ARTICLE AD BOX
କ୍ୟାରିୟରର ପ୍ରାରମ୍ଭିକ ସମୟରେ ଈଶା ଦେଓଲଙ୍କୁ ‘ଅହଂକାରୀ’ ବୋଲି କୁହାଯାଉଥିଲା। ଏକଥାକୁ ଈଶା ନିଜେ ସ୍ବୀକାର କରିଛନ୍ତି। କ୍ୟାରିୟର୍ ଆରମ୍ଭରେ ଅନେକ ପତ୍ରପତ୍ରିକାରେ ଈଶା ନିଜ ସଂପର୍କରେ ଏପରି ଶବ୍ଦ ପ୍ରୟୋଗ କରାଯାଇଥିବାର ଦେଖିଛନ୍ତି। କିଛି ମାତ୍ରାରେ ତାହା ତାଙ୍କ ପାଇଁ ସୁଫଳ ଦେଇଛି ବୋଲି ସେ ବିଶ୍ବାସ କରନ୍ତି। ଈଶାଙ୍କ ସହ ସିଧାସଳଖ ମିଶିଥିବା ଲୋକମାନେ ତାଙ୍କ ସଂପର୍କରେ ଭଲ ଭାବେ ଜାଣିଥିଲେ। ଅଜଣା ଲୋକ ତାଙ୍କ ନିକଟକୁ ଆସିବାକୁ ସାହସ କରୁ ନଥିଲେ। ଏହା ତାଙ୍କୁ ନିଜସ୍ୱ ପରିସର ଦେଇଥିଲା, ଯାହାକୁ ସକାରାତ୍ମକ ଭାବେ ଗ୍ରହଣ କରିଥିଲେ ଈଶା।
ଉଲ୍ଲେଖଯୋଗ୍ୟ, ଦିବଂଗତ ଅଭିନେତା ଧର୍ମେନ୍ଦ୍ର ଏବଂ ଡ୍ରିମ୍ଗାର୍ଲ ହେମାମାଳିନୀଙ୍କ ସୁକନ୍ୟା ଈଶା ୨୦୦୦ ଦଶକର ପ୍ରାରମ୍ଭରେ ‘କୋଇ ମେରେ ଦିଲ୍ସେ ପୁଛେ’ ଚଳଚ୍ଚିତ୍ର ଜରିଆରେ ଅଭିନୟ ଜଗତରେ ପାଦ ଥାପିଥିଲେ। ଏହି ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ନବାଗତା ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ପରେ ‘ଧୁମ୍’, ‘କାଲ୍’, ‘ନୋ ଏଣ୍ଟ୍ରି’, ‘ଦସ୍’ ଓ ‘ଯୁବା’ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ସେ ଲୋକପ୍ରିୟତା ହାସଲ କରିଥିଲେ। ବିବାହ ଓ ମାତୃତ୍ୱ ପରେ ଅଭିନୟଠାରୁ କିଛି ସମୟ ଦୂରେଇ ରହିଥିବା ଈଶା ୨୦୨୨ରେ ୱେବ୍ ସିରିଜ୍ ‘ରୁଦ୍ର: ଦି ଏଜ୍ ଅଫ୍ ଡାର୍କନେସ୍’ ଜରିଆରେ ପରଦାକୁ ଫେରିଥିଲେ। ପରେ ‘ହଣ୍ଟର୍: ଟୁଟେଗା ନହିଁ’ରେ ମଧ୍ୟ ନଜର ଆସିଥିଲେ।

1 hour ago
2


