ARTICLE AD BOX
ବୈଶିଙ୍ଗା(ଦୀପକ କୁମାର ସିଂହ): ଘରୁ ବାହାରିଥିଲେ ଦୈନନ୍ଦିନ କାମ ସାରିବାକୁ। ମନରେ ଥିଲା ଆଜି ବେତନଟୀ ହାଟକୁ ଯାଇ ବ୍ୟବସାୟ କରିବେ, ପରିବାର ପାଇଁ ଦୁଇ ପଇସା ରୋଜଗାର କରିବେ। ହେଲେ ବିଧାତାଙ୍କ ବିଧାନ ଥିଲା ଅଲଗା। ଶୌଚ ହେବାକୁ ଯାଇଥିବା ବେଳେ ଅଜଣା ଟ୍ରକ୍ ଧକ୍କାରେ ଚାଲିଗଲା ଜୀବନ। ହାଟକୁ ଯାଇ ବ୍ୟବସାୟ କରିବାର ସ୍ୱପ୍ନ ଅଧାରେ ରହିଗଲା। ଏକମାତ୍ର ରୋଜଗାରିଆଙ୍କ ମୃତ୍ୟୁରେ ଏବେ ବେସାହାରା ହୋଇପଡ଼ିଛନ୍ତି ସ୍ତ୍ରୀ ଓ ଦୁଇ ଛୋଟ ଝିଅ।
ନହଣ୍ଡାଶୋଳ ଛକ ନିକଟରେ ଦୁର୍ଘଟଣା
ବେତନଟୀ ଥାନା ଅଧୀନ ୧୮ ନଂ ଜାତୀୟ ରାଜପଥର ନହଣ୍ଡାଶୋଳ ଛକ ନିକଟରେ ଘଟିଛି ଏହି ହୃଦୟବିଦାରକ ଦୁର୍ଘଟଣା। ମୃତକ ହେଉଛନ୍ତି ନହଣ୍ଡାଶୋଳ ଗ୍ରାମର ଶେଖ ମମତାଜ ମିଆଁଙ୍କ ୩୬ ବର୍ଷୀୟ ପୁଅ ଶେଖ ସାମଶୁଦ୍ଦିନ ଅଲ୍ଲୀ।
ସୂଚନା ଅନୁଯାୟୀ, ସାମଶୁଦ୍ଦିନ ଜଣେ ଜୋତା ବ୍ୟବସାୟୀ ଥିଲେ। ଆଜି ବେତନଟୀ ହାଟକୁ ବ୍ୟବସାୟ କରିବାକୁ ଯିବା ପାଇଁ ସେ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ଶୌଚ ହେବାକୁ ଯାଇଥିବା ବେଳେ ନହଣ୍ଡାଶୋଳ ଛକ ନିକଟରେ ଏକ ଅଜଣା ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କର ଅକାଳ ମୃତ୍ୟୁ ଘଟିଥିଲା।
ସାମଶୁଦ୍ଦିନ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି। ତାଙ୍କ ରୋଜଗାରରେ ଚଳୁଥିଲା ପରିବାର। ହେଲେ ହଠାତ୍ ଏହି ଦୁଃଖଦ ଘଟଣା ପରିବାରର ସବୁ ସ୍ୱପ୍ନକୁ ଛାରଖାର କରିଦେଇଛି। ସ୍ୱାମୀଙ୍କୁ ହରାଇ ସ୍ତ୍ରୀ ଭାଙ୍ଗିପଡ଼ିଥିବା ବେଳେ ଦୁଇ କୁନି ଝିଅଙ୍କ ମୁଣ୍ଡ ଉପରୁ ଉଠିଯାଇଛି ବାପାଙ୍କ ସ୍ନେହ ଓ ସୁରକ୍ଷାର ଛାୟା। ଯେଉଁ ବାପା ପରିବାରର ଭବିଷ୍ୟତ ଗଢ଼ିବାକୁ ପ୍ରତିଦିନ ସଂଘର୍ଷ କରୁଥିଲେ, ଆଜି ତାଙ୍କ ଅନୁପସ୍ଥିତି ପରିବାରକୁ ଗଭୀର ଅନିଶ୍ଚିତତା ମଧ୍ୟକୁ ଠେଲି ଦେଇଛି।
ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ
ଅନ୍ୟପକ୍ଷରେ, ଘଟଣା ପରେ ବେତନଟୀ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି।
ଗୋଟିଏ ଦୁର୍ଘଟଣା ଛଡ଼ାଇ ନେଲା ଜଣେ ପରିଶ୍ରମୀ ବ୍ୟବସାୟୀଙ୍କ ଜୀବନ, ଭାଙ୍ଗିଦେଲା ଗୋଟିଏ ପରିବାରର ଭରସା। ଏବେ ପ୍ରଶ୍ନ—କେବେ ଧରାପଡ଼ିବ ଦୁର୍ଘଟଣା ଘଟାଇଥିବା ଟ୍ରକ୍? କିଏ ଧରିବ ଅସହାୟ ପରିବାରର ହାତ?
Durga Puja: ମା’ଙ୍କ ଭକ୍ତିରେ ଲୀନ ହେଲେ କାଜୋଲ, ମା’ ତନୁଜା ଓ ଭଉଣୀ ତନିଷାଙ୍କ ସହ ସେୟାର କଲେ ଫଟୋ

54 minutes ago
1


