ARTICLE AD BOX
ବୈଶିଙ୍ଗା: ରାସ୍ତା ପାର୍ଶ୍ୱରେ ଢାବା ବ୍ୟବସାୟ ଚାଲିଥିବା ବେଳେ ଛେଳି ଚୋରି ଥିଲା କି ଅସଲ ବେଉସା? ଏଭଳି ଏକ ସନ୍ଦେହକୁ ନେଇ ବୈଶିଙ୍ଗା ଥାନା ଅଧୀନ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଚୋରି ହୋଇଥିବା ଏକ ଖାସିକୁ ମାଂସ ବ୍ୟବସାୟୀ ବିକ୍ରି କରିବାକୁ ଉଦ୍ୟମ କରୁଥିବା ସମୟରେ ମାଲିକ ଚିହ୍ନିବା ପରେ ଘଟଣା ସାମ୍ନାକୁ ଆସିଛି। ଗ୍ରାମବାସୀଙ୍କ ତତ୍ପରତା ପରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିବା ସହ ଛେଳି ପରିବହନରେ ବ୍ୟବହୃତ ବୋଲେରୋ ଜବତ କରିଥିଲା ।
ସୂଚନା ଅନୁଯାୟୀ, ଗତ ୪ ତାରିଖ ସନ୍ଧ୍ୟାରେ ମଛପଦା ଗ୍ରାମର ତପନ ନାୟକଙ୍କ ଘରୁ ପ୍ରାୟ ୨୦ କିଲୋ ଓଜନର ଏକ ଖାସି ଚୋରି ହୋଇଥିଲା। ବହୁ ଖୋଜାଖୋଜି ସତ୍ତ୍ୱେ ତପନ ଛେଳିର କୌଣସି ସନ୍ଧାନ ପାଇନଥିଲେ। ତେବେ ରବିବାର ସକାଳେ ଏକ ସୂତ୍ରରୁ ଖବର ପାଇ ସେ ଜାରକା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ୱରେ ଜଣେ ମାଂସ ବ୍ୟବସାୟୀଙ୍କ ନିକଟରେ ପହଞ୍ଚିଥିଲେ।
ସେଠାରେ ନିଜ ଖାସିକୁ ଚିହ୍ନଟ କରିବା ପରେ ତପନ ପଚରାଉଚରା କରିଥିଲେ। ମାଂସ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ସେ ଖାସିଟିକୁ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ‘ଓଲୱାର ରାଜସ୍ଥାନ ହରିୟାଣା ମେବାତ ଢାବା’ (ରାଜା ଢ଼ାବା)ର ମାଲିକ ଆମଜାଦ ଖାନ ଓରଫ ରାଜା ଏବଂ ତାଙ୍କ ଭାଇ ଫିରୋଜ ଖାନ ଓରଫ ଲିୟାକତଙ୍କଠାରୁ କିଣିଥିଲେ।
ଏହାପରେ ତପନ ଗ୍ରାମବାସୀଙ୍କୁ ଡାକି ମାଂସ ବ୍ୟବସାୟୀଙ୍କୁ ସାଙ୍ଗରେ ନେଇ ଢାବାରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ଦୁଇ ଭାଇଙ୍କୁ ପାଇନଥିଲେ। ଢାବା ପରିସରରେ ଖୋଳତାଡ଼ କରିବା ବେଳେ ଏକ ବୋଲେରୋ ଭିତରେ ଛେଳି ମଳ ପଡ଼ିଥିବା ଦେଖି ଗ୍ରାମବାସୀଙ୍କ ସନ୍ଦେହ ଆହୁରି ଘନୀଭୂତ ହୋଇଥିଲା। ଘଟଣା ସମ୍ପର୍କରେ ସେମାନେ ପୁଲିସକୁ ଖବର ଦେଇଥିଲେ।
ପରେ ଗ୍ରାମବାସୀ ଜୁଗୁପୁରା ଉପକଣ୍ଠ ମଦାସାହିସ୍ଥିତ ରାଜାଙ୍କ ଘରେ ପହଞ୍ଚି ଖୋଜାଖୋଜି କରିବା ବେଳେ ସେଠାରେ ଏକାଧିକ ଛେଳି ରଖାଯାଇଥିବା ଦେଖିଥିଲେ। ଏନେଇ ପଚରାଉଚରା କରିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିବା ଅଭିଯୋଗ ହୋଇଛି।
ଖବର ପାଇ ବୈଶିଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜା, ଲିୟାକତ ଏବଂ ସମ୍ପୃକ୍ତ ମାଂସ ବ୍ୟବସାୟୀଙ୍କୁ ଥାନାକୁ ଆଣି ଅଟକ ରଖିଥିଲେ । ଏଥିସହ ଛେଳିଚୋରିରେ ବ୍ୟବହୃତ ହୋଇଥିବା ସନ୍ଦେହରେ ବୋଲେରୋଟିକୁ ଜବତ କରାଯାଇଛି। ଏହି ଘଟଣାରେ ୪୪୬ ନମ୍ବରରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରାଯାଇଥିଲା ।
ଅନ୍ୟପକ୍ଷରେ, ଗତକାଲି ରାତିରେ ନିକଟସ୍ଥ ଖଇରିବଣି ଅଞ୍ଚଳରୁ ମଧ୍ୟ ଛେଳି ଚୋରି ହୋଇଥିବା ଅଭିଯୋଗ ଆସିଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ୪୪୭ ନମ୍ବରରେ ଆଉ ଏକ ମାମଲା ରୁଜୁ କରିଛି। ଉଭୟ ଘଟଣାରେ ଅଟକ ଦୁଇ ଭାଇଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ତେବେ ଆଜି ଥାନା ଅଧିକାରୀ ବାବାଶଙ୍କର ସରାଫ ବ୍ୟାପକ ତଦନ୍ତ ପୂର୍ବକ ୩ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି l

26 minutes ago
2


