Baldness: ଶରୀର ଓ ସ୍ବଭାବ: ସାମୁଦ୍ରିକ ଶାସ୍ତ୍ରରେ ଚନ୍ଦାପଣ

1 hour ago 1
ARTICLE AD BOX

ଆଜିକାଲିର ବ୍ୟସ୍ତବହୁଳ ଜୀବନଶୈଳୀ, ଅତ୍ୟଧିକ ଚାପ, ଚିନ୍ତା ଓ ଅନିୟମିତ ଦୈନନ୍ଦିନ ଅଭ୍ୟାସ ଯୋଗୁଁ ଅକାଳରେ କେଶ ଝଡ଼ିବା ଏବଂ ଚନ୍ଦାପଣର ସମସ୍ୟା ବଢ଼ିବାରେ ଲାଗିଛି। ଏହି ସମସ୍ୟା କେବଳ ବୟସ୍କମାନଙ୍କ ମଧ୍ୟରେ ସୀମିତ ନାହିଁ; ଯୁବପିଢ଼ିଙ୍କ ଠାରେ ମଧ୍ୟ ଏହା ଦେଖିବାକୁ ମିଳୁଛି। ଚନ୍ଦାପଣକୁ ନେଇ ଅନେକ ମାନସିକ ଭାବେ ଅସ୍ୱସ୍ତି କିମ୍ବା ଲଜ୍ଜାବୋଧ କରିଥାନ୍ତି। ନିଜର ଚେହେରାରେ ପରିବର୍ତ୍ତନ ଲୁଚାଇବା ପାଇଁ କେହି କେହି ୱିଗ୍‌ ବ୍ୟବହାର କରନ୍ତି। ତେବେ ସାମୁଦ୍ରିକ ଶାସ୍ତ୍ର ଦୃଷ୍ଟିକୋଣରୁ ଚନ୍ଦାପଣକୁ କେବଳ ସୌନ୍ଦର୍ଯ୍ୟ ହ୍ରାସ ବା ବୟସର ଚିହ୍ନ ଭାବେ ନୁହେଁ, ବରଂ ଜଣେ ବ୍ୟକ୍ତିଙ୍କ ସ୍ୱଭାବ, ବ୍ୟକ୍ତିତ୍ୱ ଓ ଚରିତ୍ର ସହ ମଧ୍ୟ ଯୋଡ଼ି ଦେଖାଯାଏ। ଚନ୍ଦାପଣର ବିଭିନ୍ନ ଧାରା ଓ ଏହାର ବ୍ୟକ୍ତିତ୍ୱ ଉପରେ ପ୍ରଭାବ ସମ୍ପର୍କରେ ଶାସ୍ତ୍ରରେ କିଛି ରୋଚକ ଧାରଣା ରହିଛି।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

ଏହାକୁ ନେଇ ଜ୍ୟୋତିର୍ବିଦ୍‌ ଡକ୍ଟର ପ୍ରଣତି ଦାଶ କହନ୍ତି, ‘‘ଚନ୍ଦା ହେବା ଏକ ସ୍ୱାଭାବିକ ଘଟଣା। ତେବେ ସାମୁଦ୍ରିକ ଶାସ୍ତ୍ରରେ ଚନ୍ଦାପଣର ଆକୃତିକୁ ନେଇ କିଛି ରୋଚକ ବ୍ୟାଖ୍ୟା ରହିଛି। ଯେପରି ମୁଖମଣ୍ଡଳର ଆକୃତିରୁ ବ୍ୟକ୍ତିର ସ୍ୱଭାବ ସମ୍ପର୍କରେ ଧାରଣା କରାଯାଏ, ସେହିପରି ଚନ୍ଦାପଣର ଢାଞ୍ଚାରୁ ମଧ୍ୟ ବ୍ୟକ୍ତିର ଚିନ୍ତାଧାରା, ସ୍ୱଭାବ ଓ ବ୍ୟକ୍ତିତ୍ୱ ସମ୍ପର୍କରେ କିଛି ସଙ୍କେତ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।’’ ଯେଉଁମାନଙ୍କର ମୁଣ୍ଡର ଅଗ୍ରଭାଗରୁ ଅଧିକ କେଶ ଝଡ଼ି ସେମାନେ ଚନ୍ଦା ହୋଇଯାଆନ୍ତି, ଶାସ୍ତ୍ରରେ ସେମାନଙ୍କୁ ବୁଦ୍ଧିମାନ, ଦୂରଦୃଷ୍ଟିସମ୍ପନ୍ନ ଓ ଗଭୀର ଚିନ୍ତା କରୁଥିବା ବ୍ୟକ୍ତି ବୋଲି ଧରାଯାଏ। ସେମାନଙ୍କର ସ୍ମରଣଶକ୍ତି ଭଲ ଏବଂ ନେତୃତ୍ୱ ନେବାର ଗୁଣ ମଧ୍ୟ ଥାଏ। ଏପରି ବ୍ୟକ୍ତିମାନେ ଆଗଧାଡ଼ିରେ ରହି କଥା କହିବା, ନିଜ ମତ ରଖିବା, ଅନ୍ୟାୟ ବିରୋଧରେ ପ୍ରତିବାଦ କରିବା ଏବଂ ଅନ୍ୟମାନଙ୍କ ପାଇଁ ଲଢ଼ିବାରେ ଆଗୁଆ ବୋଲି ବିଶ୍ୱାସ କରାଯାଏ। ଭିତରେ ଭୟ ବା ଦ୍ୱିଧା ଥିଲେ ମଧ୍ୟ ପରିସ୍ଥିତି ଆସିଲେ ସାମ୍ନାକୁ ଆସି ନିଜ କଥା ଦୃଢ଼ତାର ସହ ରଖିବା ସେମାନଙ୍କର ସ୍ବଭାବ।

