ARTICLE AD BOX
ଭୁବନେଶ୍ବର: ରାଜ୍ୟରେ ଆୟୁଷ୍ମାନ କାର୍ଡଧାରୀଙ୍କୁ ଘରୋଇ ହସ୍ପିଟାଲ ଶୋଷଣ କରୁଥିବା ଅଭିଯୋଗ ଜୋର ଧରିଲାଣି। ଗୁରୁତର ରୋଗୀଙ୍କୁ ଯଦି ଆଇସିୟୁର ଆବଶ୍ୟକତା ପଡ଼ିଲା ତାହାଲେ ମିଳିବା ମୁସ୍କିଲ୍। କେବଳ ନଗଦ ଟଙ୍କା କିମ୍ବା ଘରୋଇ ସ୍ବାସ୍ଥ୍ୟବୀମା ଥିଲେ ଆଇସିୟୁ ମିଳୁଛି। ନହେଲେ ବିଭିନ୍ନ ବାହାନା କରି ରୋଗୀଙ୍କୁ ସିଧାସଳଖ ମନା କରିଦିଆଯାଉଛି। ଏହା ଗୋଟିଏ ଅଭିଯୋଗ ନୁହେଁ, ପ୍ରତିଦିନ ରାଜ୍ୟର ଘରୋଇ ହସ୍ପିଟାଲଙ୍କ ବିରୋଧରେ ଏଭଳି ମାଳମାଳ ଅଭିଯୋଗ ଆସୁଛି। ଘରୋଇ ହସ୍ପିଟାଲଙ୍କ ପାଲଟା ଅଭିଯୋଗ ହେଉଛି ଯୋଜନାରେ ଯେଉଁ ପ୍ୟାକେଜ୍ ରହିଛି ତାହା ଯଥେଷ୍ଟ ନୁହେଁ।
ଓଡ଼ିଶାରେ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା(ଜିଜେଏୱାଇ)ରେ ରାଜ୍ୟର ୩.୪୬ କୋଟି ଲୋକଙ୍କୁ ସାମିଲ କରାଯାଇଛି। ଅନ୍ଲାଇନ୍ ପୋର୍ଟାଲରେ ୩.୪୫ ଲକ୍ଷ ଓ ୧.୭୯ କୋଟି ଭୌତିକ(ଫିଜିକାଲ) କୋ-ବ୍ରାଣ୍ଡେଡ୍ କାର୍ଡ ବଣ୍ଟନ କରାଯାଇଛି। ଏହାସହ ୭୦ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡ ଦିଆଯାଉଛି। ରାଜ୍ୟରେ ୭୭୪ଟି ଘରୋଇ ହସ୍ପିଟାଲ ଏଥିପାଇଁ ଅନୁବନ୍ଧିତ ହୋଇଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ସରକାରୀ ହସ୍ପିଟାଲକୁ ସାମିଲ କରିବାକୁ ଯୋଜନା କରୁଛନ୍ତି। ଯୋଜନାରେ ହସ୍ପିଟାଲ ସଂଖ୍ୟା ବଢ଼ୁଛି ସିନା ରୋଗୀଙ୍କୁ ଉନ୍ନତ ସେବା କିନ୍ତୁ ମିଳିପାରୁନି। ଆୟୁଷ୍ମାନ କାର୍ଡ ପାଇଁ ହସ୍ପିଟାଲରେ ଯେତିକି ଆଇସିୟୁ ଧାର୍ଯ୍ୟ ହୋଇଛି ତାହା ଖାଲି ନ ଥିବା କୁହାଯାଉଛି। ସରକାର ଏଭଳି କୌଣସି ନିୟମ କରି ନ ଥିଲେ ହେଁ ହସ୍ପିଟାଲମାନେ ନିଜଆଡ଼ୁ ଏଭଳି ନିଷ୍ପତ୍ତି ନେଇଛନ୍ତି।
ନଗଦ, ଘରୋଇ ସ୍ବାସ୍ଥ୍ୟବୀମା ଥିଲେ ରୋଗୀଙ୍କୁ ମିଳୁଛି ଆଇସିୟୁ
ରାଜ୍ୟରେ ୪ହଜାରରୁ ଅଧିକ ଆଇସିୟୁ, ତଥାପି ରୋଗୀ ହନ୍ତସନ୍ତ
ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ: ‘ସାସ୍’ ଅଧିକାରୀ
ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଗତବର୍ଷ ଡିସେମ୍ବରରେ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ, ରାଜ୍ୟର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲକୁ ମିଶାଇ ସମୁଦାୟ ଆଇସିୟୁ ସଂଖ୍ୟା ହେଉଛି ୩୭୭୫। ଏହାସହ ୩୫୫ଟି ସିସିୟୁ ଶଯ୍ୟା ରହିଛି। ଗୁରୁତର ରୋଗୀ ସରକାରୀ ଓ ଘରୋଇ ହସ୍ପିଟାଲରେ ଆଇସିୟୁ ଶଯ୍ୟା ପାଇବା ପାଇଁ ଧରାଧରି କରିବାକୁ ପଡ଼ୁଥିବାର ଅଭିଯୋଗ ବିଭାଗରେ ହସ୍ତଗତ ହୋଇନାହିଁ। କୌଣସି ଅଭିଯୋଗ ହସ୍ତଗତ ହେଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ କହିଥିଲେ। ଏହାଭିତରେ ପ୍ରାୟ ଗୋଟିଏ ବର୍ଷ ବିତିବାକୁ ବସିଲାଣି। ଅନେକ ଘରୋଇ ହସ୍ପିଟାଲ ଆୟୁଷ୍ମାନ ଯୋଜନାରେ ଯୋଡ଼ି ହୋଇଛନ୍ତି। ଏ ଦୃଷ୍ଟିରୁ ଆଇସିୟୁ ଶଯ୍ୟା ସଂଖ୍ୟା ବଢ଼ିବା ସ୍ବାଭାବିକ। ବର୍ଷେ ପୂର୍ବରୁ ଆଇସିୟୁ ଅଭିଯୋଗକୁ ନେଇ ବିଧାୟକ ପବିତ୍ର ସାଉଁନ୍ତା ବିଧାନସଭାରେ ସରକାରଙ୍କୁ ଯେଉଁ ପ୍ରଶ୍ନ କରିଥିଲେ ତାହା ଆଜି ମଧ୍ୟ ଜାରି ରହିଛି।
ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ଦୁଇଟି କର୍ପୋରେଟ୍ ହସ୍ପିଟାଲକୁ ଆୟୁଷ୍ମାନ କାର୍ଡରେ ଉଲ୍ଲଂଘନ ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ଦୁଇ କର୍ପୋରେଟ୍ ହସ୍ପିଟାଲ ସରକାରଙ୍କ ନିକଟରେ ଏହାର ଉତ୍ତର ରଖିସାରିଛନ୍ତି। ସରକାରଙ୍କ ପକ୍ଷରୁ କେବଳ ନୋଟିସ୍ ହୋଇଥିବା ଗଣମାଧ୍ୟମକୁ ସୂଚନା ଦିଆଯାଉଛି, କିନ୍ତୁ ନିୟମର ଉଲ୍ଲଂଘନ ପରିପ୍ରେକ୍ଷୀରେ ହସ୍ପିଟାଲଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଗଲା, ତାହା ସଂପର୍କରେ କୌଣସି ସୂଚନା ନାହିଁ।
ରାଜ୍ୟ ସ୍ବାସ୍ଥ୍ୟ ଭରସା ସମିତି(ସାସ୍)ର ବରିଷ୍ଠ ଅଧିକାରୀ କହିଛନ୍ତି, ଅଭିଯୋଗ ଆସିଲେ ତୁରନ୍ତ ସଂପୃକ୍ତ ହସ୍ପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

3 hours ago
1


