AI In Agriculture: ଭାରତୀୟ କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣୁଛି ଏଆଇ ଓ ଡିଜିଟାଲ୍ ଜ୍ଞାନକୌଶଳ

15 minutes ago 1
ARTICLE AD BOX

ନୂଆଦିଲ୍ଲୀ: ପାରମ୍ପରିକ ଭାବେ ପଡ଼ୋଶୀ ଚାଷୀଙ୍କୁ ଦେଖି କିମ୍ବା ଅନୁମାନରେ ଜମିରେ ସାର ପ୍ରୟୋଗ କରିବାର ପ୍ରଥା ଏବେ ବଦଳିବାକୁ ଯାଉଛି। ଗତ ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆୟୋଜିତ ''କିଷାନ୍ ତକ୍ ଭାରତ କୃଷି ସମ୍ମିଳନୀ''ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋବାଇଲ୍ ଫୋନ୍ ମାଧ୍ୟମରେ ମୃତ୍ତିକା ପରୀକ୍ଷା କରିବାର ନୂତନ ଜ୍ଞାନକୌଶଳ ବିଷୟରେ ସୂଚନା ଦେଇଛନ୍ତି। ଏହି ବ୍ୟବସ୍ଥାରେ ଚାଷୀମାନେ ଏକ ଛୋଟ ଡିଭାଇସରେ ସାମାନ୍ୟ ମାଟି ରଖିବା ମାତ୍ରେ ମୋବାଇଲ୍ ଫୋନରେ ତୁରନ୍ତ ରିପୋର୍ଟ ମିଳିଯିବ, ଯେଉଁଥିରେ ଉକ୍ତ ଜମି କେଉଁ ଫସଲ ପାଇଁ ଉପଯୁକ୍ତ ଏବଂ ସେଥିରେ କେଉଁ ସାର କେତେ ପରିମାଣରେ ଆବଶ୍ୟକ, ତାହାର ସଠିକ୍ ତଥ୍ୟ ରହିବ।

କୃଷି ବିଶେଷଜ୍ଞଙ୍କ ମତରେ, ଜମିରେ ପ୍ରୟୋଗ କରାଯାଉଥିବା ରାସାୟନିକ ସାରର ଏକ ବଡ଼ ଅଂଶ ନଷ୍ଟ ହୋଇଥାଏ। ଗଛ କେବଳ ୩୦ରୁ ୪୫ ପ୍ରତିଶତ ନାଇଟ୍ରୋଜେନ୍ ଏବଂ ୧୫ରୁ ୨୫ ପ୍ରତିଶତ ଫସଫରସ୍ ଗ୍ରହଣ କରିପାରୁଥିବା ବେଳେ ଅବଶିଷ୍ଟ ସାର ମାଟି, ବାୟୁ କିମ୍ବା ଭୂତଳ ଜଳରେ ମିଶିଯାଏ। ଜାତୀୟ ଉତ୍ପାଦକତା ପରିଷଦର ଏକ ଅଧ୍ୟୟନ ଅନୁଯାୟୀ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ପରାମର୍ଶ ମାନୁଥିବା ଚାଷୀମାନେ ୮ରୁ ୧୦ ପ୍ରତିଶତ କମ୍ ସାର ବ୍ୟବହାର କରି ୫ରୁ ୬ ପ୍ରତିଶତ ଅଧିକ ଅମଳ ପାଇପାରୁଛନ୍ତି। ତେବେ ପରୀକ୍ଷାଗାରରୁ ରିପୋର୍ଟ ଆସିବାକୁ ସପ୍ତାହ ସପ୍ତାହ ଲାଗୁଥିବାରୁ ବୁଣିବା ସମୟରେ ଚାଷୀମାନେ ଅପେକ୍ଷା କରିପାରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଏବେ ଦେଶର ବିଭିନ୍ନ ଗବେଷଣା ପ୍ରତିଷ୍ଠାନ ଓ ଷ୍ଟାର୍ଟଅପଗୁଡ଼ିକ କ୍ଷେତ୍ରସ୍ତରରେ ତୁରନ୍ତ ପରୀକ୍ଷା ହୋଇପାରୁଥିବା ଉପକରଣ ବିକଶିତ କରିଛନ୍ତି।

