ARTICLE AD BOX
ପାରଳାଖେମୁଣ୍ଡି: ଘରର ଗୋଟିଏ କୋଣରେ ଅଚଳ ହୋଇ ପଡ଼ିଛନ୍ତି ବାପା। ପାଖରେ ବସି ତାଙ୍କ ହାତ ଧରିଛି ପୁଅ। ବାପାଙ୍କୁ ପାଣି ପିଆଇବାଠାରୁ ଆରମ୍ଭ କରି ଖାଇବା ଖୁଆଇବା, ଔଷଧ ଦେବା, ନିତ୍ୟକର୍ମ କରାଇବା ସବୁକିଛି ଏବେ ସେହି ପୁଅର ଦୈନନ୍ଦିନ କାମ। ଯେଉଁ ବୟସରେ ସେ କଲେଜରେ ପଢ଼ିବା କଥା, ନିଜ ଭବିଷ୍ୟତର ସ୍ୱପ୍ନ ଦେଖିବା କଥା, ସେହି ବୟସରେ ସେ ଜୀବନ ସହ ଯୁଦ୍ଧ କରୁଛି। କାରଣ, ବାପାଙ୍କୁ ଏକୁଟିଆ ଛାଡ଼ି ସେ କେଉଁଠିକୁ ଯାଇପାରିବ ନାହିଁ। ଏହା କୌଣସି କାହାଣୀ ନୁହେଁ, ବରଂ ଗଜପତିଜିଲ୍ଲା ରା.ଉଦୟଗିରି ବ୍ଲକ ଛେଲାଗଡ଼ ପଞ୍ଚାୟତର ଖ୍ରୀଷ୍ଟିଆନ ସାହିରେ ରହୁଥିବା ଈଶାକ ଲିମା ଓ ତାଙ୍କ ପୁଅ ନିକଦିମଙ୍କ ବାସ୍ତବ ଜୀବନର ଚିତ୍ର। ପ୍ରାୟ ୧୭ ବର୍ଷ ହେଲା ଈଶାକ ଲିମା ଶଯ୍ୟାଶାୟୀ। ରୋଗ ତାଙ୍କ ଶରୀରର ଶକ୍ତି ଛଡ଼ାଇ ନେଇଛି। ଆଜି ସେ ନିଜେ ବସିପାରନ୍ତି ନାହିଁ, ଚାଲିପାରନ୍ତି ନାହିଁ। ନିଜ ଶରୀରର ସାମାନ୍ୟ ଆବଶ୍ୟକତା ପୂରଣ କରିବା ପାଇଁ ମଧ୍ୟ ଅନ୍ୟର ସହାୟତା ଦରକାର ପଡ଼ୁଛି। ସେହି "ଅନ୍ୟ" ହେଉଛନ୍ତି ତାଙ୍କ ଏକମାତ୍ର ପୁଅ ନିକଦିମ।
ସରକାରୀ ଯୋଜନା କେବଳ କାଗଜରେ ସୀମିତ
ଦଶମ ଶ୍ରେଣୀରେ ପଢ଼ୁଥିବାବେଳେ ନିକଦିମଙ୍କ ସାମ୍ନାରେ ଆସିଥିଲା ଜୀବନର ସବୁଠୁ କଠିନ ପରୀକ୍ଷା। ଗୋଟିଏ ପଟେ ପଢ଼ା ଓ ନିଜ ଭବିଷ୍ୟତ, ଅନ୍ୟପଟେ ରୋଗଶଯ୍ୟାରେ ପଡ଼ିଥିବା ବାପା। ଶେଷରେ ସେ ପୁସ୍ତକ ଛାଡ଼ି ବାପାଙ୍କ ହାତ ଧରିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେ ବାପାଙ୍କ ପାଇଁ ପୁଅ ନୁହେଁ, ଜଣେ ସେବକ, ଜଣେ ନର୍ସ ଓ ଜଣେ ଆଶ୍ରୟ ପାଲଟିଯାଇଛନ୍ତି। ଈଶାକଙ୍କ ଭିନ୍ନକ୍ଷମ ପ୍ରମାଣପତ୍ରରେ ୭୫ ପ୍ରତିଶତ ଭିନ୍ନକ୍ଷମତା ଉଲ୍ଲେଖ ରହିଛି। ମାସକୁ ମିଳୁଥିବା ପ୍ରାୟ ୧୨୦୦ ଟଙ୍କା ଭତ୍ତା ଓ ୩୫ କିଲୋ ଚାଉଳରେ ଚଳୁଛି ସଂସାର। କିନ୍ତୁ ସେଥିରେ ମଧ୍ୟ ଏବେ ଅନିଶ୍ଚିତତାର ଛାୟା। କାରଣ, ଈଶାକଙ୍କ ଆଧାର କାର୍ଡ ହୋଇପାରୁନାହିଁ। ଗୋଟିଏ କାର୍ଡର ଅଭାବରେ ଅନେକ ସରକାରୀ ଯୋଜନା ତାଙ୍କ ପାଇଁ କେବଳ କାଗଜରେ ସୀମିତ ରହିଯାଇଛି। ନିକଦିମ କହନ୍ତି, ବାପାଙ୍କୁ ଛାଡ଼ି ମୁଁ ବାହାରକୁ କାମ କରିବାକୁ ଯାଇପାରିବିନି। ମୁଁ ନ ଥିଲେ ବାପାଙ୍କୁ ପାଣି ଦେବ କିଏ? ଔଷଧ ଦେବ କିଏ? ସେଥିପାଇଁ ଘରେ ରହିବାକୁ ବାଧ୍ୟ ହେଉଛି। ଏହି କଥା ପଛରେ ଲୁଚି ରହିଛି ଜଣେ ଯୁବକର ଭଙ୍ଗା ସ୍ୱପ୍ନ।
Tiranga campaign: ଆଜିଠୁ ଘରେଘରେ ତ୍ରିରଙ୍ଗା ଅଭିଯାନ: ପ୍ରସ୍ତୁତ ହେବ ୬୦ଲକ୍ଷ ତ୍ରିରଙ୍ଗା
ସାଙ୍ଗମାନେ ଚାକିରି କରୁଛନ୍ତି, କେହି ଉଚ୍ଚଶିକ୍ଷା ନେଉଛନ୍ତି। କିନ୍ତୁ ନିକଦିମଙ୍କ ପାଇଁ ପ୍ରତିଟି ସକାଳ ଆରମ୍ଭ ହୁଏ ବାପାଙ୍କ ସେବାରୁ, ଆଉ ପ୍ରତିଟି ରାତି ଶେଷ ହୁଏ ବାପାଙ୍କ ଔଷଧ ଦେଇ। ଗାଁର କିଛି ଦୟାଳୁ ଲୋକ ପ୍ରାୟ ୫ ହଜାର ଟଙ୍କା ସଂଗ୍ରହ କରି ଈଶାକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ଉଚ୍ଚସ୍ତରୀୟ ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ନଥିବାରୁ ଚିକିତ୍ସା ଅଧାରେ ଅଟକିଯାଇଛି। ଘରର ଛାତ ଜରାଜୀର୍ଣ୍ଣ, ଆର୍ଥିକ ସ୍ଥିତି ଭାଙ୍ଗିପଡ଼ିଛି, ତଥାପି ବାପା-ପୁଅଙ୍କ ଆଶା ଭାଙ୍ଗିନାହିଁ। ବାରମ୍ବାର ଦୌଡ଼ିଲେ ମଧ୍ୟ ଆଧାର କାର୍ଡ ସମସ୍ୟାର ସମାଧାନ ହୋଇନାହିଁ। ଏବେ ସେମାନଙ୍କର ଏକମାତ୍ର ଆଶା ପ୍ରଶାସନ ତାଙ୍କ ଦୁଃଖ ବୁଝିବ, ଆଧାର କାର୍ଡ କରାଇବ ଏବଂ ଚିକିତ୍ସା ସହ ସରକାରୀ ସହାୟତା ପହଞ୍ଚାଇବ। ଗୋଟିଏ ଆଧାର କାର୍ଡ... ହୁଏତ ଈଶାକଙ୍କ ଜୀବନ ବଦଳାଇ ନପାରେ। କିନ୍ତୁ ନିକଦିମଙ୍କ ସଂଘର୍ଷକୁ କିଛିଟା ହାଲୁକା କରିପାରେ। ଏବେ ପ୍ରଶ୍ନ ପ୍ରଶାସନ ସେହି ହାତଟି ବଢ଼ାଇବ କେବେ ?

1 hour ago
1

