ARTICLE AD BOX
ଭୁବନେଶ୍ବର: ଅଗଷ୍ଟ ଚତୁର୍ଥ ସପ୍ତାହ ତଥା ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପ୍ରଭାବରେ ୨୧ ତାରିଖଠାରୁ ପୁଣିଥରେ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଅଗଷ୍ଟ ୨୧ରୁ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆଜି ପୂର୍ବାନୁମାନ କରିଛି। ପ୍ରଭାବ କିଭଳି ରହିବ ତାହା ଆକଳନ କରାଯାଇ ନ ଥିଲେ ମଧ୍ୟ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେଠାରୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ସମ୍ଭାବ୍ୟ ବର୍ଷା ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଉପରେ ନଜର ରଖିବାକୁ ପ୍ରଶାସନକୁ ସତର୍କ କରାଯାଇଛି।
Ukraine: ୟୁକ୍ରେନ୍ରେ ଲକ୍ଷ୍ମୀ ମିତ୍ତଲଙ୍କ ଷ୍ଟିଲ ପ୍ଲାଣ୍ଟ ଉପରେ ରୁଷ୍ କ୍ଷେପଣାସ୍ତ୍ର ମାଡ଼: ୨ ମୃତ
ଅନ୍ୟପକ୍ଷରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳରେ ଥିବା ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି। ରାତି ୮ଟା ସୁଦ୍ଧା ଅବପାତଟି ଘଣ୍ଟା ପ୍ରତି ୧୮ କିମି ବେଗରେ ଆଗକୁ ବଢ଼ିବା ସହ ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ଅଞ୍ଚଳରେ ଅବସ୍ଥିତ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରି ଝାଡ଼ଖଣ୍ଡ ଦେଇ ବିହାର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବରେ ମଙ୍ଗଳବାର ପୂର୍ବାହ୍ଣ ସୁଦ୍ଧା କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ଏବଂ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ୱାର୍ଣ୍ଣିଂ ଏବଂ ବାଲେଶ୍ବର, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ବରଗଡ଼, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ସହ ସ୍ଥାନେ ସ୍ଥାନେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବା ନେଇ ପାଣିପାଗ କେନ୍ଦ୍ର କହିଛି।
ପରବର୍ତ୍ତୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବାକୁ ଥିବାରୁ ସତର୍କ ସୂଚନା ଜାରି ହୋଇଛି। ଘଡ଼ଘଡ଼ି ଓ ବଜ୍ରପାତରୁ ରକ୍ଷା ପାଇବାକୁ ପାଣିପାଗ ଉପରେ ନଜର ରଖିବା ସହ ନିରାପଦ ସ୍ଥାନରେ ଆଶ୍ରୟ ନେବାକୁ ଏବଂ ସହରାଞ୍ଚଳଗୁଡ଼ିକରେ ଟ୍ରାଫିକ୍ ନିୟମ/ପରାମର୍ଶ ମାନିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଗତକାଲି ସକାଳଠାରୁ ଆଜି ସକାଳ ମଧ୍ୟରେ ରାଜ୍ୟର ଗୋଟିଏ ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇଥିବା ବେଳେ ୯ଟି ସ୍ଥାନରେ ଅତି ପ୍ରବଳ ବର୍ଷା ଓ ୨୫ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇରେ ସର୍ବାଧିକ ୨୧୭ ମିମି ବର୍ଷା ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆରେ ୧୬୪, କୁସୁମୀରେ ୧୪୪, କପ୍ତିପଦାରେ ୧୩୮, ଯଶିପୁରରେ ୧୩୫ ମିମି ବର୍ଷା ହୋଇଛି।

1 hour ago
2


