ARTICLE AD BOX
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଭାରତ-ଚୀନ୍ ସୀମା ପରିସ୍ଥିତିକୁ ନେଇ କେନ୍ଦ୍ର ସରକାରଙ୍କୁ ୫ଟି ପ୍ରଶ୍ନ ପଚାରିଛନ୍ତି ଅଲ୍ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ୍ ମୁସଲିମିନ୍ (ଏଆଇଏମ୍ଆଇଏମ୍) ଅଧ୍ୟକ୍ଷ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦିନ୍ ଅୱେସି। ସୋମବାର ସେ ‘ଏକ୍ସ’ରେ ପୋଷ୍ଟ କରି ଅରୁଣାଚଳ ପ୍ରଦେଶରେ ନିୟନ୍ତ୍ରଣ ରେଖା (ଏଲ୍ଏସି) ନିକଟରେ ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ)ର କାର୍ଯ୍ୟକଳାପ ସମ୍ପର୍କରେ ସରକାରଙ୍କଠାରୁ ସ୍ପଷ୍ଟତା ମାଗିଛନ୍ତି। ନିକଟରେ ଗଣମାଧ୍ୟମରେ କିଛି ଉତ୍ତେଜନା ଖବର ପ୍ରକାଶ ପାଇବା ପରେ ଅୱେସି ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି।
ଅୱେସିଙ୍କ ପ୍ରଥମ ପ୍ରଶ୍ନ ହେଉଛି, ଯେଉଁ ଅଞ୍ଚଳରେ ଭାରତୀୟ ସେନା ପୂର୍ବରୁ ନିୟମିତ ଭାବେ ପାଟ୍ରୋଲିଂ କରୁଥିଲା, ସେଠାକୁ ଯିବାରୁ ଚୀନ୍ ସେନା ନିକଟରେ ଭାରତୀୟ ସେନାକୁ ରୋକିଛି କି? ଦ୍ୱିତୀୟରେ, ଭାରତୀୟ ପାଟ୍ରୋଲିଂ ଦଳ ସେହି ଅଞ୍ଚଳରେ ତିଆରି କରିଥିବା ଏକ ଅସ୍ଥାୟୀ ଢାଞ୍ଚାକୁ ଚୀନ୍ ସେନା ନଷ୍ଟ କରିଛି କି? ତୃତୀୟ ପ୍ରଶ୍ନରେ ଅୱେସି ପଚାରିଛନ୍ତି, ଭାରତର ଅଞ୍ଚଳ ଭାବେ ସ୍ପଷ୍ଟ ଚିହ୍ନିତ ସ୍ଥାନରେ ପିଏଲ୍ଏ ନିଜର ଟେଣ୍ଟ ପକାଇଛି କି? ଚତୁର୍ଥ ପ୍ରଶ୍ନରେ ସେ ଜାଣିବାକୁ ଚାହିଛନ୍ତି ଯେ, ଆସନ୍ତା ମାସରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସମ୍ଭାବ୍ୟ ଭାରତ ଗସ୍ତ ପୂର୍ବରୁ ଦୁଇ ଦେଶର ସମ୍ପର୍କକୁ ‘ସ୍ବାଭାବିକ’ ଦେଖାଇବା ପାଇଁ ଭାରତୀୟ ସେନାକୁ ପାଟ୍ରୋଲିଂ ଅଧିକାର ନେଇ ଅଧିକ ଜୋର ନ ଦେବାକୁ କୁହାଯାଉଛି କି? ପଞ୍ଚମ ପ୍ରଶ୍ନରେ ଅୱେସି ୨୦୧୭ର ଡୋକଲାମ ଓ ୨୦୨୦ର ଲଦାଖ ସୀମା ବିବାଦର ଉଦାହରଣ ଦେଇ ପଚାରିଛନ୍ତି, ଏଥର ମଧ୍ୟ ଅରୁଣାଚଳ ପ୍ରଦେଶର ବାସ୍ତବ ସ୍ଥିତି ସମ୍ପର୍କରେ ଦେଶବାସୀଙ୍କୁ ଅନ୍ଧାରରେ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି କି?
ଅୱେସି କହିଛନ୍ତି, ସରକାର ଓ ପ୍ରଧାନମନ୍ତ୍ରୀ ଆସନ୍ତି-ଯାଆନ୍ତି, କିନ୍ତୁ ଦେଶର ଆଞ୍ଚଳିକ ଅଖଣ୍ଡତା ଓ ସାର୍ବଭୌମତ୍ବ ସହ କୌଣସି ସାଲିସ୍ କରାଯାଇପାରିବ ନାହିଁ। ସୀମାର ପ୍ରକୃତ ସ୍ଥିତି ନେଇ ସରକାର ଦେଶବାସୀଙ୍କୁ ଭରସା ଦେବା ସହ ସତ୍ୟ ସାମ୍ନାକୁ ଆଣିବା ଉଚିତ। ଏହି ପ୍ରସଙ୍ଗରେ ବିରୋଧୀ ଦଳଗୁଡ଼ିକ ମଧ୍ୟ ସୀମା ସୁରକ୍ଷା ଓ ସରକାରଙ୍କ ବିଦେଶ ନୀତି ଉପରେ ସ୍ପଷ୍ଟୀକରଣ ମାଗୁଛନ୍ତି। ରାହୁଲ ଗାନ୍ଧୀଙ୍କ ସମେତ କିଛି ବିରୋଧୀ ନେତା ଅରୁଣାଚଳର କେତେକ ଅଞ୍ଚଳରେ ଚୀନ୍ ଅତିକ୍ରମ କରିଥିବା ଏବଂ ଭାରତୀୟ ସୁରକ୍ଷାବଳଙ୍କ ପାଟ୍ରୋଲିଂରେ ବାଧା ସୃଷ୍ଟି ହେଉଥିବା ଦାବି କରିଛନ୍ତି। ତେବେ, ଚୀନ୍ ପକ୍ଷରୁ ଏପରି ଅତିକ୍ରମଣ ହୋଇଥିବା ଦାବିକୁ ସରକାର ଖଣ୍ଡନ କରିଛନ୍ତି। ଭାରତ ବର୍ତ୍ତମାନ ବ୍ରିକ୍ସର ଅଧ୍ୟକ୍ଷ ରହିଛି ଏବଂ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ବ୍ରିକ୍ସ ଶିଖର ସମ୍ମିଳନୀ ହେବାକୁ ଯାଉଛି। ଚୀନ୍ ବ୍ରିକ୍ସର ସଦସ୍ୟ ହୋଇଥିବାରୁ ସମ୍ମିଳନୀରେ ଯୋଗଦେବା ପାଇଁ ସି ଜିନ୍ପିଙ୍ଗ୍ ଭାରତ ଆସିବାର ସମ୍ଭାବନା ରହିଛି।

1 hour ago
3