ସେହିପରି ଯେଉଁମାନଙ୍କର ମୁଣ୍ଡର ମଝି ଭାଗ ଚନ୍ଦା ହୋଇଥାଏ, ସେମାନଙ୍କୁ ସାମୁଦ୍ରିକ ଶାସ୍ତ୍ରରେ ଭାଗ୍ୟଶାଳୀ ଓ ଶୁଭଫଳ ପ୍ରାପ୍ତ କରୁଥିବା ବ୍ୟକ୍ତି ବୋଲି ମନେ କରାଯାଏ। ଏପରି ବ୍ୟକ୍ତିମାନେ ଧନ, ସମ୍ପତ୍ତି ଓ ଐଶ୍ୱର୍ଯ୍ୟର ସୁଖ ପାଇଥାନ୍ତି। ପ୍ରଶାସନିକ ବା ଦାୟିତ୍ୱପୂର୍ଣ୍ଣ କ୍ଷେତ୍ରରେ ସଫଳତା, ଉଚ୍ଚପଦବି ହାସଲ ଏବଂ ପ୍ରଭାବଶାଳୀ ବା ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କ ସ୍ଥାପନରେ ସେମାନେ ସଫଳ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ତେବେ ଏପରି ବ୍ୟକ୍ତିମାନଙ୍କ ଚରିତ୍ରର ଏକ ବିଶେଷ ଦିଗ ହେଉଛି ସେମାନେ ଯେତେ ପରିଶ୍ରମ କରନ୍ତି, ସେହି ଅନୁପାତରେ ପ୍ରଶଂସା ବା ସ୍ୱୀକୃତି ସବୁବେଳେ ପାଇନପାରନ୍ତି। ଅର୍ଥାତ୍, ସେମାନଙ୍କ ଅବଦାନ ପାଇଁ ଯେତିକି କୃତଜ୍ଞତା ବା ଶ୍ରେୟ ମିଳିବା କଥା, କେତେକ କ୍ଷେତ୍ରରେ ତାହା କମ୍ ମିଳିଥାଏ।

