ARTICLE AD BOX
ଢାକା: ବାଂଲାଦେଶରେ ପୁଣି ରାଜନୈତିକ ହିଂସା ଓ ପୋଡ଼ାଜଳା ଘଟଣା ସାମ୍ନାକୁ ଆସିଛି। ନିଷିଦ୍ଧ ଛାତ୍ରଲିଗ୍ ପକ୍ଷରୁ ଦିଆଯାଇଥିବା ଦେଶବ୍ୟାପୀ ଅବରୋଧ ମଧ୍ୟରେ ଖଗ୍ରାଛାରି ଜିଲ୍ଲାରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ଏକ କାର୍ଯ୍ୟାଳୟକୁ ନିଆଁ ଲଗାଇ ଦିଆଯାଇଛି। ଅନ୍ୟପକ୍ଷରେ ଫରିଦପୁରରେ ଏକ ବସ୍ରେ ନିଆଁ ଲଗାଇ ଦିଆଯିବାରୁ ଭିତରେ ଶୋଇଥିବା ୬୦ ବର୍ଷୀୟ ଡ୍ରାଇଭରଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି।
ରିପୋର୍ଟ ଅନୁଯାୟୀ, ଖଗ୍ରାଛାରି ଜିଲ୍ଲାର ଗୁଇମାରା ଉପଜିଲ୍ଲାରେ ଥିବା ବିଏନ୍ପି କାର୍ଯ୍ୟାଳୟରେ ମଙ୍ଗଳବାର ଭୋର୍ ପ୍ରାୟ ୩ଟା ୩୦ରେ ନିଆଁ ଲଗାଯାଇଥିଲା। ଏଥିରେ କାର୍ଯ୍ୟାଳୟଟି ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘଟଣାରେ ସମ୍ପୃକ୍ତି ସନ୍ଦେହରେ ଆୱାମୀ ଲିଗ୍ ଓ ଛାତ୍ରଲିଗ୍ ସହ ଜଡ଼ିତ ୬ ଜଣଙ୍କୁ ଅଟକ ରଖାଯାଇଥିବା ପୁଲିସ କହିଛି। ଫରିଦପୁରରେ ମହମ୍ମଦ କଲାଚାନ ଶେଖ୍ (୬୦) ନାମକ ଜଣେ ବସ୍ ଡ୍ରାଇଭର ଗାଡ଼ି ଭିତରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ। ଧୂଆଁରେ ଶ୍ୱାସରୁଦ୍ଧ ହୋଇ ଉଦ୍ଧାର ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ଫରିଦପୁର କୋତୱାଲି ଥାନା ଅଧିକାରୀ କହିଛନ୍ତି।
ଆହୁରି ପଢନ୍ତୁ: Chhath Puja: ମାତ୍ର ୨୧୦୦ ଟଙ୍କାରେ ଆକାଶରୁ ଦେଖିପାରିବେ ପଟନାର ଛଠ ପୂଜା
ଏହାବ୍ୟତୀତ ଢାକାର ଧାମରାଇ ଓ ସାଭାର, ଚଟ୍ଟଗ୍ରାମ ସମେତ ବିଭିନ୍ନ ସ୍ଥାନରେ ବସ୍ ଓ ଅନ୍ୟ ଯାନବାହନରେ ନିଆଁ ଲଗାଯାଇଥିବା ଖବର ମିଳିଛି। ଗୋପାଳଗଞ୍ଜରେ ସରକାରୀ ଜିଲ୍ଲା ସ୍କୁଲ, ମହିଳା କଲେଜ, ଶିଳ୍ପକଳା ଏକାଡେମୀ ଓ ଆଞ୍ଚଳିକ ପାସପୋର୍ଟ କାର୍ଯ୍ୟାଳୟ ନିକଟରେ ଦେଶୀ ବୋମା ବିସ୍ଫୋରଣ ହୋଇଛି। ଘଟଣାସ୍ଥଳରୁ ୧୫ଟି ଦେଶୀ ବୋମା ଜବତ ହୋଇଥିବା ପୁଲିସ କହିଛି। ଏହି ଘଟଣାରେ ୮ ଜଣ ଗିରଫ ହୋଇଛନ୍ତି। ଚଟ୍ଟଗ୍ରାମର ହାଥାଜାରି ଅଞ୍ଚଳରେ ଦୁଇଟି ବସ୍ ଭଙ୍ଗାରୁଜା ଘଟଣାରେ ତିନି ଜଣ ଛାତ୍ରଲିଗ୍ କର୍ମୀ ଗିରଫ ହୋଇଛନ୍ତି।
ଆହୁରି ପଢନ୍ତୁ: Clinton: କ୍ଲିଣ୍ଟନଙ୍କ ନଜର ଥିଲା ସୁନ୍ଦରୀ ମହିଳାଙ୍କ ଉପରେ: ସୋନିଆ
ସେମାନଙ୍କଠାରୁ ଦୁଇଟି ପେଟ୍ରୋଲ ବୋମା ଜବତ ହୋଇଛି। ଅନ୍ୟପକ୍ଷରେ ରାଙ୍ଗାମାଟିରେ ଏକ କୋର୍ଟ ଓ ତିନୋଟି ଶିକ୍ଷାନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାଗୁଡ଼ିକ ପରେ ପୁଲିସ ରାତିସାରା ଅଭିଯାନ ଚଳାଇ ୧୧ ଜଣଙ୍କୁ ଗିରଫ କରିବା ସହ ୬ ଜଣଙ୍କୁ ଅଟକ ରଖିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଦଳ ଆୱାମୀ ଲିଗ୍ ଏବଂ ଏହାର ଛାତ୍ର ସଂଗଠନ ଛାତ୍ରଲିଗ୍ ଉପରୁ ନିଷେଧାଜ୍ଞା ହଟାଇବା ଦାବିରେ ଏହି ଅବରୋଧ ଡାକରା ଦିଆଯାଇଛି।

1 hour ago
1


