ARTICLE AD BOX
ହୁମ୍ମା/ଗଞ୍ଜାମ: ଗାଁ ଶ୍ମଶାନକୁ ପକ୍କାରାସ୍ତା ନ ଥିବାରୁ ଭରା କେନାଲ୍ ପାର ହୋଇ ଗଲା ଶବ। ଗଞ୍ଜାମ ବ୍ଲକ୍ ଅଧୀନ ହୁମ୍ମା ପଞ୍ଚାୟତ ବାଉଁଶିଆପଡ଼ା ଗାଁରୁ ଏଭଳି ଚିନ୍ତାଜନକ ଚିତ୍ର ସାମନାକୁ ଆସିଛି। ଗତ ଶୁକ୍ରବାର ଅପରାହ୍ଣରେ ଗାଁର ଉଦୟନାଥ ନାୟକ (୭୯)ଙ୍କ ମୃତ୍ୟୁ ଘଟିଥିଲା। ଶ୍ମଶାନକୁ ଯିବା ପାଇଁ ରାସ୍ତା ନଥିବାରୁ ପରିବାର ଓ ଗ୍ରାମବାସୀ ଶବକୁ କୋକେଇରେ ବୋହି ବିଲମାଳ ଦେଇ ପାଣିଭରା ହୀରାଧରବାଟି କେନାଲ ପାର ହୋଇ ଶବକୁ ଆଣିଥିଲେ। ପରେ ତାଙ୍କର ନିଜସ୍ବ ଜମିରେ ଅନ୍ତିମ ସତ୍କାର କରାଯାଇଥିଲା। ବାଉଁଶିଆପଡ଼ା ଗ୍ରାମର ଶ୍ମଶାନକୁ ରାସ୍ତା ସମସ୍ୟା ଆଜିର ନୁହେଁ। ଖରାଦିନେ ଅସୁବିଧା ହେଉନଥିଲେ ହେଁ ବର୍ଷାଦିନେ ରାସ୍ତାରେ ଆଣ୍ଠୁଏ କାଦୁଅ ଜମା ହେଉଥିବା ସହ ନାଳରେ ପାଣି ଭରିଯାଉଥିବାରୁ ମୃତଦେହକୁ ନାଳ ପାର କରାଇବା କଷ୍ଟକର ହୋଇପଡ଼େ।
Accident: ହରିୟାଣାରେ ହାଇଭୋଲଟେଜ୍ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କ୍ୟାଣ୍ଟର-ଟ୍ରକ୍
ଏପରିକି ବର୍ଷାଦିନେ ଯଦି ରାତିରେ କାହାର ମୃତ୍ୟୁ ହୁଏ, ତା’ହେଲେ ଶବଦାହ ପାଇଁ ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ। ଗାଁ ଭିତରକୁ ସଂଯୋଗ ହେଉଥିବା ରାସ୍ତାର ଅବସ୍ଥା ମଧ୍ୟ ଅତ୍ୟନ୍ତ ଦୟନୀୟ। ଚାରିଚକିଆ ଗାଁ ଭିତରକୁ ଆସି ପାରୁ ନଥିବାରୁ ଜରୁରି ସମୟରେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିପାରୁନି। ରୋଗୀଙ୍କୁ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥାଏ। ଗାଁର ଅବସରପ୍ରାପ୍ତ ପ୍ରାଣୀ ବିଭାଗ କର୍ମଚାରୀ ଚୈତନ୍ୟ ନାୟକ କହିଛନ୍ତି, ଏହି ସମସ୍ୟା ନେଇ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ବହୁବାର ଅବଗତ କରାଯାଇଛି। ଏପରିକି ବିଡିଓ ଓ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ କୌଣସି ସୁଫଳ ମିଳୁନି। ସେହିପରି ଗାଁ ନିକଟରେ ଆଉ ଦୁଇଟି ଶ୍ମଶାନ ଅଛି। ତେବେ ଜାତିଗତ କାରଣ ଦର୍ଶାଇ ସେହି ଶ୍ମଶାନଗୁଡ଼ିକୁ ବ୍ୟବହାର କରିବାକୁ ସେମାନଙ୍କୁ ଅନୁମତି ଦିଆଯାଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
Horoscope 2026 August 16: ଜାଣନ୍ତୁ ଆଜିର ରାଶିଫଳ
ଏହି ଘଟଣାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଯାନି କହିଛନ୍ତି ଯେ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବା ନେଇ ଗ୍ରାମବାସୀଙ୍କ ସହ ଆଲୋଚନା ହୋଇଛି। ଯେଉଁ ହୁମ୍ମାର ମାଟି ସ୍ୱାଧୀନତା ସଂଗ୍ରାମ ବେଳେ ଲବଣ ସତ୍ୟାଗ୍ରହର କେନ୍ଦ୍ର ଥିଲା, ଯେଉଁଠି ଲୋକେ ଦେଶ ପାଇଁ ଜୀବନ ଦେଇଥିଲେ, ସେହି ମାଟିରେ ଆଜି ଜଣେ ସାଧାରଣ ନାଗରିକର ଶେଷ ଯାତ୍ରା ପାଇଁ ରାସ୍ତା ନ ମିଳିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି।

1 hour ago
1