Good news: ଋଣୀ ହୋଇଗଲୁ , ଘଟର୍ଲା ଗ୍ରାମବାସୀ ଆମକୁ ଦେଲେ ନୂଆ ଜୀବନ

କେତେକଙ୍କର ମଥା ଇଂରାଜୀ ଅକ୍ଷର ‘ଏମ୍‌’ ଆକୃତିରେ ଚନ୍ଦା ହୋଇଥାଏ। ମଥାର ମଝି ଭାଗର କେଶ କିଛିଟା ରହିଥାଏ ଏବଂ ଦୁଇ ପାର୍ଶ୍ୱରୁ କେଶ ଝଡ଼ି ଯାଇ ‘ଏମ୍‌’ ଭଳି ଆକୃତି ଦେଖାଯାଏ। ଶାସ୍ତ୍ର ଅନୁସାରେ, ଏପରି ଚନ୍ଦା  ହୋଇଥିବା ବ୍ୟକ୍ତିମାନେ ଚତୁର, ବୁଦ୍ଧିମାନ୍‌ ଓ ସୃଜନଶୀଳ। ସେମାନଙ୍କ ମଧ୍ୟରେ କଳାତ୍ମକ ପ୍ରତିଭା ଓ କଳ୍ପନାଶକ୍ତି ଅଧିକ ଥାଏ ବୋଲି କୁହାଯାଏ। ସେମାନେ ପରିସ୍ଥିତିକୁ ଭଲ ଭାବେ ବୁଝିପାରନ୍ତି ଏବଂ ଜୀବନର ବିଭିନ୍ନ ସମସ୍ୟାର ସରଳ ସମାଧାନ ଖୋଜିବାରେ ଦକ୍ଷ ହୋଇଥାନ୍ତି। ନିଜର କ୍ରୋଧ ଓ ଇଚ୍ଛା ଉପରେ ନିୟନ୍ତ୍ରଣ ରଖିବା ସହିତ ଲେଖାଲେଖି, ଗବେଷଣା ଓ ନୂଆ କଥା ଶିଖିବା ପ୍ରତି ସେମାନଙ୍କର ଆଗ୍ରହ ଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ସେହିପରି ଯେଉଁମାନଙ୍କ ମୁଣ୍ଡରେ ସମ୍ପୂର୍ଣ୍ଣ ଭାବେ କେଶ ନଥାଏ, ସେମାନେ ବାସ୍ତବବାଦୀ, ସରଳ ଓ ଶାନ୍ତ ସ୍ୱଭାବର ହୋଇଥାନ୍ତି। ତେବେ ଅନ୍ୟାୟ, ମିଛ ବା ପ୍ରତାରଣା ଦେଖିଲେ ସେମାନେ ହଠାତ୍ କ୍ରୋଧାନ୍ବିତ ହୋଇପଡ଼ନ୍ତି। ତଥାପି ଶୀଘ୍ର ଶାନ୍ତ ହୋଇ ପରିସ୍ଥିତିକୁ ବୁଝିବା ଓ ବିଚାର କରିବା ସେମାନଙ୍କର ସ୍ୱଭାବ। ସରଳ ଭାବରେ ଜୀବନ ବିତାଇବା ସହ ନିଜ ଲକ୍ଷ୍ୟ ହାସଲ ପାଇଁ ସେମାନଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼େ ବୋଲି ଶାସ୍ତ୍ରରେ ମତ ରହିଛି। ଜ୍ୟୋତିର୍ବିଦ୍ ପ୍ରଣତି ଦାଶ କହନ୍ତି, “ସାମୁଦ୍ରିକ ଶାସ୍ତ୍ରରେ ଚନ୍ଦାପଣକୁ ଭାଗ୍ୟ ଓ ବ୍ୟକ୍ତିତ୍ୱ ସହ ଯୋଡ଼ାଯାଇଥିଲେ ମଧ୍ୟ ଚିକିତ୍ସା ବିଜ୍ଞାନ ଅନୁସାରେ ଏହା ଏକ ଶାରୀରିକ ବିଲକ୍ଷଣ। ଆଣ୍ଡ୍ରୋଜେନେଟିକ୍ ଆଲୋପେସିଆ ଭଳି ବଂଶଗତ କାରଣ ଏବଂ ହର୍‌ମୋନ୍‌ର ପ୍ରଭାବ ଓ ବୟସ ବୃଦ୍ଧି ହେତୁ କେଶ ଝଡ଼ିଥାଏ। ଏହାସହିତ ଜୀବନଶୈଳୀ, ମାନସିକ ଚାପ ଓ ନିଦ୍ରାର ଅଭାବ ମଧ୍ୟ କେଶ ଝଡ଼ିବାର ପ୍ରମୁଖ କାରଣ। ଚନ୍ଦାପଣକୁ ନେଇ ସାମୁଦ୍ରିକ ଶାସ୍ତ୍ରର ବ୍ୟାଖ୍ୟାକୁ ଏକ ପାରମ୍ପରିକ ଧାରଣା ଭାବେ ଗ୍ରହଣ କରାଯାଇପାରେ, କିନ୍ତୁ ଏହାର ପ୍ରାମାଣିକତା ନାହିଁ।”

Read Entire Article
LEFT SIDEBAR AD

Hidden in mobile, Best for skyscrapers.