ARTICLE AD BOX
ଜଳନ୍ଧର: ବଲିଉଡ୍ ତଥା ସଙ୍ଗୀତ ଜଗତର ନାମୀ ରାପର୍ ୟୋ ୟୋ ହନି ସିଂହଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଖସିପଡ଼ିଛି। ପଞ୍ଜାବର ଜଳନ୍ଧର ସହରରେ ରବିବାର ଭୋର୍ ସମୟରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ହନି ସିଂହଙ୍କ ନିକଟତର ଭଣଜା ତଥା ଉଦୀୟମାନ ଯୁବକ ବିଦିତ୍ ଓଲକଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ବିଦିତଙ୍କ ସହ ତାଙ୍କ ବାଲ୍ୟବନ୍ଧୁ ଆରବ ତାଲୱାର ମଧ୍ୟ ପ୍ରାଣ ହରାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ମୃତ ବିଦିତ୍ ଓଲକ୍ ହେଉଛନ୍ତି ପଞ୍ଜାବୀ ମ୍ୟୁଜିକ୍ ଜଗତର ପ୍ରସିଦ୍ଧ ସଂସ୍ଥା ''ସ୍ପିଡ୍ ରେକର୍ଡସ୍''ର ମାଲିକ ଦିନେଶଙ୍କ ପୁଅ। ସେହିପରି ଅନ୍ୟଜଣେ ମୃତକ ଆରବ ତାଲୱାର, ଜଳନ୍ଧରର ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନ ''ପପି ସ୍ୱିଟ୍ସ''ର ମାଲିକଙ୍କ ପୁଅ ଅଟନ୍ତି। ରବିବାର ଭୋର୍ ପ୍ରାୟ ୩ଟା ସମୟରେ ବିଏମସି ଚୌକରୁ ବିଏସଏଫ୍ ଚୌକ ଆଡ଼କୁ ଏକ ଫୋଲ୍କସୱାଗନ୍ କାରରେ ଦୁଇବନ୍ଧୁ ନିଜର ଜଣେ ସାଙ୍ଗଙ୍କ ଜନ୍ମଦିନ ପାର୍ଟିରୁ ଫେରୁଥିଲେ।
ପାର୍ଟିରୁ ଫେରୁଥିବା ବେଳେ ଦୁର୍ଘଟଣା
ତେବେ ପୁଲିସ ଲାଇନ୍ସ ଓଭରବ୍ରିଜ୍ ଉପରେ ସଫେଇ କାର୍ଯ୍ୟ ପାଇଁ ଛିଡ଼ା ହୋଇଥିବା ପୌରପାଳିକାର ଏକ ଟ୍ରାକ୍ଟର-ଟ୍ରଲି ସହ କାରଟି ଦ୍ରୁତଗତିରେ ପିଟି ହୋଇଯାଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଥିଲା। ତେବେ ପରିବାର ପକ୍ଷରୁ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଅନୁରୋଧ କରାଯିବା ପରେ ମୃତଦେହଗୁଡ଼ିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ହୃଦୟବିଦାରକ ଅଘଟଣ ପରେ ଗାୟକ ହନି ସିଂହ ନିଜ ସୋସିଆଲ ମିଡିଆ ମାଧ୍ୟମରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

2 hours ago
2


