ARTICLE AD BOX
ଛତ୍ରପୁର: ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲ୍ଆଇ) ସ୍କିମ୍କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ ହୋଇନଥିବା ପ୍ରତିବାଦରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଦିନିକିଆ ଧର୍ମଘଟଡାକରା ଦିଆଯାଇଛି। ଏହାର ପ୍ରଭାବ ଛତ୍ରପୁରରେ ମଧ୍ୟ ପରିଲକ୍ଷିତ ହୋଇଛି।
ଛତ୍ରପୁର ଷ୍ଟେଟ୍ ବ୍ୟାଙ୍କ ମୁଖ୍ୟ ଶାଖା ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇ ବିଭିନ୍ନ ଦାବି ନେଇ ପ୍ରତିବାଦ କରିଥିଲେ। ଧର୍ମଘଟ ଯୋଗୁଁ ବ୍ୟାଙ୍କର ସାଧାରଣ କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଫଳରେ ଟଙ୍କା ଜମା, ଉଠାଣ ସମେତ ବିଭିନ୍ନ ବ୍ୟାଙ୍କିଂ କାର୍ଯ୍ୟ ପାଇଁ ଆସିଥିବା ଗ୍ରାହକମାନେ ହନ୍ତସନ୍ତ ହୋଇଥିଲେ। ଦୂରଦୂରାନ୍ତରୁ ବ୍ୟାଙ୍କ କାମରେ ଆସିଥିବା ଅନେକ ଗ୍ରାହକ କାର୍ଯ୍ୟ ନହୋଇ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ।
ଧର୍ମଘଟରେ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘ, ବ୍ରହ୍ମପୁର ଜୋନାଲର ସମ୍ପାଦକ ଜିତେନ୍ଦ୍ର କୁମାର ପଲାଇ, ଅଲ୍ ଓଡ଼ିଶା ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ କର୍ମଚାରୀ ସଂଘର ଉପସାଧାରଣ ସମ୍ପାଦକ ପବିତ୍ର ମୋହନ ପଲାଇ, ସର୍ବଭାରତୀୟ ଷ୍ଟେଟ୍ ବ୍ୟାଙ୍କ କର୍ମଚାରୀ ସଂଘର ପୂର୍ବତନ ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ସରୋଜ ପରିଡ଼ା, ମନୋଜ କୁମାର ଦାଶ, ସୋମନାଥ ବେହେରା, ଉଦୟ ସାହୁ, ଏନ୍. ପ୍ରଭାକର ରାଓ, ଏନ୍. ମାଧବ ରାଓ, ପଦ୍ମା ବେହେରା, ଆର୍. ପ୍ରିୟଙ୍କା ରେଡ୍ଡୀ, ଅଭିଷେକ ଯାନୀଙ୍କ ସମେତ ବହୁ କର୍ମଚାରୀ ସାମିଲ ଥିଲେ।
ସୂଚନାଯୋଗ୍ୟ, ବ୍ୟାଙ୍କରେ ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହା ଏପର୍ଯ୍ୟନ୍ତ ଲାଗୁ ହୋଇନଥିବାରୁ କର୍ମଚାରୀମାନେ ଆନ୍ଦୋଳନ ପନ୍ଥା ଆପଣାଇଛନ୍ତି। ନିଷ୍ପତ୍ତି ଅନୁଯାୟୀ ପ୍ରତ୍ୟେକ ଶନିବାର ଛୁଟି ରହିବା ଦାବି ରହିଛି।
ଅନ୍ୟପକ୍ଷରେ, ଶୁକ୍ରବାର ଧର୍ମଘଟ ପରେ ମାସର ଦ୍ୱିତୀୟ ଶନିବାର, ରବିବାର, ଗଣେଶ ପୂଜା ଅବସରରେ ସୋମବାର ଏବଂ ନୂଆଖାଇ ପାଇଁ ମଙ୍ଗଳବାର ବ୍ୟାଙ୍କ ଛୁଟି ରହିବାରୁ ଲଗାତାର ପାଞ୍ଚ ଦିନ ଧରି ବ୍ୟାଙ୍କିଂ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି।
Puri Hospital: ପୁରୀ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଭୁଲ ରକ୍ତ: ଗୁରୁତର ମହିଳାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର

31 minutes ago
1


