ARTICLE AD BOX
ନୂଆଦିଲ୍ଲୀ: ଦେଶରେ ଆୟୁଷ ସେବା କ୍ଷେତ୍ର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହି କ୍ଷେତ୍ର ୧୭.୬ ଲକ୍ଷଙ୍କୁ ଜୀବିକା ପ୍ରଦାନ କରିଛି। ସେଥି ମଧ୍ୟରୁ ୪୩ ପ୍ରତିଶତ ହେଉଛନ୍ତି ମହିଳା। ରିସର୍ଚ୍ଚ ଆଣ୍ଡ ଇନଫର୍ମେସନ୍ ସିଷ୍ଟମ୍ ଫର୍ ଡେଭଲପିଂ କଣ୍ଟ୍ରିଜ୍ (ଆର୍ଆଇଏସ୍)ର ଏକ ଅଧ୍ୟୟନ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷରେ ଆୟୁଷ ସେବା କ୍ଷେତ୍ରର ମୋଟ୍ କାରବାର ୩୬.୯୨ ବିଲିଅନ ଡଲାର ଥିଲା। ୨୦୨୨-୨୩ ପରଠାରୁ ଏହି କ୍ଷେତ୍ର ବାର୍ଷିକ ୧୬.୯୧ ପ୍ରତିଶତ ହାରରେ ଆଗକୁ ବଢ଼ୁଛି।
ଦେଶର ୧୫,୯୧୪ଟି ଆୟୁଷ ପ୍ରତିଷ୍ଠାନକୁ ନେଇ ଏହି ଅଧ୍ୟୟନ କରାଯାଇଛି। ଆୟୁଷ କ୍ଷେତ୍ରରେ ମହିଳାଙ୍କ ଭୂମିକା ଉଲ୍ଲେଖନୀୟ ଭାବେ ବଢ଼ୁଛି। ୱେଲନେସ୍ ସେଣ୍ଟର, ସ୍ପା ଓ ରିସୋର୍ଟରେ ମହିଳାଙ୍କ ଅଂଶ ୬୦ ପ୍ରତିଶତରୁ ଅଧିକ ରହିଛି। ସେହିପରି ଶିକ୍ଷାନୁଷ୍ଠାନରେ ୫୮ ପ୍ରତିଶତ, ଡେ’ କେୟାର ସେଣ୍ଟରରେ ୫୭ ପ୍ରତିଶତ ଓ ହସ୍ପିଟାଲରେ ୫୩ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା।
୪୩% ହେଉଛନ୍ତି ମହିଳା
ସ୍ଥାନୀୟ ଓ ସ୍ୱତନ୍ତ୍ର କ୍ଲିନିକ୍ଗୁଡ଼ିକ ଆୟୁଷ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛନ୍ତି। ସେଭଳି ଅନୁଷ୍ଠାନରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିଛି। ଆୟୁଷର ବିଭିନ୍ନ ବ୍ୟବସ୍ଥା ମଧ୍ୟରେ ଆୟୁର୍ବେଦ ସବୁଠାରୁ ବଡ଼ କ୍ଷେତ୍ର ହୋଇରହିଛି। ମୋଟ ଆୟୁଷ ସେବା ଆୟର ପ୍ରାୟ ୪୮ ପ୍ରତିଶତ ଆୟୁର୍ବେଦରୁ ଆସୁଛି। ୱେଲନେସ୍ ସେବାର ଚାହିଦା ମଧ୍ୟ ବଢ଼ୁଛି। ଯୋଗ କେନ୍ଦ୍ର, ସ୍ପା ଓ ରିସୋର୍ଟ ସମେତ ଆୟୁଷ ଆଧାରିତ ୱେଲନେସ୍ କ୍ଷେତ୍ର ବାର୍ଷିକ ୨୧.୨୯ ପ୍ରତିଶତ ହାରରେ ବଢ଼ୁଛି। ଏହା ସହିତ ମେଡିକାଲ ଭ୍ରମଣରୁ ୨୦୨୪-୨୫ରେ ପ୍ରାୟ ୧.୭୭ ବିଲିଅନ ଡଲାର ଆୟ ହୋଇଥିବା ଅଧ୍ୟୟନରେ କୁହାଯାଇଛି।
ଆଗାମୀ ଦିନରେ ଆୟୁଷ କ୍ଷେତ୍ରର ଆକାର ଆହୁରି ବଢ଼ିବାର ଆଶା ରହିଛି। ୨୦୪୭ ସୁଦ୍ଧା ଏହି କ୍ଷେତ୍ରର ଆର୍ଥିକ ଆକାର ୨୧୬ରୁ ୩୧୮ ବିଲିଅନ ଡଲାରରେ ପହଞ୍ଚିବା ଆଶା କରାଯାଉଛି। ଏଥିପାଇଁ ଭିତ୍ତିଭୂମି, ଦକ୍ଷତା ବିକାଶ, ଗୁଣବତ୍ତା, ଡିଜିଟାଲ ବ୍ୟବସ୍ଥା ଓ ବିଦେଶୀ ବଜାରରେ ପ୍ରବେଶକୁ ଆହୁରି ଦୃଢ଼ କରିବା ଆବଶ୍ୟକ ବୋଲି ରିପୋର୍ଟରେ କୁହାଯାଇଛି।
Arrested: ବେଙ୍ଗାଲୁରୁରେ ଜିମ୍ ଟ୍ରେନରଙ୍କୁ ନିର୍ମମ ହତ୍ୟା: ବନ୍ଧୁମାନେ ନେଲେ ଜୀବନ, ୪ ଅଭିଯୁକ୍ତ ଗିରଫ

51 minutes ago
1


