ARTICLE AD BOX
ଭୁବନେଶ୍ବର: ଓଡ଼ିଶାର ଦୁଇ ଉଦୀୟମାନ ଆଥଲେଟ୍ ଜାତୀୟ ବିଜେତା ମୃତ୍ୟୁମ ଜୟରାମ ଦଣ୍ଡପତି ଓ ଜୋନାଲ ବିଜେତା ମଳୟ ବାରିକଙ୍କର ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଘଟିଛି। ଏହି ଘଟଣା ରାଜ୍ୟ କ୍ରୀଡ଼ା ଦୁନିଆରେ ଶୋକର ଛାୟା ଖେଳାଇ ଦେଇଛି। ଉଭୟ ଏକ ବୁଲେଟ୍ ମୋଟରସାଇକେଲ୍ରେ ଦଶହରା ବୁଲି କଟକରୁ ଭୁବନେଶ୍ବର ଫେରୁଥିବା ବେଳେ ରାତି ପ୍ରାୟ ୧୦.୪୫ ମିନିଟରେ କଟକ ନୂଆଗଡ଼ ନିକଟରେ ଡିଭାଇଡର୍ରେ ପିଟି ହୋଇଯାଇଥିଲେ। ତୁରନ୍ତ ସେମାନଙ୍କୁ ଏସ୍ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ସେଠାରେ କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଦୁଇ କ୍ରୀଡ଼ାବିତ କଳିଙ୍ଗ ଷ୍ଟାଡିୟମ୍ସ୍ଥିତ ରିଲାଏନ୍ସ ହାଇପର୍ଫମାନ୍ସ ସେଣ୍ଟରରେ ପ୍ରଶିକ୍ଷଣ ନେଉଥିଲେ। ଭବାନୀପାଟଣାର ୨୧ ବର୍ଷୀୟ ଜୟରାମ ଦୁଇ ଥର ଜାତୀୟ ରିଲେରେ ବିଜେତା ଏବଂ ଦୁଇ ଥର ଏସୀୟ ୨୦ ବର୍ଷରୁ କମ୍ରେ କାଂସ୍ୟ ପଦକ ଜିତିଥିଲେ। ଅତାବିରାର ମଳୟ ୪୦୦ ମିଟରରେ ରାଜ୍ୟ ରୌପ୍ୟ ଏବଂ ପୂର୍ବାଞ୍ଚଳ ବିଜେତା ହୋଇଥିଲେ। ଦୁଇ ବନ୍ଧୁ ନିକଟରେ ଜୟପୁରଠାରେ ଇଣ୍ଡିଆ ଓପନ୍ ଆଥଲେଟିକ୍ସ ପ୍ରତିଯୋଗିତା (୨୩ ବର୍ଷରୁ କମ୍)ରେ ଅଂଶଗ୍ରହଣ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକପ୍ରକାଶ
ଜୟରାମ ରାଜ୍ୟ ପାଇଁ ଏକାଧିକ ଜାତୀୟ ପଦକ ଜିତିଥିଲା ବେଳେ ମଳୟ ମଧ୍ୟ ଜଣେ ପ୍ରତିଭାବାନ ଆଥଲେଟ୍ ଥିଲେ। ଜୟରାମ ଓ ମଳୟଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଶୋକପ୍ରକାଶ କରିଛନ୍ତି। ଉଭୟଙ୍କ ପରଲୋକ ଓଡ଼ିଶା କ୍ରୀଡ଼ା ପାଇଁ ବହୁତ ବଡ଼ କ୍ଷତି ବୋଲି ସେ ‘ଏକ୍ସ’ରେ ଲେଖିଛନ୍ତି। ସେ ମଧ୍ୟ ଉଭୟଙ୍କ ଶୋକସନ୍ତପ୍ତ ପରିବାର ବର୍ଗ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିଭଳି କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜ ଶୋକବାର୍ତ୍ତାରେ କହିଛନ୍ତି, ଯୁବ କ୍ରୀଡ଼ାବିତ ଦଣ୍ଡପତି ଜୟରାମ ଓ ମଳୟ ବାରିକଙ୍କ ଦୁର୍ଭାଗ୍ୟଜନକ ବିୟୋଗ ଖବର ମୋତେ ବ୍ୟଥିତ କରିଛି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କ ପରିବାରଜନଙ୍କୁ ଏହି ଦୁଃଖଦ ସମୟରେ ସାହା ହୁଅନ୍ତୁ ଏବଂ ଅସୀମ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
ନବୀନଙ୍କ ଶୋକ ବାର୍ତ୍ତା
ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଦୁଇ କ୍ରୀଡ଼ା ତାରକାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି। ‘ଏକ୍ସ’ରେ ଶ୍ରୀ ପଟ୍ଟନାୟକ ଲେଖିଛନ୍ତି, ପ୍ରତିଭାବାନ ଯୁବ ଧାବକ ମୃତ୍ୟମ ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କ ଅକାଳ ବିୟୋଗ ଖବର ଦୁଃଖଦାୟକ। କ୍ରୀଡ଼ା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଉଛି।

57 minutes ago
1


