Assembly session: ଆଗୁଆ ସରିଗଲା ବିଧାନସଭା: ୯ ଦିନ ପାଇଁ ଡାକିଲେ, ୯ ଘଣ୍ଟା ବସିଲେନି

59 minutes ago 2
ARTICLE AD BOX

ଭୁବନେଶ୍ବର: ବିଧାନସଭାର ମୌସୁମୀ ଅଧିବେଶନ ଚାରି ଦିନ ଆଗରୁ ସରିଯାଇଛି। ମାତ୍ର ୯ ଦିନ ପାଇଁ ଅଧିବେଶନ ଡକାଯାଇଥିଲେ ବି ମୋଟ ୯ ଘଣ୍ଟା ଗୃହ ଚାଲିପାରିଲାନି। ୫ଟି କାର୍ଯ୍ୟଦିବସରେ ଗୃହ କାର୍ଯ୍ୟ ମୋଟ ୫ ଘଣ୍ଟା ଭିତରେ ସୀମିତ ରହିଛି। ରାଜ୍ୟରେ ବର୍ଷା, ବନ୍ୟା ସ୍ଥିତି ପାଇଁ ଶାସକ ଦଳ ପକ୍ଷରୁ ଆଗୁଆ ଅଧିବେଶନ ସାରିବା ପ୍ରସ୍ତାବକୁ ବିନା ବିରୋଧୀ ଦଳରେ ଗୃହରେ ପାରିତ କରାଯାଇଥିଲା। ଗତ ଚାରି ଦିନ ପରି ଆଜି ମଧ୍ୟ ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗରେ ବିଧାନସଭା କମ୍ପିଥିଲା। ବିରୋଧୀ ଦଳର ଅନୁପସ୍ଥିତିରେ ଶାସକ ଦଳ ଏକପାଖିଆ ଆଲୋଚନା କରିଥିଲେ। ଚାରିଟି ବିଲ୍ ବି ପାରିତ କରାଇଥିଲେ। ଏହି ଅଧିବେଶନରେ କୌଣସି ଦିନ ବି ଗୃହ ସ୍ବାଭାବିକ ହୋଇପାରିନି। ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ଆଦୌ ହୋଇ ନାହିଁ। ବିଧାନସଭାର ମୌସୁମୀ ଅଧିବେଶନକୁ ଆଗୁଆ ସାରିବା ଘଟଣା ଅତୀତରେ କ୍ବଚିତ ଦେଖାଦେଇଛି। 

ଆଜି ପୂର୍ବାହ୍ଣରେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ଆସିଲେ। ବ୍ୟାନର୍ ଦେଖାଇ ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍‌ର ତୀବ୍ର ପ୍ରତିବାଦ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେମାନେ ଆସନକୁ ଫେରି ନଥିଲେ। ଫଳରେ ୬ ମିନିଟ୍ ପରେ ବାଚସ୍ପତି ଗୃହକୁ ୧୧ଟା ୩୦ ପର୍ଯ୍ୟନ୍ତ ମୁଲତବୀ ରଖିଲେ। ୧୧ଟା ୩୦ରେ ବି ସମାନ ସ୍ଥିତି ହେଲା। ବିଜେଡି ଓ କଂଗ୍ରେସ ସଭ୍ୟମାନଙ୍କ ଭୀଷଣ ପ୍ରତିବାଦ ଭିତରେ ବାଚସ୍ପତି ବନ୍ୟା ଓ ବୃଷ୍ଟିପାତ ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବାକୁ ରାଜସ୍ବ ମନ୍ତ୍ରୀଙ୍କୁ କହିଲେ। ଓଡ଼ିଶାରେ ଅଧିକ ବୃଷ୍ଟିପାତ ଯୋଗୁ କିପରି ସମସ୍ୟା ସୃଷ୍ଟି ହୋଇଛି, ତାହା ମନ୍ତ୍ରୀ କହିଥିଲେ।

