ARTICLE AD BOX
ଚଣ୍ଡିଗଡ଼: ସ୍କୁଲ ସରକାରୀ କାର୍ଯ୍ୟାଳୟ ଏବଂ କୋର୍ଟ ପରେ, ଚଣ୍ଡିଗଡ଼ର ବ୍ୟାଙ୍କ ଏବେ ବୋମା ଧମକର ଟାର୍ଗେଟ ପାଲଟିଛି। ମୋହାଲି ବିମାନବନ୍ଦର ଏବଂ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ ଏକ କନସର୍ଟରେ ମଧ୍ୟ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ଗୁରୁବାର ସକାଳେ ଇଣ୍ଡିଆନ୍ ବ୍ୟାଙ୍କର ଚଣ୍ଡିଗଡ଼ ମୁଖ୍ୟ ଶାଖା ଜୋନାଲ ଅଫିସ୍ ଏବଂ ଫିଲ୍ଡ ଜେନେରାଲ ମ୍ୟାନେଜରଙ୍କ ଅଫିସ୍କୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ଆସିଛି।
ଇମେଲ୍ରେ ଅପରାହ୍ନ ୧ଟା ୧୧ ରେ ଚଣ୍ଡିଗଡ଼ର ଏକ ବ୍ୟାଙ୍କ ଶାଖାରେ ବୋମା ବିସ୍ଫୋରଣ କରିବାକୁ ଧମକ ଦିଆଯାଇଥିଲା। ଏହା ସହିତ ରାତି ୯ଟା ୧୧ ରେ ମୋହାଲି ବିମାନବନ୍ଦରରେ ମଧ୍ୟ ବୋମା ବିସ୍ଫୋରଣ ହେବାର ଧମକ ଦିଆଯାଇଛି। ୧୨ ନଭେମ୍ବର ପୂର୍ବାହ୍ନ ୧୦ଟା ୪୦ରେ ଇଶା ସ୍ମିଥ୍ ନାମକ ଏକ ଇମେଲ୍ ଆଇଡିରୁ ପଠାଯାଇଥିବା ଏହି ମେସେଜରେ ଇଣ୍ଡିଆନ୍ ବ୍ୟାଙ୍କ ଚଣ୍ଡିଗଡ଼ ଶାଖାରେ ଅପରାହ୍ନ ୧ଟା ୧୧ରେ ବମ୍ ବ୍ଲାଷ୍ଟ ବିଷୟ ଲେଖା ଥିଲା। ଇମେଲ୍ରେ ବ୍ୟାଙ୍କ ବ୍ୟତୀତ ଅନ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଟାର୍ଗେଟ କରାଯିବା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା।
ଆଇଫୋନ୍ ବିସ୍ଫୋରଣ କରିବାକୁ ଧମକ
ଏହି ଧମକପୂର୍ଣ୍ଣ ମେସେଜରେ ଡିସେମ୍ବର ୧୨ ତାରିଖରେ ମୁଲାନପୁର ଷ୍ଟାଡିୟମରେ ହେବାକୁ ଥିବା ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ ଯୋଜନାବଦ୍ଧ କନସର୍ଟକୁ ଟାର୍ଗେଟ କରାଯିବାକୁ ମଧ୍ୟ ଦାବି କରାଯାଇଛି। ଇମେଲରେ ସୋ’ ସମୟରେ ଏକ ଆଇଫୋନ୍ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ଏହା ବ୍ୟତୀତ, ଡିସେମ୍ବର ୩୧ ସୁଦ୍ଧା ଅମିତାଭ ବଚ୍ଚନଙ୍କ ଜଲସାରେ ଭଳି କାଣ୍ଡ ଘଟାଇବା ଧମକ ସହିତ ୧୯୮୪ର ହିଂସାକାଣ୍ଡ ପ୍ରତିଶୋଧର କଥା ଉଲ୍ଲେଖ କରି ଧମକକୁ ଅଧିକ ଗମ୍ଭୀର କରିବାକୁ ଚେଷ୍ଟା କରାଯାଇଛି।
ଅଜଣା ବସ୍ତୁ କିମ୍ବା ଆଇଫୋନକୁ ନ ଛୁଇଁବାକୁ ନିବେଦନ
ଏହି ଇମେଲ୍ରେ ଖାଲିସ୍ତାନ ନ୍ୟାସନାଲ ଆର୍ମି ଏବଂ ବବର ଖାଲସା (ପରମାର-କାନାଡା) ଭଳି ସଂଗଠନର ନାମ ସହିତ ଶେଷରେ କିଛି ବ୍ୟକ୍ତିଙ୍କ ନାମ ମଧ୍ୟ ରହିଛି। ଜନସାଧାରଣଙ୍କୁ ଦିଲଜିତ୍ ଦୋସାଞ୍ଜଙ୍କ ଶୋ’ରେ ଯୋଗ ନଦେବାକୁ ଏବଂ ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ମଧ୍ୟ ଚେତାବନୀ ଦିଆଯାଇଛି। ଏହା ସହିତ ରାସ୍ତାରେ ପଡ଼ିଥିବା କୌଣସି ଅଜଣା ବସ୍ତୁ କିମ୍ବା ଆଇଫୋନକୁ ନ ଛୁଇଁବାକୁ ନିବେଦନ କରାଯାଇଛି।
Uttar Pradesh Politics: ଅଖିଳେଶ ଓ ମାୟାବତୀଙ୍କ ବଢ଼ିଲା ସମସ୍ୟା
ଲଗାତାର ଧମକ ମଧ୍ୟରେ ବ୍ୟାଙ୍କକୁ ପଠାଯାଇଥିବା ଏହି ଇମେଲ୍ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ପୁଲିସ ଏବଂ ଗୁଇନ୍ଦା ସଂସ୍ଥାଗୁଡ଼ିକ ଇମେଲର ସତ୍ୟତା, ପ୍ରେରକଙ୍କ ପରିଚୟ ଏବଂ ଧମକ ପଛରେ ଥିବା ଉଦ୍ଦେଶ୍ୟର ତଦନ୍ତ କରୁଛନ୍ତି। ଧମକରେ ଉଲ୍ଲେଖ କରାଯାଇଥିବା ସ୍ଥାନଗୁଡ଼ିକରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।

4 hours ago
3