 ମୋବାଇଲ୍ ଆପରେ ରିପୋର୍ଟ
ଆଇଆଇଟି ବମ୍ବେର ଗବେଷଣା ଆଧାରରେ ପୁଣେରେ ନିର୍ମିତ ''ନ୍ୟୁଟ୍ରିସେନ୍ସ'' ଡିଭାଇସ୍ ମାତ୍ର ଏକ ଗ୍ରାମ୍ ମାଟିରୁ ୫ ମିନିଟ୍ ମଧ୍ୟରେ ୬ଟି ପ୍ରମୁଖ ମାନଦଣ୍ଡ ପରୀକ୍ଷା କରି ମୋବାଇଲ୍ ଆପରେ ରିପୋର୍ଟ ଦେଉଛି। ବର୍ତ୍ତମାନ ଆସାମ, ପଞ୍ଜାବ ଓ ରାଜସ୍ଥାନ ସମେତ ୮ଟି ରାଜ୍ୟର ପ୍ରାୟ ୧୫ ହଜାର ଚାଷୀ ଏହାକୁ ବ୍ୟବହାର କରୁଛନ୍ତି। ସେହିପରି ଆଇଆଇଟି କାନପୁରର ''ଭୂ-ପରୀକ୍ଷକ'' ବିନା କୌଣସି ରାସାୟନିକ ଦ୍ରବ୍ୟରେ ଇନଫ୍ରାରେଡ୍ ଆଲୋକ ମାଧ୍ୟମରେ ମାତ୍ର ୯୦ ସେକେଣ୍ଡରେ ମାଟିର ରିପୋର୍ଟ ଦେଉଥିବା ବେଳେ ''ଭୂ-ଭିଜନ୍'' ୩୦ ମିନିଟ୍ ମଧ୍ୟରେ ୧୨ଟି ପରୀକ୍ଷା କରିପାରୁଛି।

Birsa Munda: ୨୫ ବର୍ଷ ବୟସରେ ଇଂରେଜଙ୍କ ନିଦ ହଜାଇଥିଲେ ବୀର ବିର୍ସା ମୁଣ୍ଡା, ଜାଣନ୍ତୁ ତାଙ୍କ ସଂଘର୍ଷର କାହାଣୀ

କେବଳ ମାଟି ପରୀକ୍ଷା ନୁହେଁ, ଫସଲର ରୋଗପୋକ ନିୟନ୍ତ୍ରଣ ଓ ପାଣିପାଗ ସୂଚନା କ୍ଷେତ୍ରରେ ମଧ୍ୟ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଜାତୀୟ କୀଟ ନିରୀକ୍ଷଣ ବ୍ୟବସ୍ଥା ଏବଂ ''ପ୍ଲାଣ୍ଟିକ୍ସ'' ଆପ୍ ମାଧ୍ୟମରେ ଚାଷୀମାନେ ରୋଗାକ୍ରାନ୍ତ ପତ୍ରର ଫଟୋ ଉଠାଇ ତୁରନ୍ତ ପ୍ରତିକାର ପାଇପାରୁଛନ୍ତି। ଗତ ଫେବୃଆରୀ ୧୭, ୨୦୨୬ରେ ଜୟପୁରଠାରେ ଶୁଭାରମ୍ଭ ହୋଇଥିବା ''ଭାରତ-ବିସ୍ତାର'' ପ୍ଲାଟଫର୍ମ ଚାଟବଟ୍, ଭଏସ୍ ଆସିଷ୍ଟାଣ୍ଟ ''ଭାରତୀ'' ଏବଂ ହେଲ୍ପଲାଇନ୍ ନମ୍ବର ୧୫୫୨୬୧ ମାଧ୍ୟମରେ ଅଗଷ୍ଟ ସୁଦ୍ଧା ୫.୯ ଲକ୍ଷରୁ ଅଧିକ ଚାଷୀଙ୍କର ୯୩ ଲକ୍ଷରୁ ଅଧିକ ପ୍ରଶ୍ନର ସମାଧାନ କରିସାରିଛି। 

ମାଟିର ଉର୍ବରତା ରକ୍ଷା କରିବାରେ ସହାୟକ 
ଏହାବ୍ୟତୀତ ଏଆଇ ଆଧାରିତ ସ୍ଥାନୀୟ ମୌସୁମୀ ପୂର୍ବାନୁମାନ ଏବଂ ''ନମୋ ଡ୍ରୋନ୍ ଦିଦି'' ଭଳି ଯୋଜନା ଗ୍ରାମୀଣ କୃଷି ଅର୍ଥନୀତିକୁ ନୂଆ ଦିଶା ଦେଉଛି। ଯଦିଓ ପରୀକ୍ଷାଗାର ତୁଳନାରେ କ୍ଷେତ୍ରସ୍ତରରେ ଏହି ଯନ୍ତ୍ରଗୁଡ଼ିକର ସଠିକତା ବଢ଼ାଇବା ଏବଂ ଚାଷୀଙ୍କୁ ପରାମର୍ଶ ଗ୍ରହଣ କରିବା ପାଇଁ ସଚେତନ କରାଇବା ଏବେ ବି ଏକ ଆହ୍ୱାନ ହୋଇ ରହିଛି, ତଥାପି ଏହି ଡିଜିଟାଲ୍ ବିପ୍ଳବ ଆଗାମୀ ଦିନରେ ଚାଷୀଙ୍କ ଖର୍ଚ୍ଚ କମାଇବା ସହ ମାଟିର ଉର୍ବରତା ରକ୍ଷା କରିବାରେ ସହାୟକ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.