ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ବାପା-ମାଆଙ୍କ ଝଗଡ଼ାର ମୂଲ୍ୟ ଯେ ଏକ ନିରୀହ ଶିଶୁକୁ ଦେବାକୁ ପଡ଼ିବ, ଏହା କେହି କେବେ ଭାବିନଥିଲେ। ମାତ୍ର ୭ ମାସର ଶିଶୁ। ନିଜେ କିଛି କହିପାରେନି। ନିଜ ପାଇଁ ଲଢ଼ିପାରେନି। ହେଲେ ବାପା-ମା’ଙ୍କ ପାରିବାରିକ କଳହ ମଧ୍ୟରେ ସେ ପାଲଟିଗଲା ଅସହାୟ। ଶେଷରେ ଜାତୀୟ ରାଜପଥକଡ଼ରେ କେନାଲ ପାଖରେ ଛାଡ଼ି ଦିଆଗଲା ଏହି କୋମଳ ଶିଶୁକୁ। ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ଅଜାଡ଼ିହ ଗ୍ରାମରେ।
ଗ୍ରାମର ଜିତୁ ହାଁସଦା ଓ ତାଙ୍କ ସ୍ତ୍ରୀ ଆଜୁମ ମାରାଣ୍ଡିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ତୀବ୍ର ହୋଇଥିଲା। ଝଗଡ଼ା ସମୟରେ ଜିତୁ ତାଙ୍କ ସ୍ତ୍ରୀଙ୍କୁ ମାରଧର କରିଥିଲେ। ଏହାପରେ ଆଜୁମ ରାଗ ଓ ଅଭିମାନରେ ନିଜ ୭ ମାସର ଶିଶୁପୁତ୍ରକୁ ଧରି ଘରୁ ବାହାରି ଆସିଥିଲେ। କିଛି ସମୟ ପରେ ସେ ବୈଶିଙ୍ଗା ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ କେନାଲ ନିକଟରେ ଶିଶୁଟିକୁ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି।
ସେତେବେଳକୁ ଆକାଶରୁ ଝିପିଝିପି ବର୍ଷା ଆରମ୍ଭ ହୋଇସାରିଥିଲା। କେନାଲ କୂଳରେ ଏକୁଟିଆ ପଡ଼ିଥିବା ଶିଶୁଟି ଭୟରେ କାନ୍ଦିବାକୁ ଲାଗିଥିଲା। ରାସ୍ତା ପାର୍ଶ୍ୱରେ ପେଟେଇ ପଡ଼ିଥିବା ଶିଶୁଟି ଅଳ୍ପକେ କେନାଲ ଭିତରକୁ ଖସିଯିବାରୁ ବର୍ତ୍ତିଥିଲା। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିଲେ ବଡ଼ଗୋପାଳପୁର ଗ୍ରାମର ଲକ୍ଷ୍ମୀଧର ପରିଡ଼ା ଓ ମୃତ୍ୟୁଞ୍ଜୟ ବେହେରା। ହଠାତ୍ ଶିଶୁର କାନ୍ଦଣା ଶୁଣି ସେମାନେ ଅଟକି ଯାଇଥିଲେ। ଚାରିଆଡ଼େ ଖୋଜିବା ପରେ ମଧ୍ୟ କାହାରିକୁ ଦେଖିବାକୁ ପାଇନଥିଲେ। ଏପଟେ ବର୍ଷା ମଧ୍ୟ ଧୀରେଧୀରେ ଜୋର ହେଉଥିଲା।
ପରିସ୍ଥିତିକୁ ଦେଖି ଆଉ ବିଳମ୍ବ ନକରି ଦୁଇ ଯୁବକ ଶିଶୁଟିକୁ ଉଦ୍ଧାର କରି କୋଳରେ ଧରି ନେଇଥିଲେ। ରାସ୍ତାରେ ଜଣେ ବୃଦ୍ଧଙ୍କୁ ପଚାରିବାରୁ ସେ ଜଣାଇଥିଲେ ଯେ ଜଣେ ମହିଳା ଶିଶୁଟିକୁ ସେଠାରେ ଛାଡ଼ି ବ୍ରିଜ ଉପର ଦେଇ ଦୌଡ଼ି ଚାଲିଯାଇଥିଲେ।
ପରେ ଲକ୍ଷ୍ମୀଧର ଓ ମୃତ୍ୟୁଞ୍ଜୟ ଶିଶୁଟିକୁ ବୈଶିଙ୍ଗା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇବା ସହ ବୈଶିଙ୍ଗା ପୁଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ଶିଶୁର ମାଆ ଆଜୁମଙ୍କୁ ଖୋଜି ବାହାର କରି ଡାକ୍ତରଖାନାରେ ପହଞ୍ଚାଇଥିଲା। ସେଠାରେ ଘଟଣା ସମ୍ପର୍କରେ ସେ ସବୁ କଥା ପୁଲିସକୁ କହିଥିବା ଜଣାପଡ଼ିଛି। ପରେ ଶିଶୁର ବାପା ଜିତୁ ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲେ। ପୁଲିସର ଉପସ୍ଥିତିରେ ଶିଶୁଟିକୁ ନେଇ ଉଭୟ ଘରକୁ ଫେରିଥିଲେ।
ନିଶାସକ୍ତ ଅବସ୍ଥାରେ ନିରୀହ ଶିଶୁ ଉପରେ ଗରମ ପାଣି ଢାଳିଦେଲା ମା, ଯନ୍ତ୍ରଣା ସହି ନ ପାରି ଶିଶୁର ମୃତ୍ୟୁ
ତେବେ ଏହି ଘଟଣା ଗୋଟିଏ ପ୍ରଶ୍ନ ଛାଡ଼ିଯାଇଛି—ବାପା-ମା’ଙ୍କ ଝଗଡ଼ାରେ ଏହି ନିରୀହ ଶିଶୁର ଦୋଷ କ'ଣ ଥିଲା? ଯେଉଁ ସମୟରେ ନିଜ ମାଆର କୋଳ ଶିଶୁ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ, ସେହି ସମୟରେ ବର୍ଷା ଭିଜା ରାସ୍ତାକଡ଼ରେ ଏକୁଟିଆ ପଡ଼ି ରହିଥିଲା ଏହି କୁନି ଜୀବନ। ତା'ର ଭାଗ୍ୟ ଭଲ ଥିଲା ବୋଲି ଠିକ୍ ସମୟରେ ଲକ୍ଷ୍ମୀଧର ଓ ମୃତ୍ୟୁଞ୍ଜୟଙ୍କ ନଜର ତା' ଉପରେ ପଡ଼ିଲା। ଦୁଇ ଯୁବକଙ୍କ ମାନବିକତା ପାଇଁ ଆଜି ଏକ ନିରୀହ ଶିଶୁ ନୂଆ ଜୀବନ ପାଇଛି। ସେମାନଙ୍କ ତତ୍ପରତା ଓ ସମ୍ବେଦନଶୀଳତାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ସମୟ ଠିକ୍ ଥିଲା, ଦୁଇ ଯୁବକଙ୍କ ହୃଦୟରେ ମାନବିକତା ଥିଲା ତେଣୁ ହୁଏତ ଏକ ଅସହାୟ ଶିଶୁ ଆଜି ମୃତ୍ୟୁର ମୁହଁରୁ ଫେରି ଆସିଛି।

59 minutes ago
1


