଛବି ସବୁ। ପିଥୋରା ଦେବତା, ବାବା ଦେବ, ଘୋଡ଼ା ଉପରେ ବସିଥିବା ଦେବପୁରୁଷ, ସୂର୍ଯ୍ୟ, ଚନ୍ଦ୍ର, ଗଛବୃଛ, ପଶୁପକ୍ଷୀ ଏମିତି ଅନେକ ଚିତ୍ର। ନିଜେ ଖୁସି ହେଉଥିଲା। କିଛି ସମୟ ପାଇଁ ଗରିବୀ ଭୁଲିଯାଉଥିଲା ଝିଅଟି। ତେବେ ଏଥିରୁ ପ୍ରଶଂସା ମିଳୁଥିଲା ସିନା ପଇସା ନୁହେଁ। ତେବେ ଭୂରି ବାଈ ଜୀବନରେ ମୋଡ଼ଟିଏ ଆସିଲା। ସେ ଗାଁରୁ ଭୋପାଳକୁ ୧୯୮୬ରେ ଆସିଲେ। ସେଠାରେ ସେ ଜଣେ ଶ୍ରମିକ ଭାବରେ କାମ କରିବାକୁ ଲାଗିଲେ। ତେବେ ଦିନେ ସେ ଆଙ୍ଗୁଠିରେ ଚିତ୍ର ଆଙ୍କିଲାବେଳେ ପ୍ରସିଦ୍ଧ ଗୋଣ୍ଡ ଚିତ୍ରକର ଜଙ୍ଗର ସିଂ ଶ୍ୟାମ ଦେଖିଲେ ଏବଂ ତାଙ୍କୁ କାଗଜ, ରଙ୍ଗ ଓ ତୂଳୀ ଦେଲେ ଚିତ୍ର ଆଙ୍କିବାକୁ।

Accident: ହରିୟାଣାରେ ହାଇଭୋଲଟେଜ୍‌ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍‌‌

ସେତେବେଳେ ଭୂରି ବାଈଙ୍କ ହାତ ଥରିଲା ଓ ଆଖି ସଜଳ ହେଇଗଲା। କାରଣ ସେ ପୂର୍ବରୁ କେବେହେଲେ କାଗଜ କି କଲମ ଧରିନଥିଲେ। ତଥାପି ସେ ଚିତ୍ରଟିଏ ଆଙ୍କିଲେ। ସେତେବେଳେ ସେ ସଫେଇ କର୍ମଚାରୀ ଭାବରେ ଭୋପାଳର ଭାରତ ଭବନରେ କାର୍ଯ୍ୟ କରୁଥିଲେ। ସେଠାକାର ପୂର୍ବତନ ନିର୍ଦ୍ଦେଶକ ଜଗଦୀଶ ସ୍ବାମୀନାଥନ ତାଙ୍କର ଚିତ୍ରକଳା ଦେଖିଲେ ଓ ପ୍ରୋତ୍ସାହନ କଲେ। ସେଠାରେ ଭୂରି ବାଈ ପ୍ରଥମେ ଭିଲ୍‌ ଲୋକକଳା ‘ପିଥୋରା’ କାନ୍‌ଭାସ୍‌ ଉପରେ ଆଙ୍କିଲେ ଏବଂ ୧୯୮୭ରେ ଜଗଦୀଶ ସ୍ବାମୀନାଥନଙ୍କର ସୌଜନ୍ୟରୁ ସେ କାମ କରୁଥିବା ଭାରତ ଭବନରେ ହିଁ ତାଙ୍କର ଏକକ ଚିତ୍ରକଳା ପ୍ରଦର୍ଶନୀ ହୋଇଥିଲା। ଭୂରିଙ୍କ ଗ୍ରାମ୍ୟ ଜୀବନର ଚିତ୍ରରେ ଚାଷ, ଉତ୍ସବ, ମେଳା ଓ ଘରକାମ କରୁଥିବାର ଦୃଶ୍ୟ; ପୁଣି ପ୍ରକୃତି, ପଶୁପକ୍ଷୀ, ସ୍ବପ୍ନ, ଲୋକକଥା, କିଂବଦନ୍ତି ଓ ଦେବଦେବୀଙ୍କୁ ନେଇ ପିଥୋରା ଓ ରୋଦନାର ଅନୁପମ ଚିତ୍ରସବୁ ତାଙ୍କୁ ଅଚିରେ ପ୍ରସିଦ୍ଧି ଆଣ‌ିଦେଲା ଏବଂ ତାଙ୍କ ଜୀବନର ଗତିପଥ ବଦଳିଗଲା।

ଛୋଟ ଛୋଟ ଡଟ୍‌ ଓ ଲାଇନ୍‌ରେ ଭରା ଗୋଲାକାର ପ୍ୟାଟର୍ଣ୍ଣ ଓ ଚିତ୍ରକଳାରେ ବ୍ୟବହୃତ ଉଜ୍ଜ୍ବଳ ଲାଲ୍‌, ହଳଦିଆ, ସବୁଜ, ନୀଳ ରଙ୍ଗ ଦର୍ଶକ ଓ କଳାପ୍ରେମୀଙ୍କୁ ମୁଗ୍ଧ କରେ। ତାଙ୍କ ଚିତ୍ର ସବୁ ଆଜିକା ଦିନରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟରେ ଲଣ୍ଡନ, ଫ୍ରାନ୍‌ସ ଓ ଜାପାନ୍‌ ଆଦି ଦେଶରେ ପ୍ରଦର୍ଶିତ ଓ ବିକ୍ରି ହୁଏ। ସେ ଆରମ୍ଭ କରିଥିବା ଭାରତ ଭବନର ରୂପାଙ୍କର ଗ୍ୟାଲେରିରେ ତାଙ୍କର ଅନେକ ପ୍ରାରମ୍ଭିକ ଚିତ୍ରକଳା ଏଯାଏ ଅଛି। ସେଗୁଡ଼ିକ ଭିଲ୍‌ କଳାର ସବୁଠୁ ପୁରାତନ ଓ ଦାମିକା ନମୁନା ଭାବରେ ଗଣାହୁଏ। ୧୯୯୮ରେ ଭୂରି ବାଈ ରାଜ୍ୟ ହସ୍ତଶିଳ୍ପ ପୁରସ୍କାର ପାଇଥିଲେ। ଗତ ୨୦୨୧ରେ କଳା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରିଛନ୍ତି। ଭିଲ୍‌ କଳାର ମା’ ଭାବରେ ଖ୍ୟାତ ଭୂରି ବାଈ ଏବେବି ଚିତ୍ରକଳା ଶିଖାଉଛନ୍ତି।

India GDP: ୨୦୩୬ ସୁଦ୍ଧା ଭାରତ ହେବ୨୦ ଟ୍ରିଲିଅନ ଡଲାର ଅର୍ଥନୀତି

Read Entire Article
LEFT SIDEBAR AD

Hidden in mobile, Best for skyscrapers.