ARTICLE AD BOX
ଯୁଯୁମୁରା (ବିଜୟ ସ୍ବାଇଁ): ସମ୍ବଲପୁରଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଂସର ଗ୍ରାମ ନିକଟରେ ଶୁକ୍ରବାର ଏକ ଦୁର୍ଘଟଣାରେ ୧୦ ଜଣ ଶ୍ରମିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆହତମାନେ ଯୁଯୁମୁରା ବ୍ଲକ ଭିମଖୋଜ ଗ୍ରାମ ମୁଣ୍ଡପଡ଼ାର ବାସିନ୍ଦା ବୋଲି ଜଣାପଡ଼ିଛି।
ବନ ବିଭାଗ ପକ୍ଷରୁ ନିୟୋଜିତ ଏକ ଟ୍ରାକ୍ଟର ଯୁଯୁମୁରା ଚାରା ପ୍ଲାଣ୍ଟରୁ ବୃକ୍ଷରୋପଣ ପାଇଁ ଚାରା ନେଇ ବଡ଼ମାଳ ଜଙ୍ଗଲ ଅଭିମୁଖେ ଯାଉଥିଲା। ଟ୍ରାକ୍ଟରରେ ମୁଣ୍ଡପଡ଼ାର ମହିଳା ଓ ପୁରୁଷ ଶ୍ରମିକମାନେ ଥିଲେ। ଏହି ସମୟରେ ପଛରୁ ଆସୁଥିବା ଏକ ଟ୍ରକ୍ (ଓଡି-୨୯-ଏଚ୍-୬୨୮୩) ଟ୍ରାକ୍ଟରକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଯୋଗୁଁ ଟ୍ରାକ୍ଟରଟି ରାସ୍ତା ତଳକୁ ଖସି ଯାଇଥିବା ବେଳେ ଟ୍ରକ୍ଟି ରାଜପଥର ଡିଭାଇଡର ଉପରକୁ ଚଢ଼ି ଅଟକି ଯାଇଥିଲା। ଟ୍ରାକ୍ଟରରେ ଥିବା ଶ୍ରମିକମାନେ ଛିଟିକି ପଡ଼ି ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା।
ଖବର ପାଇ ଯୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା, ବିଡିଓ ରାଜେଶ ଏକ୍କା ଓ ତହସିଲଦାର ପ୍ରଭାସ ବୁଡ଼ାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଘରୋଇ ଗାଡ଼ି ଓ ଆମ୍ବୁଲାନ୍ସ ଯୋଗେ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନାକୁ ପଠାଯାଇଥିଲା। ଯୁଯୁମୁରା ପୁଲିସ ଘଟଣାର ତଦନ୍ତ କରୁଛି।
Chatrapur: ଛତ୍ରପୁରରେ କାର୍ର ସିରିଜ୍ ଦୁର୍ଘଟଣା: ଜଳଖିଆ ଦୋକାନରେ ପଶିଲା କାର୍, ଦୁଇ ଭାଇ ଗୁରୁତର

2 days ago
4

