ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଂଜ ଜିଲ୍ଲା ବେତନଟୀରେ ପବିତ୍ର ବାହୁଡ଼ାଯାତ୍ରା ଅବସରରେ ଭକ୍ତି, ଆଧ୍ୟାତ୍ମିକତା ଓ ଉତ୍ସାହର ଅପୂର୍ବ ପରିବେଶ ସୃଷ୍ଟି ହୋଇଥିଲା। ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର, ମା' ସୁଭଦ୍ରା ଓ ସୁଦର୍ଶନଙ୍କୁ ନେଇ ଚତୁର୍ଦ୍ଧାମୂର୍ତ୍ତି ରତ୍ନବେଦୀ ଅଭିମୁଖେ ବାହୁଡ଼ିଥିଲେ। ସମ୍ପୂର୍ଣ୍ଣ ଶୃଙ୍ଖଳା ଓ ପାରମ୍ପରିକ ରୀତିନୀତି ମଧ୍ୟରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିଲା।
ଶୁକ୍ରବାର ପ୍ରାତଃକାଳରୁ ମଙ୍ଗଳଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପାରମ୍ପରିକ ପହଣ୍ଡିରେ ରଥାରୂଢ କରାଯାଇଥିଲା। ରଥରେ ମଇଲମ ସମେତ ବିଭିନ୍ନ ନୀତି ସମ୍ପନ୍ନ ହେବା ପରେ ଅପରାହ୍ନରେ ବାହୁଡ଼ା ଯାତ୍ରା ଆରମ୍ଭ ହୋଇଥିଲା। ଭକ୍ତଙ୍କ ‘ହରିବୋଲ’ ଧ୍ୱନିରେ ସମଗ୍ର ବେତନଟୀ ଭକ୍ତିମୟ ପରିବେଶରେ ମୁଖରିତ ହୋଇଉଠିଥିଲା।
ବେଦଜ୍ଞ ବ୍ରାହ୍ମଣ ପର୍ଶୁରାମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ ପୂଜା ଓ ନୀତିକାନ୍ତି ସମ୍ପାଦନ କରାଯାଇଥିଲା। ଘୋଷକ ପଣ୍ଡିତ ସୁଭାଶିଷ ଆଚାର୍ଯ୍ୟ ଶ୍ରୀଜଗନ୍ନାଥଙ୍କ ମହିମା ଓ ନୀତିର ଧାରାବିବରଣୀ ପ୍ରଦାନ କରି ପରିବେଶକୁ ଆଧ୍ୟାତ୍ମିକ ଆବେଗରେ ଭରିଦେଇଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ରଥ ମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ଧନ୍ୟ ହୋଇଥିଲେ।
ଆୟୋଜକଙ୍କ ସୂଚନା ଅନୁଯାୟୀ, ଶନିବାର ମହାପ୍ରଭୁଙ୍କ ଭବ୍ୟ ସୁନାବେଶ ଅନୁଷ୍ଠିତ ହେବ। ଏହାପରେ ରବିବାର ଅଧରପଣା ନୀତି ଓ ରସଗୋଲା ଭୋଗ ସମ୍ପନ୍ନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରି ରତ୍ନବେଦୀକୁ ବିଜେ କରିବେ। ମନ୍ଦିର କମିଟି ପକ୍ଷରୁ ଯୋଗେଶ୍ୱର ମିଶ୍ର, ଶଶଧର ପଣ୍ଡା, ବିକାଶ ବେହେରା, ଚିତ୍ତରଞ୍ଜନ ସାହୁ, ଚିତ୍ତରଞ୍ଜନ ମହାନ୍ତି, ସୁଦୀପ ପରିଚ୍ଛା, ଦେବରଞ୍ଜନ ସାହୁ, ବୈକୁଣ୍ଠନାଥ ଦାଶ, ସଜନ କୁମାର ମିଶ୍ର ଓ ଜ୍ୟୋତିଲାଲ ବିଶ୍ୱାଳଙ୍କ ସମେତ ଆୟୋଜକ କମିଟିର ସଦସ୍ୟ ଓ ସେବାୟତମାନେ ଉତ୍ସବକୁ ସଫଳ କରିବାରେ ସକ୍ରିୟ ଭୂମିକା ନିଭାଇଥିଲେ।
ବାହୁଡ଼ା ଯାତ୍ରାରେ ବିପୁଳ ଭକ୍ତସମାଗମକୁ ଦୃଷ୍ଟିରେ ରଖି ବେତନଟୀ ଏସଡିପିଓ ମିନତୀ ବିଶ୍ୱାଳ, ଆଇଆଇସି କ୍ରିଷ୍ଣା ପିଙ୍ଗୁଆ, ସବ୍-ଇନ୍ସପେକ୍ଟର ମଦନ ମୋହନ ପରିଡା, ଏଏସଆଇ ପଞ୍ଚାନନ ମହାନ୍ତି, ଏଏସଆଇ ମିନତୀ ମହାକୁଡ଼ଙ୍କ ସମେତ ପୁଲିସ ବାହିନୀ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବେତନଟୀ–ବଡ଼ସାହି ମୁଖ୍ୟ ରାସ୍ତାରେ ସାମୟିକ ଭାବେ ଯାନବାହନ ଚଳାଚଳ ଉପରେ କଟକଣା ଲାଗୁ କରାଯାଇଥିଲା। ସୁଚାରୁ ପରିଚାଳନା, ଶୃଙ୍ଖଳିତ ରଥଟଣା ଓ ହଜାର ହଜାର ଭକ୍ତଙ୍କ ଭାବବିହ୍ୱଳ ସମାଗମ ମଧ୍ୟରେ ବେତନଟୀର ବାହୁଡ଼ା ଯାତ୍ରା ଚଳିତ ବର୍ଷ ଏକ ସ୍ମରଣୀୟ ଧାର୍ମିକ ମହୋତ୍ସବରେ ପରିଣତ ହୋଇଛି।

1 hour ago
1


