Bay of Bengal: ୧୫ଂ ତଳେ ୭ ସହର: ବଙ୍ଗୋପସାଗରରେ ୧୩ରେ ଲଘୁଚାପ, ୧୫ରେ ଅବପାତ

20 hours ago 1
ARTICLE AD BOX

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ସେହି ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇପାରେ। ଏହା ଉତ୍ତରପଶ୍ଚିମ ଦିଗରେ ଗତି କରି ୧୪ ତାରିଖରେ ସ୍ପଷ୍ଟ-ଚିହ୍ନିତ ଲଘୁଚାପ ଏବଂ ୧୫ ତାରିଖ ବେଳକୁ ଆହୁରି ଘନୀଭୂତ ହୋଇ ଅବପାତ ରୂପ ନେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ଗତି ଓ ତୀବ୍ରତା ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନ ଥିଲେ ମଧ୍ୟ ଆଣ୍ଡାମାନ ଓ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ଆକଳନ କରିଛି। ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା କ୍ଷୀଣ ରହିଛି।

ଓଡ଼ିଶା ଉପରେ ପ୍ରଭାବ ପଡ଼ିବାର ସମ୍ଭାବନା କ୍ଷୀଣ

ଅନ୍ୟପକ୍ଷରେ ସାରା ରାଜ୍ୟରେ ପାରଦ ତଳମୁହାଁ ହୋଇଛି। ୭ଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରି ତଳକୁ ଖସି ଆସିଛି। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା ସିମିଳିଗୁଡ଼ାଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୧.୧ ଡିଗ୍ରି ରେକର୍ଡ ହୋଇଛି। ଏହା ତଳକୁ ଜି.ଉଦୟଗିରିରେ ୧୨.୫ ଡିଗ୍ରି, ନବରଙ୍ଗପୁରରେ ୧୩.୫ ଡିଗ୍ରି, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି, ଭବାନୀପାଟଣାରେ ୧୪.୬ ଡିଗ୍ରି, ଝାରସୁଗୁଡାରେ ୧୪.୬ ଡିଗ୍ରି ଓ କୋରାପୁଟରେ ୧୫.୪ ଡିଗ୍ରି ରହିଥିଲା। ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୪ରୁ ୫ ଡିଗ୍ରି ହ୍ରାସ ପାଇଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସ୍ବାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରି, ଦକ୍ଷିଣ ଅଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ୨ ଡିଗ୍ରି ଓ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି କମ୍‌ ରହିଥିଲା। ଅନ୍ୟ କୌଣସି ଜିଲ୍ଲାରେ ବଡ଼ ପରିବର୍ତ୍ତନ ହୋଇ ନାହିଁ।କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ଘନ କୁହୁଡ଼ି ହୋଇଛି। ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି ଯେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ପରେ ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଏହା ଅବପାତରେ ପରିଣତ ହେବ। ବିଶ୍ୱସ୍ତରୀୟ ପାଣିପାଗ ମଡେଲ୍‌ ଆକଳନ କରିଛନ୍ତି ଯେ ସିଷ୍ଟମ୍‌ଟି ଅତ୍ୟଧିକ ଶକ୍ତିଶାଳୀ ନହୋଇ ଅବପାତ ରୂପରେ ରହିପାରେ ଏବଂ ନଭେମ୍ବର ୧୫/୧୬ ବେଳକୁ ଏହାର ସର୍ବାଧିକ ପବନ ବେଗ ଘଣ୍ଟାପ୍ରତି ପ୍ରାୟ ୪୬ରୁ ୬୧ କିମି ହୋଇପାରେ। ଅଧିକାଂଶ ମଡେଲ୍‌ ଅନୁସାରେ, ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଶ୍ରୀଲଙ୍କା, ଉତ୍ତର ତାମିଲନାଡୁର ପୁଡୁଚେରୀ-ଚେନ୍ନାଇ ଅଞ୍ଚଳ କିମ୍ବା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଆଡ଼କୁ ମୁହାଁଇପାରେ। ଓଡ଼ିଶା ଏହି ସିଷ୍ଟମ୍‌ର ସିଧାସଳଖ ପ୍ରଭାବରୁ ଦୂରରେ ରହିପାରେ। ସିଷ୍ଟମ୍‌ର କେନ୍ଦ୍ର ଓଡ଼ିଶା ଉପକୂଳଠାରୁ ପ୍ରାୟ ୫୦୦ରୁ ୭୦୦ କିଲୋମିଟର ଦକ୍ଷିଣରେ ରହିପାରେ। ତେଣୁ ରାଜ୍ୟରେ ଶୁଷ୍କ ପାଗ ଏବଂ ସକାଳର ଥଣ୍ଡା ଓ କୁହୁଡ଼ିଆ ପରିସ୍ଥିତି ଜାରି ରହିପାରେ ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.