ARTICLE AD BOX
ନୂଆଦିଲ୍ଲୀ: ବିଦେଶ ବୁଲିବାକୁ କାହାର ବା ଇଚ୍ଛା ନଥାଏ! ତା’ ସହିତ ଯଦି ସେଠାରେ କିଛି ଦିନ କାମ କରି ଟଙ୍କା ରୋଜଗାର କରିବାର ସୁଯୋଗ ମିଳେ, ତେବେ ଏହାଠାରୁ ଭଲ କଥା ଆଉ କ’ଣ ହୋଇପାରେ! ଏବେ ଭାରତୀୟ ଯୁବକଯୁବତୀଙ୍କ ପାଇଁ ଏମିତି ଏକ ସୁଯୋଗ ଆଣିଛି ୟୁରୋପୀୟ ଦେଶ ଅଷ୍ଟ୍ରିଆ।
ଅଷ୍ଟ୍ରିଆ ପକ୍ଷରୁ ଭାରତୀୟଙ୍କ ପାଇଁ ୱାର୍କିଂ ହଲିଡେ ଭିସା ବ୍ୟବସ୍ଥା ରହିଛି। ଏହି ଭିସା ମାଧ୍ୟମରେ ଭାରତୀୟମାନେ ୧୨ ମାସ ପର୍ଯ୍ୟନ୍ତ ଅଷ୍ଟ୍ରିଆରେ ରହିପାରିବେ। ଏହି ସମୟରେ ଦେଶର ବିଭିନ୍ନ ସ୍ଥାନ ବୁଲିବା ସହ ସେଠାକାର ଜୀବନଶୈଳୀ ଓ ସଂସ୍କୃତିକୁ ଜାଣିବାର ସୁଯୋଗ ପାଇବେ। ଏଥିସହିତ ନିର୍ଦ୍ଦିଷ୍ଟ ସମୟ ପାଇଁ ଅସ୍ଥାୟୀ ଭାବେ କାମ ମଧ୍ୟ କରିପାରିବେ।
ତେବେ ଏହି ଭିସା ପାଇଁ କିଏ ଆବେଦନ କରିପାରିବେ? କେଉଁଠି ଆବେଦନ କରିବେ ଏବଂ ଏଥିପାଇଁ କ’ଣ ସବୁ ଯୋଗ୍ୟତା ରହିଛି? ଆସନ୍ତୁ ଜାଣିବା।
ଆହୁରି ପଢ଼ନ୍ତୁ- JEE Main 2027: ଆବେଦନ କଲେଣି ୧୫.୬୯ ଲକ୍ଷ ଛାତ୍ରଛାତ୍ରୀ; ବାକି ରହିଛି ୧.୭୭ ଲକ୍ଷ ଫି’
କିଏ କରିପାରିବେ ଆବେଦନ?
ଅଷ୍ଟ୍ରିଆର ୱାର୍କିଂ ହଲିଡେ କାର୍ଯ୍ୟକ୍ରମ ଅନୁସାରେ ୧୮ରୁ ୩୦ ବର୍ଷ ବୟସର ଭାରତୀୟ ନାଗରିକ ଏହି ଭିସା ପାଇଁ ଆବେଦନ କରିପାରିବେ।
ଏହି ଭିସା ମିଳିଲେ ଆପଣ ୧୨ ମାସ ପର୍ଯ୍ୟନ୍ତ ଅଷ୍ଟ୍ରିଆରେ ରହିପାରିବେ। ଏହି ସମୟରେ ସେଠାକାର ଲୋକଙ୍କ ଜୀବନଶୈଳୀ, ଖାଦ୍ୟପେୟ, ପରମ୍ପରା ଓ ସଂସ୍କୃତି ବିଷୟରେ ଜାଣିପାରିବେ। ଏଥିସହିତ ସେଠାକାର କାମ କରିବାର ପରିବେଶ ଓ ଚାକିରି ସୁଯୋଗ ବିଷୟରେ ମଧ୍ୟ ଅନୁଭବ ହାସଲ କରିପାରିବେ।
ଭାରତୀୟଙ୍କ ପାଇଁ କାହିଁକି ଏହି ଭିସା?
ଭାରତ ଓ ଅଷ୍ଟ୍ରିଆ ମଧ୍ୟରେ ଥିବା ୱାର୍କିଂ ହଲିଡେ କାର୍ଯ୍ୟକ୍ରମ ଅନୁସାରେ ଉଭୟ ଦେଶର ଯୁବକଯୁବତୀଙ୍କୁ ଏଭଳି ସୁଯୋଗ ଦିଆଯାଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁଇ ଦେଶର ଯୁବପିଢ଼ି ପରସ୍ପରର ସଂସ୍କୃତି ଓ ଜୀବନଶୈଳୀକୁ ନିକଟରୁ ଜାଣିବା।
ଏହି ଭିସା ନେଇ ଅଷ୍ଟ୍ରିଆ ଯାଉଥିବା ଭାରତୀୟ ଯୁବକଯୁବତୀ ସେଠାରେ ବୁଲିବା ସହ ଅସ୍ଥାୟୀ ଭାବେ କାମ କରିପାରିବେ। ଏହାଦ୍ୱାରା ବିଦେଶରେ ରହିବା ଓ କାମ କରିବାର ଅନୁଭବ ମଧ୍ୟ ମିଳିବ।
କେଉଁଠି ଏବଂ କେମିତି କରିବେ ଆବେଦନ?
