ARTICLE AD BOX
ବାଲିପାଟଣା/ଜଙ୍କିଆ: ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଘେରିଲେ ଅଭିଭାବକ। ଆଜି ଆଦର୍ଶ ବିଦ୍ୟାଳୟ ଅଭିଭାବକ ଏବଂ ମୃତ ଅର୍ଣ୍ଣବଙ୍କ ସମ୍ପର୍କୀୟ ବାଲିପାଟଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ଅର୍ଣ୍ଣବ ମୃତ୍ୟୁର ରହସ୍ୟ ଉନ୍ମୋଚନ ଦାବି ସହ ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | ବହୁ ସଂଖ୍ୟାରେ ଅଭିଭାବକ ଭାକର ସାହି ସ୍ଥିତ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ସନ୍ତୋଷ ମହାପାତ୍ରଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି | ଆଦର୍ଶ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ପାଇଁ ପଠାଇ ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି | ପୂର୍ବ ରାତିରେ ଛାତ୍ରମାନଙ୍କ ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ଝଗଡ଼ା ହୋଇଥିଲା | ଛାତ୍ରମାନଙ୍କ ମଧ୍ୟରେ ହାତାହାତି ହୋଇଥିଲା | ପୂର୍ବ ରାତି ବିବାଦକୁ କେନ୍ଦ୍ର କରି ଅର୍ଣ୍ଣବଙ୍କୁ ମାରି ଦିଆ ଯାଇଥିବା ଅଭିଭାବକ ଦାବି କରିଛନ୍ତି | ଉକ୍ତ ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ଦାବି କରି ଆଜି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟରେ ହୋ ହଲ୍ଲା କରିଛନ୍ତି | ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି |
ସୂଚନାଯୋଗ୍ୟ, ଗତକାଲି ଖୋର୍ଦ୍ଧା ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ସମୟରେ ଏକ ଅତ୍ୟନ୍ତ ଦୁଃଖଦ ଓ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା। ପୋଖରୀ ପାଣିରେ ବୁଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି), ଭାକରସାହିର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁଘଟିଥିବା ବେଳେ ଜଣେ ସହପାଠୀ ଗୁରୁତର ହୋଇଥିଲେ। ମୃତ ଛାତ୍ର ଜଣକ ହେଲେ ବାଲିପାଟଣା ବ୍ଲକ ବାରିଲୋ ଗ୍ରାମର ମନୋଜ କୁମାର ସାହୁଙ୍କ ୧୫ ବର୍ଷୀୟ ଏକମାତ୍ର ପୁଅ ଅର୍ଣ୍ଣବ ସାହୁ। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସୂଚନା ଅନୁସାରେ, ଖୋର୍ଦ୍ଧା ବ୍ଲକ ନରଣଗଡ଼ ପଞ୍ଚାୟତସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନଠାରେ ଆୟୋଜିତ ଜିଲ୍ଲାସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଯୋଗଦେବା ପାଇଁ ଅର୍ଣ୍ଣବ ଅନ୍ୟ ଛାତ୍ରଛାତ୍ରୀ ଓ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଦୁଇଦିନ ତଳେ ଖୋର୍ଦ୍ଧା ଆସିଥିଲେ। ମଙ୍ଗଳବାର ସକାଳେ ଅର୍ଣ୍ଣବ ଓ ବାଲିଅନ୍ତା ଅଞ୍ଚଳର ଆଉ ଜଣେ ଛାତ୍ର ବିଦ୍ୟାଳୟ ନିକଟସ୍ଥ ଭୋଗପୁର ଗ୍ରାମରେ ଥିବା ଏକ ଗଭୀର ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଉଭୟେ ଗଭୀର ପାଣିକୁ ଖସିପଡ଼ି ବୁଡ଼ିଯାଇଥିଲେ। ସ୍ଥାନୀୟ ଗ୍ରାମବାସୀ ଏହା ଦେଖି ତୁରନ୍ତ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଅର୍ଣ୍ଣବଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଛାତ୍ରଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଆକସ୍ମିକ ଦୁର୍ଘଟଣା ପରେ କ୍ରୀଡ଼ା ପ୍ରତିଯୋଗିତାକୁ ତୁରନ୍ତ ସ୍ଥଗିତ ରଖାଯାଇଥିଲା।
ମନୋଜ ସାହୁଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି
ଅପରପକ୍ଷରେ, ଛାତ୍ରମାନଙ୍କ ସୁରକ୍ଷା ଓ ତଦାରଖ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କୁଲ କର୍ତ୍ତୃପକ୍ଷ ଓ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉପସ୍ଥିତି ସତ୍ତ୍ୱେ ଛାତ୍ରମାନେ କିପରି ବିପଦପୂର୍ଣ୍ଣ ଗଭୀର ପୋଖରୀ ପାଖକୁ ଗଲେ ଏବଂ ଏ ନେଇ କର୍ତ୍ତୃପକ୍ଷ କିପରି ଅବଗତ ହୋଇପାରିଲେ ନାହିଁ, ତାହାକୁ ନେଇ ସ୍ଥାନୀୟ ଲୋକେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ, ଘଟଣାର କିଛି ସମୟ ପର୍ଯ୍ୟନ୍ତ ପରିବାର ଲୋକଙ୍କୁ ମୃତଦେହ ଦେଖାଇବାରେ ବିଳମ୍ବ କରାଯାଇଥିବା ଏବଂ ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ତୁରନ୍ତ ସାରିବାକୁ ଉଦ୍ୟମ ହୋଇଥିବା ନେଇ ମୃତ ଛାତ୍ରଙ୍କ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆଣିଛନ୍ତି। ତେବେ ଏହି ଅଭିଯୋଗଗୁଡ଼ିକର ସ୍ୱତନ୍ତ୍ର ଯାଞ୍ଚ ହେବା ବାକି ରହିଛି।ନିଜର ଏକମାତ୍ର ପୁଅକୁ ହରାଇ ମନୋଜ ସାହୁଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ କରାଯାଇ ଛାତ୍ରଙ୍କ ସୁରକ୍ଷାରେ ଅବହେଳା କରିଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଗ୍ରାମବାସୀ ଦାବି କରିଛନ୍ତି।
Accident: ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା: ବାଇକ୍ ଆରୋହୀ ମୃତ

2 days ago
1


