ARTICLE AD BOX
ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଥାନା ଅଧୀନ ଦଣ୍ଡାମୁଣ୍ଡା ମିନି ଷ୍ଟାଡିୟମ ନିକଟ ମାଲଗାଁ-ଉମରକୋଟ ମୁଖ୍ୟ ରାସ୍ତାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଝରୀଗାଁ ଥାନା ଅଧୀନ କନ୍ଧଗୁଡ଼ା ଗ୍ରାମର କୈଳାସ ଚନ୍ଦ୍ର ଭୋଇ (୨୨) ବୋଲି ଜଣାପଡ଼ିଛି।
କୈଳାସ ନିଜ ମାମୁଁ ଘର ଫଟାମୁଣ୍ଡା ଗ୍ରାମକୁ ବାଇକ ଯୋଗେ ଯାଉଥିଲେ। ଦଣ୍ଡାମୁଣ୍ଡା ମିନି ଷ୍ଟାଡିୟମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ହାଇୱା ଟ୍ରକ ସହ ତାଙ୍କ ବାଇକର ସାମ୍ନାସାମ୍ନି ଧକ୍କା ହୋଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ କୈଳାସଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୋଡ଼ ଭାଙ୍ଗି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଦୁର୍ଘଟଣା ପରେ ହାଇୱା ଟ୍ରକକୁ ଘଟଣାସ୍ଥଳରେ ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା। ଖବର ପାଇ ଚନ୍ଦାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ମୃତଦେହ ଉଦ୍ଧାର କରି ନେବାକୁ ଉଦ୍ୟମ କରିବା ସମୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା।
Accident: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପରୀକ୍ଷାର୍ଥୀ ମୃତ, ଅଧ୍ୟାପିକା ଗୁରୁତର
କ୍ଷତିପୂରଣ ପ୍ରଦାନ ଏବଂ ଫେରାର ହାଇୱା ଚାଳକଙ୍କୁ ଗିରଫ ଦାବିରେ ମୃତକଙ୍କ ପରିବାରବର୍ଗ ଓ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଚନ୍ଦାହାଣ୍ଡି ତହସିଲଦାର ସହଦେବ କୁଟ୍ରୁକା, ଏସ୍ଡିପିଓ ଶୁଭେନ୍ଦୁ ଶବର ଓ ଥାନା ଅଧିକାରୀ ବିମଳ କୁମାର ଲାକ୍ରା ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସରକାରୀ ନିୟମାନୁଯାୟୀ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯିବା ପରେ ରାସ୍ତାରୋକ ହଟିଥିଲା। ଏହାପରେ ଯାତାୟାତ ସ୍ୱାଭାବିକ ହୋଇଥିଲା। ଅନ୍ୟପକ୍ଷରେ ପୁଲିସ ଦୁର୍ଘଟଣାଗ୍ରସ୍ତ ହାଇୱା ଟ୍ରକ ଓ ବାଇକକୁ ଜବତ କରିବା ସହ ଏନେଇ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

58 minutes ago
1