ଅଷ୍ଟ୍ରିଆ ସରକାରଙ୍କ ଜାତୀୟ ଭିସା ଡି (ନ୍ୟାସ୍ନାଲ୍ ଭିସା ଡି) ଅଧୀନରେ ୱାର୍କିଂ ହଲିଡେ ଭିସା ଦିଆଯାଉଛି। ଏଥିପାଇଁ ଆଗ୍ରହୀ ଭାରତୀୟ ଆବେଦନକାରୀ ନୂଆଦିଲ୍ଲୀସ୍ଥିତ ଅଷ୍ଟ୍ରିଆ ଦୂତାବାସ ସହ ଯୋଗାଯୋଗ କରିପାରିବେ।
ଆବେଦନ କରିବା ପୂର୍ବରୁ ଭିସା ସମ୍ପର୍କିତ ନିୟମ, ଆବଶ୍ୟକ କାଗଜପତ୍ର ଓ ଆବେଦନ ପ୍ରକ୍ରିୟା ବିଷୟରେ ଦୂତାବାସର ଅଧିକାରିକ ୱେବସାଇଟ୍ରୁ ଜାଣିନେବା ଉଚିତ।
ୱାର୍କିଂ ହଲିଡେ ଭିସା ପାଇଁ କ’ଣ ରହିଛି ଯୋଗ୍ୟତା?
ଆହୁରି ପଢ଼ନ୍ତୁ- UP Elections: କେବଳ ଏସ୍ପି-କଂଗ୍ରେସ ନୁହେଁ, ଏନ୍ଡିଏରେ ମଧ୍ୟ ଆସନକୁ ନେଇ ଟଣାଓଟରା: ବିଜେପିର ଚିନ୍ତା ବଢ଼ାଇଛନ୍ତି ସହଯୋଗୀ, ଅଧିକ ଆସନ ଦାବି
ଏହି ଭିସା ପାଇଁ ଆବେଦନ କରିବାକୁ କିଛି ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଯେପରିକି-
• ଆବେଦନକାରୀ ଭାରତୀୟ ନାଗରିକ ହୋଇଥିବା ଆବଶ୍ୟକ।
• ତାଙ୍କ ପାଖରେ ବୈଧ ପାସପୋର୍ଟ ଥିବା ଦରକାର।
• ବୟସ ୧୮ରୁ ୩୦ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।
• ଅଷ୍ଟ୍ରିଆ ଯିବାର ମୁଖ୍ୟ ଉଦ୍ଦେଶ୍ୟ ଦେଶ ବୁଲିବା ଓ ସେଠାକାର ସଂସ୍କୃତିକୁ ଜାଣିବା ହେବା ଉଚିତ।
• ଆବେଦନକାରୀଙ୍କ ସହ ତାଙ୍କର କୌଣସି ଆଶ୍ରିତ ପରିବାର ସଦସ୍ୟ ଯାଇପାରିବେ ନାହିଁ।
• ଅଷ୍ଟ୍ରିଆରେ ରହିବା ଓ ଆରମ୍ଭରେ ଖର୍ଚ୍ଚ କରିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ଥିବା ଦରକାର।
• ରହିବାର ସମ୍ପୂର୍ଣ୍ଣ ସମୟ ପାଇଁ ସ୍ୱାସ୍ଥ୍ୟ ବୀମା ଥିବା ଆବଶ୍ୟକ।
• ଫେରିବା ପାଇଁ ଟିକେଟ୍ ଥିବା ଦରକାର। ନଚେତ୍ ଟିକେଟ୍ କିଣିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ଥିବା ଉଚିତ।
• ଆବେଦନକାରୀଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ଆବଶ୍ୟକ।
୧୨ ମାସ ରହିପାରିବେ, କିନ୍ତୁ କେତେ ଦିନ କାମ କରିପାରିବେ?
ଏହି ଭିସାକୁ ନେଇ ଗୋଟିଏ କଥା ମନେ ରଖିବା ଜରୁରି। ଏହା କେବଳ ବିଦେଶରେ ଚାକିରି କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ବରଂ ଅଷ୍ଟ୍ରିଆ ବୁଲିବା, ସେଠାକାର ସଂସ୍କୃତି ଓ ଜୀବନଶୈଳୀକୁ ବୁଝିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଭିସା ମାଧ୍ୟମରେ ଜଣେ ଭାରତୀୟ ୧୨ ମାସ ପର୍ଯ୍ୟନ୍ତ ଅଷ୍ଟ୍ରିଆରେ ରହିପାରିବେ। ତେବେ ସେଠାରେ ସର୍ବାଧିକ ୬ ମାସ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ମିଳିବ। ତେଣୁ ଏହାକୁ ସ୍ଥାୟୀ ଚାକିରି କିମ୍ବା ଦୀର୍ଘକାଳୀନ ରୋଜଗାରର ରାସ୍ତା ବୋଲି ଭାବିବା ଠିକ୍ ହେବ ନାହିଁ।
ଏହି ସୁଯୋଗ ଦ୍ୱାରା ଭାରତୀୟ ଯୁବପିଢ଼ି ୟୁରୋପର ଏକ ସୁନ୍ଦର ଦେଶକୁ ବୁଲିବା ସହ ସେଠାକାର କାମ କରିବାର ପରିବେଶକୁ ନିକଟରୁ ଜାଣିବାର ଅନୁଭବ ପାଇପାରିବେ।
ଅଧିକ ଦେଖନ୍ତୁ-

1 hour ago
1


