ARTICLE AD BOX
ପୁରୀ (ସତ୍ୟ ନାରାୟଣ ରାଉତ): ବିଶ୍ବ ପ୍ରସିଦ୍ଧ ରଥଯାତ୍ରାର ଅନ୍ୟ ମୁଖ୍ୟ ଅଂଶବିଶେଷ ମହାପ୍ରଭୁଙ୍କର ବାହୁଡ଼ାଯାତ୍ରା ଆଜି ଆୟୋଜନ ହେଉଛି। ବାହୁଡ଼ାଯାତ୍ରା ପାଇଁ ପୁରୀର ଶରଧାବାଲିରେ ଭକ୍ତମାନଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି। ସମୟକ୍ରମେ ଶରଧାବାଲି ଲୋକାରଣ୍ୟ ହେବାରେ ଲାଗିଛି। ବର୍ଷାର ଚେତାବନୀ ସତ୍ତ୍ବେ ଗୁରୁବାର-ଶୁକ୍ରବାର ରାତିରେ ଭକ୍ତମାନେ ଶରଧାବାଲିରେ ଭିଡ଼ ଲଗାଇଥିଲେ। ରାତି ସାରା ଭକ୍ତିରେ ହଜିଥିଲେ।
ବଡ଼ଠାକୁର ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରଥାରୁଢ଼ ହୋଇ ଯାଇଥିବା ଜଗତରନାଥ ଶ୍ରୀ ଜଗନ୍ନାଥ ଆଜି ନୀଳକନ୍ଦର ଅଭିମୁଖେ ଫେରିବେ। ଏହି ଫେରିବା ରାସ୍ତାରେ ଲକ୍ଷଲକ୍ଷ ଭକ୍ତମାନଙ୍କର ସହିତ ବଡ଼ଦାଣ୍ଡରେ ଭାବ ବିନିମୟ କରିବେ। ମଣିମାଙ୍କ ନିକଟରେ ଭକ୍ତମାନେ ଗୁହାରି କରିବେ। ମହାପ୍ରଭୁଙ୍କର ଏହି ଦିବ୍ୟ ଲୀଲା ପାଇଁ ଆଡ଼ପମଣ୍ଡପରେ ନୀତିକାନ୍ତି ଭୋର ୪ଟାରୁ ଆରମ୍ଭ ହୋଇଯାଇଛି। ମଙ୍ଗଳ ଆଳତି ପରେ ମଇଲମ ନୀତିକାନ୍ତି ଅନୁଷ୍ଠିତ ହୋଇଯାଇଛି। ତଡ଼ପଲାଗି ଏବଂ ରୋଷହୋମ ଶେଷ ହୋଇଛି। ସକାଳ ୫ଟା ରେ ଅବକାଶ, ୫ଟା ୧୪ରେ ସୂର୍ଯ୍ୟପୂଜା, ୫ଟା ୩୦ରେ ଦ୍ବାରପାଳ ପୂଜା ହୋଇଛି। ଏହା ପରେ ୫ଟା ୪୫ରୁ୬ଟା ୪୫ ଗୋପାଳବଲ୍ଲବ ଓ ସକାଳ ଧୂପ ୭ଟାରୁ ୧୧ଟା ୩୦ରେ ସେନାପଟା ଲାଗି ଏବଂ ୧୧ଟା ୪୫ରେ ମଙ୍ଗଳାର୍ପଣ ହେବ। ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ୨ଟା ୩୦, ବେଶ ଶେଷ: ୧ଟାରୁ ୨ଟା ୩୦, ଶ୍ରୀଶ୍ରୀ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ୨ଟା ୩୦ରୁ ୩ଟା ୩୦, ଚାରମାଳ ଫିଟା ଓ ଘୋଡ଼ା ଲାଗିବା ୩ଟାରୁ ୪ଟାରେ ଶେଷ ହୋଇ ରଥଟଣା ଆରମ୍ଭ ଅପରାହ୍ଣ ୪ଟାରେ ହେବ।
ଜନ୍ମବେଦି ଛାଡ଼ି ରତ୍ନବେଦିକୁ ଲେଉଟିବାର ବେଳ ହୋଇଛି। ସେନାପଟା ଲାଗି ସରିଛି। ଆଡ଼ପମଣ୍ଡପରେ ଚାର ବନ୍ଧା ସରିଛି। ସଅଳ ପହଣ୍ଡି ହୋଇ ଚତୁର୍ଦ୍ଧା ବିଗ୍ରହ ରଥ ଉପରେ ବିରାଜମାନ କରିବା ପାଇଁ ରଥରେ ମଧ୍ୟ ଚାରମାଳ ବନ୍ଧା ଶେଷ ହୋଇଛି। ବଡ଼ଦାଣ୍ଡ ଧୋଇ ଶୋଧ କରିଦେଇଛନ୍ତି ଇନ୍ଦ୍ର ଦେବ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚି ସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି।
ଗତକାଲି ସନ୍ଧ୍ୟା ୬ଟାରେ ସନ୍ଧ୍ୟା ଦର୍ଶନ ବନ୍ଦ ହେବା ପରେ ବାହୁଡ଼ାଯାତ୍ରା ପାଇଁ ସଅଳ ବନ୍ଦ କରି ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି। ବାହୁଟ କଣ୍ଟ, ଚାରବନ୍ଧା ସହ କୁସୁମି ଲାଗି ଶେଷ ହୋଇ ସାରିଛି। ବିଶ୍ବାବସୁ ବିନାୟକ ଦାସ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଆଜି ଖଣ୍ଡୁଆ ପଡ଼ି ମହାପ୍ରଭୁ ଠିଆ ପହୁଡ଼ ଯିବେ। ଖଟ ଶେଜ ଲାଗିବ ନାହିଁ। ଚାର ବନ୍ଧା ହେବାକୁ ଥିବାରୁ ଖଟ ଶେଜ ଲାଗି ହୋଇପାରିବ ନାହିଁ। ନୀତିକାନ୍ତି ସଅଳ ସମାପନ ହୋଇ ସମ୍ଭବତଃ ସକାଳ ୮ଟାରୁ ୯ଟା ମଧ୍ୟରେ ପହଣ୍ଡି କରିବା ନେଇ ଲକ୍ଷ୍ୟ ରଖାଯାଇଛି। ଯଦିଓ ନୀତି ନିର୍ଘଣ୍ଟ ପୁସ୍ତିକାରେ ବାହୁଡ଼ା ପହଣ୍ଡି ଦିନ ୧୨ଟାରୁ ଆରମ୍ଭ ହେବା ନେଇ ଉଲ୍ଲେଖ ରହିଛି, କିନ୍ତୁ ଏହାକୁ ସଅଳ କରିବା ଲକ୍ଷ୍ୟରେ ନୀତିକାନ୍ତି ଆଗେଇ ଚାଲିଛି।
Bahuda Yatra 2026: ବାହୁଡ଼ାଯାତ୍ରା ଆଜି; ଆଡ଼ପମଣ୍ଡପରେ ସଅଳ ନୀତି, ବଡ଼ଦାଣ୍ଡରେ ଭକ୍ତଙ୍କ ଅପେକ୍ଷା

1 hour ago
3


