ARTICLE AD BOX
ବ୍ରିସ୍ବେନ୍: ଭାରତର ଦୁଇ ଯୁବ ବୋଲର ଅଭିଷେକ ମୁଣ୍ଡ ଓ ବାସୁଦେବ ପ୍ରସାଦ ସିଂହ ଆସନ୍ତା ସପ୍ତାହରେ ଅଷ୍ଟ୍ରେଲିଆ ଟେଷ୍ଟ୍ ଦଳ ସହ ଅଭ୍ୟାସ କରିବେ। ବ୍ରିସ୍ବେନ୍ସ୍ଥିତ କ୍ରିକେଟ୍ ଅଷ୍ଟ୍ରେଲିଆର ଜାତୀୟ କ୍ରିକେଟ୍ କେନ୍ଦ୍ର (ଏନ୍ସିସି)ଠାରେ ଚଳିତ ମାସ ୧୩ରୁ ଆରମ୍ଭ ହୋଇଛି ୨ ସପ୍ତାହିକ ଉଚ୍ଚ-ପ୍ରଦର୍ଶନ କାର୍ଯ୍ୟକ୍ରମ। ଚଳିତ ମାସ ୨୪ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ହେବାକୁଥିଲା ବେଳେ ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ର ୪ ଜଣ ସଦସ୍ୟ ଏଥିରେ ସାମିଲ ହେବାକୁ ଚୟନ ହୋଇଛନ୍ତି। ଭାରତର ଦୁଇ ବୋଲର ଅଭିଷେକ ଓ ବାସୁଦେବଙ୍କ ସହ ପୂର୍ବତନ ଦ୍ରୁତ ବୋଲର ଟିନୁ ୟୋହାନ୍ନାନ ଓ ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ କାର୍ଯ୍ୟକ୍ରମ ପ୍ରବନ୍ଧକ ତଥା ମୁଖ୍ୟ ପ୍ରଶିକ୍ଷକ ଏମ୍ ସେନ୍ଥିଲନାଥନ ଏହି ୪ ଜଣିଆ ଦଳରେ ରହିଛନ୍ତି। ଖେଳାଳିଙ୍କ ବିକାଶ ଲାଗି ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ୩ ଦଶନ୍ଧିରୁ ଅଧିକ ରହିଥିବା ସହଭାଗିତାର ଏହା ଏକ ଅଂଶ। ୧୯୮୭ରେ ଚେନ୍ନାଇରେ ଆରମ୍ଭ ହୋଇଥିବା ଏମ୍ଆର୍ଏଫ୍ ପେସ୍ ଫାଉଣ୍ଡେସନ୍ର ଅଭିବୃଦ୍ଧିରେ ଅଷ୍ଟ୍ରେଲୀୟ ମହାନ ଡେନିସ୍ ଲିଲିଙ୍କ ପ୍ରମୁଖ ଭୂମିକା ରହିଥିଲା। ଫଳରେ ୧୯୯୨ରେ କ୍ରିକେଟ୍ ଅଷ୍ଟ୍ରେଲିଆ ସହ ଏହି ଫାଉଣ୍ଡେସନ୍ ସହଭାଗିତା କରିଥିଲା। ସେହିଦିନଠାରୁ ବିକାଶ କାର୍ଯ୍ୟକ୍ରମ ଜରିଆରେ ଭାରତର ଯୁବ କ୍ରିକେଟର୍ମାନେ ଅଷ୍ଟ୍ରେଲୀୟ ପରିବେଶ ଓ ତାଲିମ ପ୍ରଣାଳିର ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଉଛନ୍ତି। ଏହି ସହଭାଗିତା ବଳରେ ଅଷ୍ଟ୍ରେଲୀୟ ଖେଳାଳି ମଧ୍ୟ ଚେନ୍ନାଇ ଗସ୍ତ କରି ଉପମହାଦେଶ ପରିବେଶର ଅଭିଜ୍ଞତା ସାଉଣ୍ଟୁଛନ୍ତି।
ଆହୁରି ପଢନ୍ତୁ: Scam: ଜାଲ ଦସ୍ତଖତ କରି କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ହଡ଼ପ ଅଭିଯୋଗ
ଯଦିଓ ଏହି ସହଭାଗୀତା ପ୍ରାରମ୍ଭରେ ଦ୍ରୁତ ବୋଲିଂ ଉପରେ ଧ୍ୟାନ ଦେଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ବ୍ୟବକ ହୋଇଥିଲା। ଫଳରେ ଭାରତୀୟ ସ୍ପିନ୍ ପରିବେଶରେ ଖେଳର ଉନ୍ନତି ପାଇଁ ଅଷ୍ଟ୍ରେଲୀୟ ବ୍ୟାଟର୍, ସ୍ପିନର୍ ଓ ୱିକେଟ୍କିପର ଚେନ୍ନାଇରେ ତାଲିମ ନେଉଛନ୍ତି। ଏହି କାର୍ଯ୍ୟକ୍ରମ ସହିତ ପ୍ରମୁଖ କ୍ରିକେଟର୍ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଗ୍ଲେନ୍ ମ୍ୟାକ୍ଗ୍ରା, ମିଚେଲ୍ ଜନ୍ସନ୍ ଓ ବ୍ରେଟ୍ ଲି ଏବଂ ଭାରତର ଜାଭଗଲ୍ ଶ୍ରୀନାଥ, ଜାହିର ଖାନ ରହିଛନ୍ତି। ଅଷ୍ଟ୍ରେଲୀୟ ଯୁବ ଖେଳାଳି ସାମ୍ କନଷ୍ଟାସ୍, ନାଥନ୍ ମ୍ୟାକ୍ସ୍ୱିନି, ଟଡ୍ ମର୍ଫି, କୁପର୍ କନୋଲି, ଜୋସ୍ ଫିଲିପ୍, ଓଲି ପିକ୍, କୋରି ରୋଚିସିଓଲି, ଜୋଏଲ୍ ଡେଭିସ୍ ଓ ଜାସନ୍ ସାଂଘାଙ୍କ ସମେତ ଅନେକ ଖେଳାଳି ଏହି ଫାଉଣ୍ଡେସନ୍ ଦ୍ବାରା ସଫଳତା ପାଇଛନ୍ତି। ଅଗଷ୍ଟ ୧ ତାରିଖରୁ ଚେନ୍ନାଇରେ ହେବାକୁ ଥିବା ଦୁଇ ସପ୍ତାହିକ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି ଯୋଗ ଦେବେ।

11 hours ago
1


