ARTICLE AD BOX
ନୋଏଡା:ନୋଏଡାର ସେକ୍ଟର ୬୧ ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ରଠାରେ ମହାସମାରୋହରେ ବାହୁଡ଼ାଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଡ଼ି ଭୋରରୁ କମ୍ୟୁନିଟି ସେଣ୍ଟର ସ୍ଥିତ ଆଡ଼ପ ମଣ୍ଡପରେ ବିରାଜମାନ କରୁଥିବା ଚାରି ଦିଅଁଙ୍କ ସାମ୍ନାରେ ହିନ୍ଦୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟା ସମୟରେ ଠାକୁରମାନଙ୍କର ଘୋଡ଼ାଗାଡ଼ି ରଥକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା ।
ପ୍ରଥମ ଥର ଆୟୋଜିତ
ପ୍ରଥମ ଥର ପାଇଁ ଏଠାରେ ଆୟୋଜିତ ହେଉଥିବା ବାହୁଡା଼ ଯାତ୍ରାରେ ନୋଏଡାର ସେକ୍ଟର ୬୧, ୫୨, ୫୩ ଓ ୩୩ ରେ ବସବାସ କରୁଥିବା ଓଡ଼ିଆ ଏବଂ ଅଣ-ଓଡ଼ିଆ ପ୍ରାୟ ୨୦୦୦ ଭକ୍ତଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା । ହିନ୍ଦୁ ସମ୍ମିଳନୀ ସମିତି, ରୟାଲ ଗାର୍ଡେନ ଇଷ୍ଟେଟ ମନ୍ଦିର ସମିତି ଓ ସାମୁଦାୟିକ ବିକାଶ ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ଉତ୍ସବକୁ କେନ୍ଦ୍ର କରି ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗଠକ ମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ଅନ୍ତରରାଷ୍ଟ୍ରୀୟ ପ୍ରସିଦ୍ଧ ଜ୍ୟୋତିଷାଚାର୍ଯ୍ୟ ଗୁରୁଜୀ ଡ଼ଃ ଗୌତମ ଋଷି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛେରା ପହଁରା କାର୍ଯ୍ୟ ବିଧିମୁତାବକ ସମ୍ପନ୍ନ କରିଥିଲେ। ଏହାପରେ ସକାଳ ୯ ଟା ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା ।
ଚାରି ଠାକୁର ବିଦ୍ୟମାନ ଥିବା ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ଘୋଡ଼ାଗାଡ଼ିଟିକୁ ସେକ୍ଟର ୬୧ ସ୍ଥିତ କମ୍ୟୁନିଟି ସେଣ୍ଟର ଠାରୁ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ରୟାଲ ଗାର୍ଡେନ ଇଷ୍ଟେଟ ପର୍ଯ୍ୟନ୍ତ ନିଆଯାଇଥିଲା । ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଭକ୍ତ ଛିଡ଼ା ହୋଇ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନର ସାନ୍ନିଧ୍ୟ ଲାଭ କରି ନିଜକୁ କୃତ୍ୟକୃତ୍ୟ ମଣୁଥିବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା । ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର , ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ବାହୁଡା଼ ଯାତ୍ରା କରି ଦିବା ୧୧ ଟା ସୁଦ୍ଧା ରୟାଲ ଗାର୍ଡେନ ସ୍ଥିତ ଶ୍ରୀ ସ୍ବର୍ଣ୍ଣ କ୍ଷେତ୍ର ମନ୍ଦିରକୁ ଫେରି ଆସିଥିବା ଜଣାଯାଇଛି। ଏଠାରେ ଜୁଲାଇ ୧୬ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୮ ଦିନ ଧରି ପ୍ରତ୍ୟେକ ସନ୍ଧ୍ୟାରେ ସାହରନପୁରରୁ ଆସିଥିବା ବିଖ୍ୟାତ ବିଦ୍ୱାନ ଆଚାର୍ଯ୍ୟ ଅଜୟ କିରଣ ଭାଗବତ କଥା ଏବଂ ଜଗନ୍ନାଥ ସଂସ୍କୃତିକୁ ଆଧାର କରି ପ୍ରବଚନ ପ୍ରଦାନ କରିଥିଲେ । ନୋଏଡା ମହାନଗରର ବହୁ ବିଶିଷ୍ଟ ବ୍ୟକ୍ତି ଏହି ଧାର୍ମିକ ସମାବେଶରେ ଯୋଗ ଦେଇଥିଲେ ।
Pahandi: ସରିଲା ପହଣ୍ଡି, ରଥଟଣାକୁ ଭକ୍ତଙ୍କ ଅପେକ୍ଷା
ସେଥି ମଧ୍ୟରେ ନୋଏଡା ମହାନଗରର ଭାଜପା ଅଧ୍ୟକ୍ଷ ମହେଶ ଚୌହାନ, ଉପାଧ୍ୟକ୍ଷ ପ୍ରମୋଦ ଭଲ, ଓମବୀର ଆୱାନା, ମଣ୍ଡଳ ଅଧ୍ୟକ୍ଷ ରାମ କିଷାନ ୟାଦବ, ପଙ୍କଜ ଝା, ନୋଏଡାର ପୂର୍ବତନ ବିଧାୟକ ବିମଳା ବାଥମ, ଗୁରୁଜୀ ଗୌତମ ଋଷି, ଯୋଗେନ୍ଦ୍ର ଶର୍ମା, ଏନ ପି ସିଂହ, ଭାରତ ବିକାଶ ପରିଷଦର ଅଧ୍ୟକ୍ଷ ବିକାଶ ଅଗ୍ରୱାଲ, ଡ଼ଃ ରାଜେଶ ସହାୟ, ପୁନିତ ଶର୍ମା ଓ ବିପିନ ମଲ୍ହାନ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ। ମୁଖ୍ୟ ଆୟୋଜକ ବିଶିଷ୍ଟ ସମାଜସେବୀ, ପ୍ରସିଦ୍ଧ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ତଥା ଆୟୋଜନ କମିଟିର ଅଧ୍ୟକ୍ଷ ଡକ୍ଟର ମନୋରଞ୍ଜନ ମହାନ୍ତି ଏବଂ ସଚିବ ସୁଶ୍ରୀ ନୀରୁ ଶର୍ମାଙ୍କର ସକ୍ରିୟ ତତ୍ତ୍ୱାବଧାନରେ ୨୦୦ ସ୍ବେଚ୍ଛାସେବକଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରାଯାଇଥିଲା । ଏହି ସାଂସ୍କୃତିକ ମହୋତ୍ସବର ସବିଶେଷ ବିବରଣୀକୁ 'ଆରମ୍ଭ ଟିଭି' ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା ।

1 hour ago
1