ତେବେ ବିରୋଧୀଙ୍କ ହୋହଲ୍ଲା ଭିତରେ ତାଙ୍କ କଥା ଶୁଣାଯାଇ ନଥିଲା। ଏହା ପରେ ବିଜେପି ବିଧାୟକମାନେ ଜଣଙ୍କ ପରେ ଜଣେ ବିରୋଧୀ ଦଳକୁ ଟାର୍ଗେଟ୍ କରିଥିଲେ। ବିରୋଧୀଙ୍କ ସ୍ବରକୁ ବାଚସ୍ପତି ଗୁରୁତ୍ବ ଦେଉ ନଥିବା ଅଭିଯୋଗ କରି ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। ସେମାନେ ସେଠାରୁ ସିଧାସଳଖ ପିଏମଜି ଛକସ୍ଥିତ ବିକ୍ଷୋଭ ସ୍ଥଳକୁ ଯାଇଥିଲେ। କଂଗ୍ରେସ ସଭ୍ୟମାନେ ହୋହଲ୍ଲା ଜାରି ରଖିଥିଲେ। ଏହାରି ଭିତରେ ବିଜେପି ସଭ୍ୟ ଈରାଶିଷ ଆଚାର୍ଯ୍ୟ, ସନ୍ତୋଷ ଖଟୁଆ, ଉପାସନା ମହାପାତ୍ର, ନରସିଂହ ମାଡ଼କାମୀ, ଆକାଶ ଦାସନାୟକ, ସନାତନ ବିଜୁଳି, ଭାସ୍କର ମଡ଼େଇ, ପ୍ରତାପ ଚନ୍ଦ୍ର ନାୟକ, ଜଲେନ୍ ନାଏକ, ଅମର ନାୟକ, ବିଭୂତି ଭୂଷଣ ପ୍ରଧାନ, ଜୟ ଢୋଲକିଆ ଓ ଦୁର୍ଗାପ୍ରସନ୍ନ ନାୟକ ପ୍ରମୁଖ ଗୃହ ଅଚଳାବସ୍ଥା ପାଇଁ ବିରୋଧୀ ଦଳକୁ ଦାୟୀ କରିଥିଲେ। ବିଜେଡି ଓ କଂଗ୍ରେସ ଗୃହ ବନ୍ଦ କରିବାକୁ ବାରମ୍ବାର ଚେଷ୍ଟା କରୁଥିବାରୁ ଲୋକଙ୍କ ସମସ୍ୟା ଏଠାରେ ଆଲୋଚନା ହୋଇପାରୁନି ବୋଲି ଆରୋପ ଲଗାଇଥିଲେ। କଂଗ୍ରେସ ସଭ୍ୟଙ୍କ ହୋହଲ୍ଲା ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଲେ। 

ଅପରାହ୍ଣ ୪ଟାରେ ବି ଗୃହ ସ୍ବାଭାବିକ ହୋଇ ନଥିଲା। ବିଜେଡି ଓ କଂଗ୍ରେସ ବିଧାୟକଙ୍କ ପ୍ରତିବାଦ ଜାରି ରହିଲା। ବାଚସ୍ପତି ଗୃହ କାର୍ଯ୍ୟ ଚଳାଇବାକୁ ଚେଷ୍ଟା କଲେ। ପ୍ରତିବାଦରେ ବିଜେଡି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ। କଂଗ୍ରେସ ସଭ୍ୟମାନେ ପ୍ରତିବାଦ ଜାରି ରଖି କିଛି ସମୟ ପରେ ବାହାରକୁ ଚାଲିଯାଇଥିଲେ। ବିନା ବିରୋଧୀ ଦଳରେ ଗୋଟିଏ ପରେ ଗୋଟିଏ ଚାରିଟି ବିଲ୍ ଉପରେ ନାମକୁ ମାତ୍ର ଆଲୋଚନା ହୋଇ ପାରିତ ହୋଇଥିଲା। ବିରୋଧୀ ଦଳ ସଭ୍ୟମାନଙ୍କୁ ବୁଝାଇ ଗୃହକୁ ଆଣିବାକୁ ବାଚସ୍ପତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଏକ ଟିମ୍ ପଠାଇଥିଲେ।

ସେମାନେ ବାହାରକୁ ଯାଇ ଆଲୋଚନା କରିଥିଲେ ବି ବିରୋଧୀ ଦଳ ସଭ୍ୟମାନେ ଗୃହକୁ ଆସିବାକୁ ମନା କରିଦେଇଥିଲେ। ଏହା ପରେ ସରକାରୀ ଦଳ ମୁଖ୍ୟ ସଚେତକ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିବାକୁ ପ୍ରସ୍ତାବ ରଖିଥିଲେ। ବନ୍ୟା ପାଇଁ ବିଧାୟକମାନେ ନିଜ ନିଜ ଅଞ୍ଚଳକୁ ଯାଇ ଲୋକଙ୍କ କଥା ବୁଝିବେ। ତେଣୁ ଗୃହ କାର୍ଯ୍ୟ ମୁଲତବୀ ରଖିବାକୁ ସେ କହିଥିଲେ। ଉପାସନା ମହାପାତ୍ର, ଲକ୍ଷ୍ମଣ ବାଗ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହାକୁ ସମର୍ଥନ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଦଶହରା ଶୁଭେଚ୍ଛା ଜଣାଇଥିଲେ। ୬ଟା ୫୪ରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.