ARTICLE AD BOX
ନାମଚୀ: ସିକ୍କିମର ନାମଚୀ ଜିଲ୍ଲାରେ ଆଜି ଏକ ନିର୍ମାଣାଧୀନ ରାସ୍ତା ସୁଡ଼ଙ୍ଗରେ ପ୍ରାୟ ୧୨ ଜଣ ଶ୍ରମିକ ଫସି ଯାଇଛନ୍ତି। ସୋମବାର ଅପରାହ୍ଣରେ ଏକ ଭୂସ୍ଖଳନ ଯୋଗୁ ସୁଡ଼ଙ୍ଗର ପ୍ରବେଶ ପଥ ବନ୍ଦ ହୋଇଯିବାରୁ ଶ୍ରମିକମାନେ ସୁଡ଼ଙ୍ଗ ଭିତରେ ଫସି ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭୂସ୍ଖଳନ ଯୋଗୁ ସମରଡୁଙ୍ଗ ସୁଡ଼ଙ୍ଗରେ ଗ୍ୟାସ୍ ଲିକ୍ ହୋଇଥିବା ସନ୍ଦେହ କରାଯାଉଛି। କର୍ତ୍ତୃପକ୍ଷମାନେ କହିଛନ୍ତି, ଭୂସ୍ଖଳନ ଯୋଗୁ ସ୍ବାଭାବିକ ଭାବେ ଗ୍ୟାସ୍ ଲିକ୍ ହୋଇଛି। ଏନ୍ଡିଆରଏଫ୍, ଏସ୍ଡିଆରଏଫ୍, ପୁଲିସ ଓ ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି। କିନ୍ତୁ ସୁଡ଼ଙ୍ଗ ଭିତରେ ଗ୍ୟାସ୍ ଥିବାରୁ ଉଦ୍ଧାର ଅପରେସନ୍ରେ ବାଧା ଉପୁଜିଛି। ମିଳିଥିବା ସୂଚନା ଅନୁଯାୟୀ, ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିବା ପାଇଁ ଉଦ୍ୟମ ବେଳେ କିଛି ଉଦ୍ଧାରକାରୀ ଅଚେତ ହୋଇପଡ଼ିଛନ୍ତି। ଘଟଣାସ୍ଥଳରେ ଆମ୍ବୁଲାନ୍ସ ରହିଥିବାବେଳେ ଗ୍ୟାସ୍ ମାସ୍କ ବ୍ୟବହାର କରି ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଏକ ରାଜପଥ ପ୍ରକଳ୍ପର ଅଂଶ ଭାବେ ଏହି ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଚାଲିଛି।
ଆହୁରି ପଢନ୍ତୁ: MamataBanarjee: ଇଡି ଜବତ କରିଥିବା ବ୍ୟାଙ୍କ ଆକାଉଣ୍ଟ ପରିଚାଳନା ପାଇଁ ମମତାଙ୍କ ଟିଏମ୍ସିକୁ ଅନୁମତି ଦେଲେନି ହାଇକୋର୍ଟ
ସେହିପରି ଆସାମରେ ବନ୍ୟା ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଲଗାଣ ବର୍ଷା ଯୋଗୁ ୧୨ ଜିଲ୍ଲାରେ ୧.୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଗତକାଲି ରାତି ତମାମ ପ୍ରବଳ ବର୍ଷା ଯୋଗୁ ଗୁଆହାଟୀର ବିଭିନ୍ନ ଅଂଶରେ ଅଚାନକ ବନ୍ୟା ଆସିଛି ଏବଂ ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ବନ୍ୟା ଯୋଗୁ ଆସାମରେ ୧୨ ଜିଲ୍ଲା, ୩୦ ରେଭିନ୍ୟୁ ସର୍କଲ୍ ଓ ୫୮୦ ଗ୍ରାମ ପ୍ରଭାବିତ ହୋଇଛି। ୧୦,୩୬୨ ହେକ୍ଟର ଚାଷଜମିରେ ପାଣି ପଶି ଫସଲ ନଷ୍ଟ ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଶିବସାଗର, ଚରାଇଦେବ ଓ ଜୋରହାଟ। କିଛି ସ୍ଥାନରେ ବନ୍ୟାଜଳ ରେଳ ଧାରଣା ବୁଡ଼ାଇ ଦେଇଥିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗୁଆହାଟୀରେ ବନ୍ୟା ଜଳ ଲୋକଙ୍କ ଘରେ ପଶିଛି ଓ ସାଧାରଣ ଜୀବନ ବାଧାପ୍ରାପ୍ତ ହୋଇଛି। ମେଘାଳୟ ପର୍ବତରୁ ଅଧିକାଂଶ ବନ୍ୟା ଜଳ ଆସିବା ଦ୍ବାରା ଏବଂ ବଶିଷ୍ଠ ନଦୀ ଫୁଲିବା ଦ୍ବାରା ପରିସ୍ଥିତି ବେଶୀ ଗମ୍ଭୀର ହୋଇଯାଇଛି। ସ୍ଥିତି ବିଗିଡ଼ିବାରୁ ଭାରତୀୟ ସେନା ଏଠାରେ ‘ଅପରେସନ୍ ଜଲ ରାହତ’ ଆରମ୍ଭ କରିଛି। ଆସାମ ରାଇଫଲ୍ସ ସହ ଭାରତୀୟ ସେନା ଉଦ୍ଧାର କାର୍ଯ୍ୟରେ ମୁତୟନ ହୋଇଛନ୍ତି। ଏନ୍ଡିଆରଏଫ୍ ମଧ୍ୟ ଶିବସାଗରରେ ୨୪ଟି ବୋଟ୍ ମୁତୟନ କରିଛି। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଛନ୍ତି, ସରକାର ସ୍ଥିତିକୁ ଭଲଭାବେ ଯାଞ୍ଚ କରୁଛନ୍ତି। ପ୍ରଭାବିତ ଜିଲ୍ଲାରେ ରିଲିଫ୍ ଅପରେସନ୍ ଜାରି ରହିଛି।

13 hours ago
1


