ARTICLE AD BOX
ସୋର: ସୋରରେ କିଛିଦିନ ହେବ ଛିନତାଇ ଗ୍ୟାଙ୍ଗ ଆତଙ୍କ ସୃଷ୍ଟି କରିଥିଲା। ଯାହା ସୋର ପୁଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିଲା। ଗତ ଦୁଇଦିନ ତଳେ ଗୋଟିଏ ଦିନରେ ହୋଇଥିବା ତିନୋଟି ଛିନତାଇ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଛିନତାଇ ଗ୍ୟାଙ୍ଗର ୬ ଜଣ ଲୁଟେରାଙ୍କ ସମେତ ଜଣେ ଗହଣା ବ୍ୟବସାୟୀଙ୍କୁ ଗିରଫ କରି ସୋର ପୁଲିସ କୋର୍ଟ ଚାଲାଣ କରିଛି। ଲୁଟେରାମାନେ ହେଲେ ପୁଲିସ ଭଦ୍ରକଜିଲ୍ଲା ବାସୁଦେବପୁର ଥାନା ଇରମ ଗ୍ରାମର ଶିବ ଶଙ୍କର ଦଳେଇ (୧୮),ଅଢ଼ୁଆଁ ଗ୍ରାମର ଜୟନ୍ତ ମଳିକ(୧୭), ଜଗନ୍ନାଥପୁର ମଳିକସାହି ଗ୍ରାମର ମାୟାଧର ମଳିକ (୨୧), ସତ୍ୟସାଇ ମଳିକ(୨୨),ଜେନା ସାହିର ଶିବପ୍ରସାଦ ଦଳେଇ(୨୨) , ଚୁଡାମଣି ମେରାଇନ ଥାନା ଅନ୍ତର୍ଗତ ଚୁଡାମଣି ଶାଶୁଭୁଆଶୁଣି ଗ୍ରାମର ଶିବବ୍ରତ ମଳିକ(୧୯) ଏବଂ ଗହଣା ଦୋକାନୀ ହେଲେ ସୋର ଥାନା କେଦାରପୁର ଗ୍ରାମର ପ୍ରଭାତ କୁମାର ରଣା(୨୫)।
ପୁଲିସ ପକ୍ଷରୁ ମିଳିଥିବ ସୂଚନା ଅନୁସାରେ; ଗତ ୯ ତାରିଖ ପୂର୍ବାହ୍ନରେ ମୂଳେଶ୍ୱର ଗ୍ରାମର ସ୍ମୃତି ବିଶ୍ୱାଳ ଓ ତାଙ୍କ ଭଉଣୀ ସ୍କୁଟି ଯୋଗେ ଅନନ୍ତପୁର ଯାଉଥିବା ବେଳେ କୁଆମରା ନିକଟରେ ଦୁଇ ଜଣ ଦୁର୍ବୃର୍ତ୍ତ ଏକ ବାଇକରେ ଆସି ସେ ବେକରେ ପିନ୍ଧିଥିବା ୧୦ ଗ୍ରାମ ଓଜନର ସୁନା ଚେନକୁ ଝାମ୍ପିନେଇ ଅନନ୍ତପୁର ଅଭିମୁଖେ ଦ୍ରୁତ ଗତିରେ ଫେରାର ହୋଇଯାଇଥିଲେ। ଏ ବାବଦରେ ସ୍ମୃତି ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ୭୫୯/୨୬ ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପରେ ଏସ୍ପି ପ୍ରତ୍ୟୁଷ ଦିବାକରଙ୍କ ନିର୍ଦେଶରେ ସୋର ଥାନାଧିକାରୀ ଅନୁରାଗ ମହାନ୍ତିଙ୍କ ନେତୃତ୍ୱରେ ଏସଆଇ ପ୍ରତିଜିତ ମହାନ୍ତି, ସୁଶୀଲ କୁମାର ମହନ୍ତ, କନେଷ୍ଟବଳ ଜୟସେନ ମୁଦୁଲି ଓ ମନୋଜ ବାରିକଙ୍କୁ ନେଇ ଗଠିତ ଦୁଇଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହିତ ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଗତକାଲି ଉତ୍ତରେଶ୍ୱର ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଲୁଟ ପାଇଁ ଉଦ୍ୟମ କରୁଥିବା ବେଳେ ଏହି ଟିମ ଦୁଇଜଣ ଲୁଟେରାଙ୍କୁ କାବୁ କରିଥିଲେ। ସେମାନଙ୍କୁ ଅଟକ ରଖି ପଚରାଉଚୁରା ପରେ ଲୁଟ କରିଥିବା ଗହଣାକୁ ସୋର ଅଡଙ୍ଗବଜାରରେ ଥିବା ଜ୍ୟୋତ୍ସା ଅଳଙ୍କାର ଗହଣା ଦୋକାନୀଙ୍କୁ ବିକ୍ରି କରିଥିବା ଜାଣିବାକୁ ପାଇ ଗହଣା ଦୋକାନୀଙ୍କ ସମେତ ଅନ୍ୟ ୪ଜଣ ଲୁଟେରାଙ୍କୁ ଗିରଫ କରିଥିଲେ। ସମସ୍ତ ୭ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଛିନତାଇ ଓ ଚୋରି ଘଟଣାରେ ସମ୍ପୃକ୍ତ
ସେମାନଙ୍କ ନିକଟରୁ ୧ଟି ରୂପା ବ୍ରେସଲେଟ, ୭ଟି ମୋବାଇଲ ଫୋନ, ୧ଟି ସୁନା ଚେନ, ଏକ ହଳ ସୁନା କାନ ଫୁଲ, ନଗଦ ୩୦ ହଜାର ଟଙ୍କା ଏବଂ ଲୁଟରେ ବ୍ୟବହୃତ ହୋଇଥିବା ୩ଟି ବାଇକକୁ ଜବତ କରାଯାଇଛି। ଏହି ୬ଜଣ ଲୁଟେରାଙ୍କର ସୋର ସମେତ, ବାସୁଦେବପୁର, ଅନନ୍ତପୁର ଓ ଗୋପାଳପୁର ଥାନା ଅଞ୍ଚଳରେ ବିଭିନ୍ନ ଲୁଟ୍, ଛିନତାଇ ଓ ଚୋରି ଘଟଣାରେ ସଂମ୍ପୃକ୍ତି ଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି।

58 minutes ago
1


